ବିମାନବନ୍ଦର ସୁରକ୍ଷା ପାଇଁ ବିଏମସିର ବଡ଼ ଆକ୍ସନ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବଡ଼ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବଡ଼ ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରୁଥିବା ଉଚ୍ଚ ନିର୍ମାଣଗୁଡ଼ିକୁ ହଟାଇବା କିମ୍ବା ସେଗୁଡ଼ିକର ଉଚ୍ଚତା କମାଇବା ପାଇଁ ବିଏମସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ପକ୍ଷରୁ କରାଯାଇଥିବା ସର୍ଭେରେ ବିମାନବନ୍ଦର ଚାରିପାଖରେ ଥିବା କିଛି ନିର୍ମାଣ ନିର୍ଦ୍ଧାରିତ ଉଚ୍ଚତା ସୀମା ଅତିକ୍ରମ କରିଥିବା ଚିହ୍ନଟ ହୋଇଛି ।

 ରିପୋର୍ଟରେ କୁହାଯାଇଛି ଯେ, ଏହି ଉଚ୍ଚ ନିର୍ମାଣଗୁଡ଼ିକ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣରେ ବିପଦ ସୃଷ୍ଟି କରିପାରେ । ଏହାକୁ ଗୁରୁତ୍ୱର ସହ ନେଇ ବିଏମସି ପକ୍ଷରୁ ୱାଟକୋ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ନୋଟିସ ଜାରି କରାଯାଇଛି । ବିମାନବନ୍ଦର ନିକଟରେ ଥିବା ଏକ ଓଭରହେଡ୍ ୱାଟର ଟ୍ୟାଙ୍କର ଉଚ୍ଚତା କମାଇବା ସହ ଆବଶ୍ୟକ ପଡ଼ିଲେ ଏହାକୁ ହଟାଇବାକୁ ମଧ୍ୟ କୁହାଯାଇଛି । କେବଳ ସରକାରୀ ନିର୍ମାଣ ନୁହେଁ, ବ୍ୟକ୍ତିଗତ ମାଲିକାନାର ଉଚ୍ଚ ନିର୍ମାଣ ଉପରେ ମଧ୍ୟ ବିଏମସି କଠୋର ମନୋଭାବ ଆପଣାଇଛି ।

 ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସାତ ଦିନ ମଧ୍ୟରେ ନିର୍ମାଣର ଉଚ୍ଚତା କମାଇବା ପାଇଁ ନୋଟିସ ଦିଆଯାଇଛି । ବିଏମସି ସ୍ପଷ୍ଟ କରିଛି ଯେ, ନିର୍ଦ୍ଦେଶ ପାଳନ ନ କଲେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦର ପରିସରରେ ଉଚ୍ଚ ନିର୍ମାଣ ଉପରେ ନଜରଦାରୀକୁ ଆହୁରି କଡ଼ା କରାଯାଇଛି ।

Leave a Reply

Your email address will not be published. Required fields are marked *