ଘରକୁ ଘର ବୁଲିବେ ବିଏଲ୍ଓ, ଫର୍ମ-୬ ଜରିଆରେ ହେବ ନାମ ପଞ୍ଜୀକରଣ । ଏସଆଇଆର ଶେଷ ହେବା ପରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭୋଟରଙ୍କ ପାଇଁ ଭାରତୀୟ ନିର୍ବାଚନ କମିସନ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ପାଇଁ ଇସିଆଇଙ୍କ ସ୍ୱତନ୍ତ୍ର ଅଭିଯାନ । ଘରକୁ ଘର ବୁଲିବେ ବିଏଲ୍ଓ, ଫର୍ମ-୬ ଜରିଆରେ ହେବ ନାମ ପଞ୍ଜୀକରଣ । ଏସଆଇଆର ଶେଷ ହେବା ପରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭୋଟରଙ୍କ ପାଇଁ ଭାରତୀୟ ନିର୍ବାଚନ କମିସନ ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବାଦ୍ ପଡ଼ିଥିବା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପୁନର୍ବାର ଭୋଟର ତାଲିକାରେ ସାମିଲ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ୧ ତାରିଖରେ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆୟୋଗଙ୍କ ବୈଠକ ପରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
ଏହି ଅଭିଯାନରେ ଏସଆଇଆର୍ ପୂର୍ବରୁ ତାଲିକାରେ ଥାଇ ବର୍ତ୍ତମାନ ବାଦ୍ ପଡ଼ିଥିବା ବ୍ୟକ୍ତି ଏବଂ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଥିବା ଯୁବ ଭୋଟରମାନେ ସାମିଲ ହେବେ। କେବଳ ଏସଆଇଆର୍ ଗଣନା ସମୟରେ ସାମିଲ ହୋଇନାହାନ୍ତି ବୋଲି କୌଣସି ଯୋଗ୍ୟ ନାଗରିକଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯିବ ନାହିଁ ବୋଲି ଇସିଆଇ ସ୍ପଷ୍ଟ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ବୁଥ୍ ସ୍ତରୀୟ ଅଧିକାରୀ ମାନେ ପୁରୁଣା ଓ ନୂତନ ତାଲିକା ତୁଳନା କରି ବାଦ୍ ପଡ଼ିଥିବା ଭୋଟରଙ୍କ ତାଲିକା ପ୍ରସ୍ତୁତ କରିବେ। ଗୋଟିଏ ମାସ ମଧ୍ୟରେ ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବାର ଆଶା କରାଯାଉଛି। ଏହି ବୁଥ୍ୱାରୀ ତାଲିକାକୁ ରାଜନୈତିକ ଦଳଗୁଡ଼ିକର ବିଏଲ୍ଏ ଏବଂ ଇଆରଓଙ୍କ ସହ ସେୟାର କରାଯିବ। ଇଆରଓମାନେ କ୍ଷେତ୍ର ଯାଞ୍ଚ ରିପୋର୍ଟ ଆଧାରରେ ଫର୍ମ-୬ ଗ୍ରହଣ କରି ଲୋକପ୍ରତିନିଧି ଆଇନ, ୧୯୫୦ ଏବଂ ଭୋଟର ପଞ୍ଜୀକରଣ ନିୟମାବଳୀ, ୧୯୬୦ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକଙ୍କ ପାଇଁ ନିର୍ବାଚନ ଆୟୋଗଙ୍କ ନୂତନ ପଦକ୍ଷେପ
ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ଶେଷ ହେବା ପରେ ବାଦ୍ ପଡ଼ିଥିବା ଭୋଟରଙ୍କୁ ସାମିଲ କରାଯିବ
ସମସ୍ତ ସିଇଓ, ଡିଇଓ ଏବଂ ଇଆରଓ ମାନଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ
ପୁରୁଣା ତାଲିକାରୁ ବାଦ୍ ପଡ଼ିଥିବା ବ୍ୟକ୍ତି ଓ ପ୍ରଥମ ଥର ପାଇଁ ଭୋଟ୍ ଦେଇଥିବା ଯୁବ ଭୋଟର ସାମିଲ ହେବେ
ବର୍ତ୍ତମାନର ଏବଂ ଏସ୍ଆଇଆର୍ ପୂର୍ବର ତାଲିକା ତୁଳନା କରି ବୁଥ୍ୱାରୀ ତାଲିକା ପ୍ରସ୍ତୁତ କରିବେ ବିଏଲ୍ଓ
ବିଏଲ୍ଓମାନେ ଘରକୁ ଘର ବୁଲି ଭୋଟରଙ୍କ ବର୍ତ୍ତମାନର ସ୍ଥିତି ନିଶ୍ଚିତ କରିବେ
ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କ ପାଇଁ ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ କରାଯିବ
ପ୍ରତ୍ୟେକ ବିଏଲ୍ଓ ସପ୍ତାହକୁ ଅତିକମ୍ରେ ୨୦-୨୫ ଜଣ ବାଦ୍ ପଡ଼ିଥିବା ଭୋଟରଙ୍କ ନିକଟରେ ପହଞ୍ଚିବେ
ରାଜନୈତିକ ଦଳର ବିଏଲ୍ଏ ଓ ସମ୍ପୃକ୍ତ ଇଆରଓଙ୍କ ସହ ତାଲିକା ସେୟାର କରାଯିବ

