ବଢ଼ୁଛି ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା : ଟ୍ରମ୍ପଙ୍କ କଡ଼ା ଚେତାବନୀ

ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି ।

ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯଦି ଇରାନ ତାଙ୍କ ହତ୍ୟା ପାଇଁ କୌଣସି ଷଡଯନ୍ତ୍ର କରେ କିମ୍ବା ଆକ୍ରମଣ କରିବାକୁ ଚେଷ୍ଟା କରେ ତେବେ ଆମେରିକାର 1000 ମିସାଇଲ ତୁରନ୍ତ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି ।  ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍  ସୋସିଆଲ ମିଡିଆରେ  ଲେଖିଛନ୍ତି ଯେ, ଆମେରିକାର ମିସାଇଲଗୁଡ଼ିକ ଲକଡ୍ ଆଣ୍ଡ ଲୋଡେଡ୍ ଅର୍ଥାତ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅବସ୍ଥାରେ ରହିଛି । ତାଙ୍କ ଦାବି ଅନୁସାରେ ଯଦି ଇରାନ ପକ୍ଷରୁ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ହୁଏ, ତେବେ ଆମେରିକୀୟ ସେନା ଇରାନର ବିଭିନ୍ନ ସ୍ଥାନ ଉପରେ ବ୍ୟାପକ ସାମରିକ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି ।

 ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ଗତ କିଛି ସପ୍ତାହ ଧରି ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ପୁଣି ବଢିବାକୁ ଲାଗିଛି । ଜୁନ୍ ମାସରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଲାଗୁ ହୋଇଥିଲା । କିନ୍ତୁ ଉଭୟ ଦେଶ ପକ୍ଷର କଡା ବୟାନ ଓ ସାମରିକ କାର୍ଯ୍ୟକଳାପ ଯୋଗୁଁ ପରିସ୍ଥିତି ପୁଣି ଗମ୍ଭୀର ହୋଇପଡ଼ିଛି । ଟ୍ରମ୍ପ ପୂର୍ବରୁ ନାଟୋ ସମ୍ମିଳନୀରେ ମଧ୍ୟ କହିଥିଲେ ଯେ ସେ ଇରାନର କଥିତ “ହିଟ୍ ଲିଷ୍ଟ”ର ଶୀର୍ଷରେ ଅଛନ୍ତି । ତାଙ୍କ ଦାବି ଅନୁସାରେ ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକ ପାଖରେ ଇରାନ ପକ୍ଷରୁ ତାଙ୍କ ବିରୋଧରେ ଷଡଯନ୍ତ୍ର ହେଉଥିବା ସୂଚନା ରହିଛି । ସେହି କାରଣରୁ ସେ ଆଗୁଆ ସତର୍କତା ଭାବେ ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ।
ଏହା ସହିତ ଇସ୍ରାଏଲ ମଧ୍ୟ ଇରାନର ଷଡଯନ୍ତ୍ର ସମ୍ପର୍କିତ କିଛି ଗୁପ୍ତଚର ସୂଚନା ଆମେରିକାକୁ ଦେଇଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ଭାବେ ପୁଷ୍ଟି ହୋଇନାହିଁ । ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ କଡ଼ା ବୟାନବାଜି ଜାରି ରହିଛି, ଯାହା ଆଗାମୀ ଦିନରେ ପରିସ୍ଥିତିକୁ ଆହୁରି ଜଟିଳ କରିପାରେ ।

Leave a Reply

Your email address will not be published. Required fields are marked *