ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ, ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବା ପୂର୍ବରୁ ପୁଲିସ ତାଙ୍କୁ ଗୃହବନ୍ଦୀ କରିଛି।
ଉତ୍ତରପ୍ରଦେଶ କଂଗ୍ରେସ ସଭାପତି ଅଜୟ ରାୟ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ, ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିବା ପୂର୍ବରୁ ପୁଲିସ ତାଙ୍କୁ ଗୃହବନ୍ଦୀ କରିଛି। ସେ କହିଛନ୍ତି, କଂଗ୍ରେସର ଏକ ପ୍ରତିନିଧି ଦଳ ସହିତ ରାମଲାଲାଙ୍କ ଦର୍ଶନ ଓ ପୂଜା କରିବା ପାଇଁ ସେ ଅଯୋଧ୍ୟା ଯାଇଥିଲେ । କିନ୍ତୁ ହୋଟେଲରେ ପହଞ୍ଚିବାର କିଛି ସମୟ ପରେ ପୁଲିସ ତାଙ୍କୁ ବାହାରକୁ ଯିବାକୁ ବାରଣ କରିଥିଲା।
ଅଜୟ ରାୟ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ଭାଜପା ସରକାର ଭୟଭୀତ ହୋଇ ଏପରି ପଦକ୍ଷେପ ନେଇଛି। ରାମଲାଲାଙ୍କ ଦର୍ଶନ କରିବାରୁ ତାଙ୍କୁ ବାରଣ କରାଯିବା ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧୀ। ଏହା ସରକାରଙ୍କ ଏକଚ୍ଛତ୍ରବାଦୀ ମନୋଭାବର ପ୍ରମାଣ ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ କଂଗ୍ରେସ ପକ୍ଷରୁ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳ କହିଛି, ଅଜୟ ରାୟଙ୍କୁ ଗୃହବନ୍ଦୀ କରିବା ଅସାମ୍ବିଧାନିକ ଏବଂ ଏହା ନାଗରିକଙ୍କ ମୌଳିକ ଅଧିକାରର ଉଲ୍ଲଙ୍ଘନ। କଂଗ୍ରେସ ତୁରନ୍ତ ତାଙ୍କୁ ମୁକ୍ତ କରିବା ସହ ଦଳର ନେତାମାନଙ୍କୁ ନିର୍ବିଘ୍ନରେ ମନ୍ଦିର ଦର୍ଶନ କରିବାର ସୁଯୋଗ ଦେବାକୁ ଦାବି କରିଛି।
କଂଗ୍ରେସର କହିବା ଅନୁସାରେ, ଅଜୟ ରାୟଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ଥିଲା। ଏହି ଦଳରେ ସାଂସଦ କିଶୋରୀ ଲାଲ ଶର୍ମା, ରାକେଶ ରାଠୋର, ଉଜ୍ଜ୍ୱଳ ରମଣ ସିଂହ ଓ ତନୁଜ ପୁନିଆ ସାମିଲ ଥିଲେ। ସେମାନେ ରାମଲାଲାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେବା ପାଇଁ ଯୋଜନା କରିଥିଲେ।
ଏହି ଘଟଣା ଏପରି ସମୟରେ ଘଟିଛି, ଯେତେବେଳେ ଅଯୋଧ୍ୟା ରାମମନ୍ଦିରର ଦାନ ପାଣ୍ଠି ପରିଚାଳନାକୁ ନେଇ ଉଠିଥିବା ଅଭିଯୋଗ ଉପରେ ରାଜନୈତିକ ବିବାଦ ଜୋର ଧରିଛି। କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀରବତାକୁ ମଧ୍ୟ ପ୍ରଶ୍ନ କରିଛି।
ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ମନ୍ଦିରରେ ହୋଇଥିବା କଥିତ ଆର୍ଥିକ ଅନିୟମିତତା ଉପରେ ପ୍ରଧାନମନ୍ତ୍ରୀ ଚୁପ୍ ରହିବା କୋଟି କୋଟି ରାମଭକ୍ତଙ୍କ ଧାର୍ମିକ ଭାବନା ପ୍ରତି ସିଧାସଳଖ ଆଘାତ। କଂଗ୍ରେସ ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବା ସହ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଭଙ୍ଗ କରିବାକୁ ମଧ୍ୟ ଦାବି କରିଛି।

