ଏହି ମାମଲାରେ ସବୁଠାରୁ ବଡ଼ ମୋଡ଼ ଆସିଲା ଯେତେବେଳେ ଅଭିଯୁକ୍ତ ପୁଣ୍ଡଲିକ ଡୋମ୍ବରର ଏକ ସେଲଫି ଭିଡିଓ ସାମ୍ନାକୁ ଆସିଲା । ଏହି ଭିଡିଓରେ ସେ ଅନେକ ଚକିତ କଲାଭଳି ଦାବି କରିଥିଲା ।
କବର ତଳେ ତିନି ମାସ ଧରି ଚାପି ହୋଇ ରହିଥିଲା ଏକ ଭୟଙ୍କର ରହସ୍ୟ । ଯାହାକୁ ସମସ୍ତେ ଏକ ସାଧାରଣ ଦୁର୍ଘଟଣା ବୋଲି ଭାବୁଥିଲେ, ତାହା ପଛରେ ଲୁଚି ରହିଥିଲା ଜଣେ ପତ୍ନୀ ଓ ତାଙ୍କ ପ୍ରେମିକର କ୍ରୂର ଷଡ଼ଯନ୍ତ୍ର । ଜଣେ ପୂର୍ବତନ ସୈନିକଙ୍କ ହତ୍ୟା ପାଇଁ ରଚାଯାଇଥିଲା ଏମିତି ନକ୍ସା, ଯାହା ପୁଲିସକୁ ମଧ୍ୟ ଚକିତ କରିଦେଇଛି । ଗୋଟିଏ ସେଲଫି ଭିଡିଓ ଏବଂ ୨ କୋଟି ଟଙ୍କାର ବୀମା ପଲିସି କିଭଳି ଏହି ରହସ୍ୟରୁ ପରଦା ଉଠାଇଲା, ଜାଣିବା ପାଇଁ ପଢନ୍ତୁ ଏହି ଚାଞ୍ଚଲ୍ୟକର ଖବର ।
ବେଲାଗାଭି ଜିଲ୍ଲା ହୁକ୍କେରୀ ତାଲୁକର ଘୋଡଗେରୀ ଗାଁର ବାସିନ୍ଦା ୪୫ ବର୍ଷୀୟ ସନ୍ଦୀପ ମଞ୍ଜାରୀ ଭାରତୀୟ ସେନାରେ ଦେଶ ସେବା କରି ଅବସର ନେଇଥିଲେ । ଚଳିତ ବର୍ଷ ଏକ ମନ୍ଦିର ମେଳାରୁ ଫେରିବା ସମୟରେ ସନ୍ଦୀପଙ୍କର ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଲା । ସେତେବେଳେ କେହି ଏହାକୁ ନେଇ ପ୍ରଶ୍ନ ଉଠାଇ ନଥିଲେ । ପରିବାର ଲୋକେ ଏହାକୁ ଏକ ଦୁର୍ଘଟଣା ମାନି ସନ୍ଦୀପଙ୍କ ଅନ୍ତିମ ସଂସ୍କାର କରିଦେଇଥିଲେ ।
ସନ୍ଦୀପଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ ପରିବାର ସଦସ୍ୟଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ସେମାନେ ଅଭିଯୋଗ କଲେ ଯେ, ସନ୍ଦୀପଙ୍କ ମୃତ୍ୟୁ ସ୍ୱାଭାବିକ ନୁହେଁ । ତାଙ୍କ ପତ୍ନୀ ସୁମା ମଞ୍ଜାରୀ ଏବଂ ତାଙ୍କ ପ୍ରେମିକ ପୁଣ୍ଡଲିକ ଡୋମ୍ବର ମିଶି ସନ୍ଦୀପଙ୍କୁ ହତ୍ୟା କରିଛନ୍ତି । ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ, ଦୁର୍ଘଟଣାରେ ବଞ୍ଚିଯାଇଥିବା ସନ୍ଦୀପଙ୍କୁ ହସ୍ପିଟାଲରେ ଗ୍ଲୁକୋଜ୍ ବୋତଲ ଜରିଆରେ ବିଷ ଦିଆଯାଇଥିଲା ।
ଖୋଳା ହେଲା କବର!
ବାହାରିଲା ଭୟଙ୍କର ସତ…
ଏହି ମାମଲାରେ ସବୁଠାରୁ ବଡ଼ ମୋଡ଼ ଆସିଲା ଯେତେବେଳେ ଅଭିଯୁକ୍ତ ପୁଣ୍ଡଲିକ ଡୋମ୍ବରର ଏକ ସେଲଫି ଭିଡିଓ ସାମ୍ନାକୁ ଆସିଲା । ଏହି ଭିଡିଓରେ ସେ ଅନେକ ଚକିତ କଲାଭଳି ଦାବି କରିଥିଲା । ପୁଣ୍ଡଲିକ କହିଥିଲା ଯେ, ସୁମା ତାଙ୍କୁ ନିଜ ସ୍ୱାମୀଙ୍କର ପ୍ରାୟ ୨ କୋଟି ଟଙ୍କାର ବୀମା ପଲିସି ବିଷୟରେ କହିଥିଲେ । ବୀମା ଟଙ୍କା ମିଳିବା ପରେ ଦୁହେଁ ବିବାହ କରି ବେଲାଗାଭିରେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯୋଜନା କରିଥିଲେ । ଏପରିକି ସନ୍ଦୀପଙ୍କୁ ମାରିବା ପାଇଁ କୀଟନାଶକ ବିଷ ଯୋଗାଡ଼ କରିବାକୁ ମଧ୍ୟ କୁହାଯାଇଥିଲା ।
ପରିବାରର ଅଭିଯୋଗ ଏବଂ ସେଲଫି ଭିଡିଓକୁ ଆଧାର କରି ପୋଲିସ କୋର୍ଟଙ୍କ ଅନୁମତି ନେଇ ସନ୍ଦୀପଙ୍କ ଶବକୁ କବରରୁ ବାହାର କରିବାକୁ ନିଷ୍ପତ୍ତି ନେଲା । ବେଲାଗାଭି ସହାୟକ କମିଶନର ଶ୍ରବଣ କୁମାରଙ୍କ ଉପସ୍ଥିତିରେ ପ୍ରାୟ ତିନି ମାସ ପରେ ଶବ ବାହାର କରାଯାଇ ନମୁନା ସଂଗ୍ରହ କରାଯାଇଛି । ଏହି ନମୁନାକୁ ବର୍ତ୍ତମାନ ଫରେନସିକ୍ ସାଇନ୍ସ ଲ୍ୟାବକୁ ପଠାଯାଇଛି ।
ବର୍ତ୍ତମାନ ପୋଲିସ ସୁମା ମଞ୍ଜାରୀ ଏବଂ ପୁଣ୍ଡଲିକଙ୍କୁ ପଚରାଉଚରା ଜାରି ରଖିଛି । ଯମକନମରଡି ଥାନାରେ ଏକ ମାମଲା ରୁଜୁ ହୋଇଛି । ଏବେ ସମସ୍ତଙ୍କ ନଜର ଫରେନସିକ୍ ରିପୋର୍ଟ ଉପରେ ଅଛି । ଯଦି ରିପୋର୍ଟରେ ବିଷ ଦେବାର ପ୍ରମାଣ ମିଳେ, ତେବେ ଏହା ସ୍ପଷ୍ଟ ହୋଇଯିବ ଯେ ୨ କୋଟି ଟଙ୍କାର ବୀମା ରାଶି ପାଇଁ ଜଣେ ପତ୍ନୀ ନିଜ ସ୍ୱାମୀର ହତ୍ୟା ପାଇଁ କିଭଳି ଭୟଙ୍କର ଚକ୍ରାନ୍ତ କରିଥିଲେ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

