ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ନେପାଳ, ବିଶ୍ୱ ଦରବାରରେ ବଡ଼ କୂଟନୈତିକ ଲଢ଼େଇ ପାଇଁ ପ୍ରସ୍ତୁତ, ଭାରତ, ଚୀନ ଓ ଆମେରିକାକୁ ଦାୟୀ

ଏହି ବିପର୍ୟ୍ୟୟରେ ୧ ହଜାର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩ ହଜାର ୯୦୦ ଲୋକ ନିଖୋଜ ଅଛନ୍ତି । ବନ୍ୟା ଯୋଗୁଁ ରାସ୍ତାଘାଟ, ସେତୁ, ହାଇଡ୍ରୋପାୱାର ପ୍ରକଳ୍ପ ଓ ବହୁ ଘର ନଷ୍ଟ ହୋଇଯାଇଛି । ନେପାଳର ପୁନଃନିର୍ମାଣ ପାଇଁ ୪ ରୁ ୫ ବିଲିୟନ ଡଲାର ଯାହା ଦେଶର ଅର୍ଥନୀତିର ପ୍ରାୟ ୧୦ ପ୍ରତିଶତ ଆବଶ୍ୟକ ବୋଲି ଆକଳନ କରାଯାଇଛି । ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ କହିଛନ୍ତି ଯେ, ନେପାଳ ଭିକ୍ଷା ବା ସାଧାରଣ ରିଲିଫ ସହାୟତା ଚାହୁଁନାହିଁ, ବରଂ କ୍ଲାଇମେଟ୍ ଜଷ୍ଟିସ୍ ଏବଂ ଆଇନଗତ କ୍ଷତିପୂରଣ ଦାବି କରୁଛି ।

ନେପାଳରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନକୁ ନେଇ ନେପାଳ ଏକ ବଡ଼ କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି। ବିଶ୍ୱ ତାପମାତ୍ରା ବୃଦ୍ଧି ଓ ସବୁଜଗୃହ ବାଷ୍ପ ନିର୍ଗମନ ପାଇଁ ବିଶ୍ୱର ତିନି ପ୍ରମୁଖ ଶକ୍ତି ଭାରତ, ଚୀନ ଏବଂ ଆମେରିକାକୁ ଦାୟୀ କରିଛି । ଏବାବଦରେ ନେପାଳ କ୍ଷତିପୂରଣ ଦାବି କରିଛି । ଏହି ପ୍ରସଙ୍ଗକୁ ଆନ୍ତର୍ଜାତୀୟ ସ୍ତରରେ ଉଠାଇବା ପାଇଁ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହ ଜାତିସଂଘ ସାଧାରଣ ସଭା ଗସ୍ତ କରିବା ସମ୍ଭାବନା ରହିଛି । ଭୋଟେକୋଶୀ ନଦୀ ଅବବାହିକାରେ ବରଫ ତରଳିବା ଓ ପଥର ଧସିବା କାରଣରୁ ଭୟଙ୍କର ବନ୍ୟା ଆସିଥିଲା। ଏହି ବିପର୍ୟ୍ୟୟରେ ୧ ହଜାର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩ ହଜାର ୯୦୦ ଲୋକ ନିଖୋଜ ଅଛନ୍ତି । ବନ୍ୟା ଯୋଗୁଁ ରାସ୍ତାଘାଟ, ସେତୁ, ହାଇଡ୍ରୋପାୱାର ପ୍ରକଳ୍ପ ଓ ବହୁ ଘର ନଷ୍ଟ ହୋଇଯାଇଛି । ନେପାଳର ପୁନଃନିର୍ମାଣ ପାଇଁ ୪ ରୁ ୫ ବିଲିୟନ ଡଲାର ଯାହା ଦେଶର ଅର୍ଥନୀତିର ପ୍ରାୟ ୧୦ ପ୍ରତିଶତ ଆବଶ୍ୟକ ବୋଲି ଆକଳନ କରାଯାଇଛି । ନେପାଳ ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ କହିଛନ୍ତି ଯେ, ନେପାଳ ଭିକ୍ଷା ବା ସାଧାରଣ ରିଲିଫ ସହାୟତା ଚାହୁଁନାହିଁ, ବରଂ କ୍ଲାଇମେଟ୍ ଜଷ୍ଟିସ୍ ଏବଂ ଆଇନଗତ କ୍ଷତିପୂରଣ ଦାବି କରୁଛି ।

 ନେପାଳର ଯୁକ୍ତି ହେଉଛି, ବିଶ୍ୱ ତାପମାତ୍ରା ବୃଦ୍ଧି ପାଇଁ ନେପାଳର ଅବଦାନ ନାହିଁ କହିଲେ ଚଳେ । ମାତ୍ର ଏହାର ପରିଣାମ ହିମାଳୟ କ୍ଷେତ୍ରର ନିରୀହ ଲୋକମାନେ ହିମବାହ ତରଳିବା ଓ ଅଚାନକ ବନ୍ୟା ମାଧ୍ୟମରେ ଭୋଗୁଛନ୍ତି । ଏଥିପାଇଁ ନେପାଳ ଜାତିସଂଘରେ ଜରୁରୀକାଳୀନ ଆର୍ଥିକ ସହାୟତା ପାଇଁ ଆନୁଷ୍ଠାନିକ ଭାବେ ଆବେଦନ କରିଛି । ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା  ୟୁଏନଜିଏ  ବୈଠକରେ ବାଲେନ ଶାହ ନିଜେ ଯୋଗଦେଇ ନେପାଳର ପ୍ରାକୃତିକ କ୍ଷତିକୁ ଉପସ୍ଥାପନ କରିବା ସହ ପ୍ରମୁଖ ଧନୀ ଓ ଶିଳ୍ପପ୍ରଧାନ ରାଷ୍ଟ୍ରଙ୍କଠାରୁ ଆର୍ଥିକ କ୍ଷତିପୂରଣ ଦାବି କରିବାର ରଣନୀତି ପ୍ରସ୍ତୁତ କରୁଛନ୍ତି । ଭାରତ ବିଶ୍ୱର ତୃତୀୟ ବୃହତ୍ତମ କାର୍ବନ ନିର୍ଗମନକାରୀ ଦେଶ ହୋଇଥିଲେ ମଧ୍ୟ ନିର୍ଗମନ ତୁଳନାରେ ପାଶ୍ଚାତ୍ୟ ଦେଶ ଏବଂ ଚୀନଠାରୁ ବହୁ ପଛରେ ରହିଛି । ତଥାପି ନେପାଳ ସିଧାସଳଖ ଭାରତକୁ ଏହି ତାଲିକାରେ ଯୋଡ଼ିବା ଦୁଇ ଦେଶ ମଧ୍ୟରେ କୂଟନୈତିକ ଚର୍ଚ୍ଚା ସୃଷ୍ଟି କରିଛି । ଅନ୍ୟପଟେ, ଉଦ୍ଧାର କାର୍ୟ୍ୟ ଏବଂ ସେତୁ ନିର୍ମାଣ ଭଳି କ୍ଷେତ୍ରରେ ନେପାଳ ଏବେ ଭାରତ ଓ ଚୀନଠାରୁ ବୈଷୟିକ ଏକ୍ସପର୍ଟ ଏବଂ ଟନେଲ ଉଦ୍ଧାରକାରୀ ଦଳର ସହାୟତା ମଧ୍ୟ ଲୋଡ଼ିଛି । ନେପାଳ ସରକାର ପ୍ରାକୃତିକ ବିପର୍ୟ୍ୟୟକୁ କେବଳ ରିଲିଫ ମାଗିବା ମଧ୍ୟରେ ସୀମିତ ନରଖି, ଏହାକୁ ପରିବେଶ ନ୍ୟାୟର ପ୍ରସଙ୍ଗ କରି ବିଶ୍ୱ ଦରବାରକୁ ନେବାକୁ ଚାହୁଁଛନ୍ତି । ଜାତିସଂଘ ମଞ୍ଚରେ ନେପାଳର ଏହି କ୍ଷତିପୂରଣ ଦାବି କେତେଦୂର ସଫଳ ହେଉଛି, ତାହା ଉପରେ ଏବେ ସମଗ୍ର ବିଶ୍ୱର ନଜର ରହିବ ।

Leave a Reply

Your email address will not be published. Required fields are marked *