୨୦୨୬ରୁ ୨୦୩୧ ଅବଧି ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (SDRF) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (NDRF) ପରିଚାଳନା ସମ୍ପର୍କିତ ନୂଆ କାର୍ଯ୍ୟନିର୍ଦ୍ଦେଶିକାରେ ଏହି ଦୁଇ ବିପଦକୁ ସାମିଲ କରାଯାଇଛି ।
ଦେଶରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଣିକି ଗ୍ରୀଷ୍ମପ୍ରବାହ (ହିଟ୍ ୱେଭ୍) ଓ ବଜ୍ରପାତକୁ ମଧ୍ୟ ଅଧିସୂଚିତ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଗଣନା କରାଯିବ। ଷୋଡ଼ଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ।
୨୦୨୬ରୁ ୨୦୩୧ ଅବଧି ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (SDRF) ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ପାଣ୍ଠି (NDRF) ପରିଚାଳନା ସମ୍ପର୍କିତ ନୂଆ କାର୍ଯ୍ୟନିର୍ଦ୍ଦେଶିକାରେ ଏହି ଦୁଇ ବିପଦକୁ ସାମିଲ କରାଯାଇଛି । ଏହା ଫଳରେ ଗ୍ରୀଷ୍ମପ୍ରବାହ ଓ ବଜ୍ରପାତରେ ପ୍ରଭାବିତ ଲୋକମାନେ ସରକାରୀ ରିଲିଫ୍ ଓ ସହାୟତା ପାଇବାର ବାଟ ଖୋଲିଯାଇଛି ।
କେବଳ ରିଲିଫ୍ ନୁହେଁ, ହିଟ୍ ୱେଭ୍ର ପ୍ରଭାବ କମାଇବା ପାଇଁ ନିଆଯାଉଥିବା ମିଟିଗେସନ୍ ପ୍ରକଳ୍ପଗୁଡ଼ିକୁ ମଧ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଆର୍ଥିକ ସହାୟତା ମିଳିବ । ଲୋକସଭାରେ ଏହି ସୂଚନା ଦେଇ କେନ୍ଦ୍ର ସରକାର କହିଛନ୍ତି ଯେ, ଷୋଡ଼ଶ ଅର୍ଥ କମିସନଙ୍କ ସୁପାରିସକୁ ଆଧାର କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ନିଷ୍ପତ୍ତି ପରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଢ଼ୁଥିବା ଗ୍ରୀଷ୍ମପ୍ରବାହ ଓ ବଜ୍ରପାତ ଜନିତ କ୍ଷତିର ସାମ୍ନା କରୁଥିବା ରାଜ୍ୟଗୁଡ଼ିକ ପାଇଁ ରିଲିଫ୍ ଓ ପ୍ରଶମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ।

