ଭାରତ-ଆମେରିକା ଜଏଣ୍ଟ ମିଲିଟାରୀ ଏକ୍ସରସାଇଜ୍ ; ଦୁଇ ଦେଶର ୧୨୦୦ ଯବାନଙ୍କ ଯୁଦ୍ଧ କୌଶଳ ପ୍ରଦର୍ଶନ

ଏହି ଦୁଇ ସପ୍ତାହବ୍ୟାପୀ ସାମରିକ ଅଭ୍ୟାସରେ ଉଭୟ ଦେଶରୁ ୬୦୦ ଲେଖାଏଁ ଯବାନ ଭାଗ ନେଇଛନ୍ତି । ପାହାଡ଼ିଆ ତଥା ଅର୍ଦ୍ଧ-ପାହାଡ଼ିଆ ଅଞ୍ଚଳରେ ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍ସର ବ୍ୟବହାର ପାଇଁ ଉଭୟ ସେନାର ସାମରିକ ଦକ୍ଷତା ବୃଦ୍ଧି କରିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ।

 ଉତ୍ତରାଖଣ୍ଡର ଔଲି ଫରେନ୍ ଟ୍ରେନିଂ ନୋଡ୍ ଏବଂ ରାଜସ୍ଥାନର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଭାରତ ଓ ଆମେରିକା ମଧ୍ୟରେ ବାର୍ଷିକ ଯୌଥ ସାମରିକ ଅଭ୍ୟାସ ‘ଯୁଦ୍ଧ ଅଭ୍ୟାସ’ ଆରମ୍ଭ ହୋଇଛି । ଏହି ଦୁଇ ସପ୍ତାହବ୍ୟାପୀ ସାମରିକ ଅଭ୍ୟାସରେ ଉଭୟ ଦେଶରୁ ୬୦୦ ଲେଖାଏଁ ଯବାନ ଭାଗ ନେଇଛନ୍ତି । ପାହାଡ଼ିଆ ତଥା ଅର୍ଦ୍ଧ-ପାହାଡ଼ିଆ ଅଞ୍ଚଳରେ ଇଣ୍ଟିଗ୍ରେଟେଡ୍ ବ୍ୟାଟେଲ୍ ଗ୍ରୁପ୍ସର ବ୍ୟବହାର ପାଇଁ ଉଭୟ ସେନାର ସାମରିକ ଦକ୍ଷତା ବୃଦ୍ଧି କରିବା ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ବିଶେଷ ଭାବରେ ପଦାତିକ ବାହିନୀ ଆଧାରିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ପ୍ରଶିକ୍ଷଣ ଦ୍ୱାରା ଦୁଇ ସେନା ପରସ୍ପରର ସର୍ବୋତ୍ତମ ସାମରିକ ରଣନୀତି ବୁଝିବା ଓ ବାଣ୍ଟିବା ସହିତ ଯୌଥ ଯୋଜନା ପ୍ରସ୍ତୁତି ଏବଂ ତାହାକୁ କାର୍ଯ୍ୟକାରୀ କରିବାର କ୍ଷମତାକୁ ସୁଦୃଢ଼ କରିପାରିବେ ।

ଏହି ସାମରିକ ଅଭ୍ୟାସରେ ନୂତନ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ତାଲିମ ସମୟରେ ନିରୀକ୍ଷଣ ଏବଂ ଗୁଇନ୍ଦା ତଥ୍ୟ ସଂଗ୍ରହ ପାଇଁ ଡ୍ରୋନ୍ ତଥା ଅଟୋନୋମସ୍ ସିଷ୍ଟମର ବ୍ୟବହାର କରାଯାଉଛି । ଏହା ସହିତ ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ପ୍ରଦର୍ଶନ ସହ ଲାଇଭ୍-ଫାୟାରିଂ ଅଭ୍ୟାସ ମଧ୍ୟ କରାଯାଉଛି । ଆମେରିକୀୟ ଦଳରେ ୧୧ତମ ଏୟାରବୋର୍ଣ୍ଣ ଡିଭିଜନ ‘ଆର୍କଟିକ୍ ଏଞ୍ଜେଲ୍ସ’ର ଯବାନମାନେ ସାମିଲ ହୋଇଛନ୍ତି । ଏହି ଅଭ୍ୟାସ ମାଧ୍ୟମରେ ପାର୍ବତ୍ୟ ଯୁଦ୍ଧ ଏବଂ ଅତ୍ୟଧିକ ଶୀତଳ ପାଣିପାଗରେ ସାମରିକ ଅଭିଯାନ ପରିଚାଳନା କରିବାର କୌଶଳ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି ।

ଆମେରିକାର ୧୧ତମ ଏୟାରବୋର୍ଣ୍ଣ ଡିଭିଜନର ଫାଷ୍ଟ ମୋବାଇଲ୍ ବ୍ରିଗେଡ୍ କମ୍ବାଟ୍ ଟିମ୍ କମାଣ୍ଡର କର୍ଣ୍ଣେଲ ବେନ୍ ଜ୍ୟାକମ୍ୟାନ୍ କହିଛନ୍ତି ଯେ, ‘ଯୁଦ୍ଧ ଅଭ୍ୟାସ’ ସୈନିକମାନଙ୍କୁ ପାରସ୍ପରିକ ସାମରିକ ପ୍ରସ୍ତୁତି, ସହଯୋଗ ଏବଂ ତାଳମେଳ ବୃଦ୍ଧି କରିବାର ସୁଯୋଗ ଦେଉଛି । ଭାରତୀୟ ସେନା ସହ ମିଶି ତାଲିମ ନେବା ଦ୍ୱାରା ଦୁଇ ଦେଶ ମଧ୍ୟରେ ବିଶ୍ୱାସ ବଢ଼ୁଛି ଏବଂ ଯୁଦ୍ଧ ସମୟରେ ମିଳିତ ଭାବେ କାର୍ଯ୍ୟ କରିବାର କ୍ଷମତା ସୁଦୃଢ଼ ହେଉଛି ।

ସେହିପରି ଭାରତୀୟ ସେନାର ୧୪ତମ ଇନଫାଣ୍ଟ୍ରି ଡିଭିଜନର ଜିଓସି ମେଜର ଜେନେରାଲ ଅମରେଶ ଗୁଞ୍ଜନ କହିଛନ୍ତି ଯେ, ‘ଯୁଦ୍ଧ ଅଭ୍ୟାସ’ ମଲ୍ଟି-ଡୋମେନ୍ ଅପରେସନର ରଣନୀତି, କୌଶଳ ଏବଂ ପ୍ରକ୍ରିୟା ବାଣ୍ଟିବା ପାଇଁ ଏକ ଉପଯୁକ୍ତ ମଞ୍ଚ ପ୍ରଦାନ କରିଛି । ମହାଜନରେ ସଠିକ୍ ଫାୟାରିଂଠାରୁ ଆରମ୍ଭ କରି ଔଲିରେ ପାର୍ବତ୍ୟ ଯୁଦ୍ଧ ପର୍ଯ୍ୟନ୍ତ ସମସ୍ତ ଦିଗ ଏଥିରେ ସାମିଲ ରହିଛି । ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବା ସହ ଯେକୌଣସି ପରିସ୍ଥିତିରେ ମିଳିତ ଭାବେ ସଫଳତା ହାସଲ କରିବାକୁ ସେନାକୁ ପ୍ରସ୍ତୁତ କରୁଛି । ଏହି ଅଭ୍ୟାସ ହେଉଛି ପ୍ରତିବର୍ଷ ଆୟୋଜିତ ହେଉଥିବା ଭାରତ-ଆମେରିକାର ଏକ ନିୟମିତ ଯୌଥ ସାମରିକ କାର୍ଯ୍ୟକ୍ରମ ।

Leave a Reply

Your email address will not be published. Required fields are marked *