ପିପିଲିରେ ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମହାକାଳପଡ଼ା ବ୍ଲକ୍‌ର ଟିଖିରୀ ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ପୁରୀ ଜିଲ୍ଲାର ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ବଜାରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।

ମହାକାଳପଡ଼ା ବ୍ଲକ୍‌ର ଟିଖିରୀ ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କୁ ପୁରୀ ଜିଲ୍ଲାର ପିପିଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ବଜାରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଜେଡି ଯୁବନେତା ବିରଜା ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ୩୦ରୁ ଅଧିକ ବିଜେଡି କର୍ମୀ ଓ ବହୁ ସଂଖ୍ୟକ ମହିଳା ଯୋଗଦେଇଥିଲେ । ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ କରତାଳି ମଧ୍ୟରେ ଚାମେଲି ଓଝାଙ୍କୁ ସ୍ୱାଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଆତ୍ରତାଣ ସାମନ୍ତରାୟ, ପିପିଲି ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ପ୍ରକାଶ କୁମାର ଧଳ, ସଜୁଆପୁର ପଞ୍ଚାୟତର ସମିତି ସଭ୍ୟ ଓ ଚନ୍ଦ୍ରାଦେଇପୁର ପଞ୍ଚାୟତର ବିଜେଡି କର୍ମୀ ନରହରି ସ୍ୱାଇଁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ସମ୍ବର୍ଦ୍ଧନା ଗ୍ରହଣ କରି ଚାମେଲି ଓଝା କହିଥିଲେ ଯେ, ତାଙ୍କ ନ୍ୟାୟ ପାଇଁ ଲଢ଼େଇକୁ ଓଡ଼ିଶାବାସୀ ଦେଖିଛନ୍ତି ଏବଂ ସବୁବେଳେ ସମର୍ଥନ ମଧ୍ୟ କରିଛନ୍ତି । ପିପିଲି ମାଟିରେ ମିଳିଥିବା ଏହି ସମ୍ମାନ ପାଇଁ ସେ ଜୀବନସାରା କୃତଜ୍ଞ ରହିବେ ବୋଲି ଭାବବିହ୍ୱଳ ହୋଇ ପ୍ରକାଶ କରିଥିଲେ । ସ୍ଥାନୀୟ ନେତା ଓ କର୍ମୀମାନେ ଚାମେଲି ଓଝାଙ୍କ ସଂଘର୍ଷ ଓ ଜନସେବାକୁ ପ୍ରଶଂସା କରି ତାଙ୍କୁ ଆଗାମୀ ଦିନରେ ମଧ୍ୟ ସାଧାରଣ ଲୋକଙ୍କ ସ୍ୱର ହୋଇ କାମ କରିବାକୁ ଆହ୍ୱାନ ଜଣାଇଥିଲେ । ପିପିଲିରେ ଚାମେଲି ଓଝାଙ୍କୁ ମିଳିଥିବା ଏହି ଭବ୍ୟ ସମ୍ବର୍ଦ୍ଧନା ଏବେ ସ୍ଥାନୀୟ ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ନ୍ୟାୟ ଲଢ଼େଇ ଓ ଜନସମର୍ଥନକୁ ନେଇ ଆଗାମୀ ଦିନରେ ରାଜନୀତି କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *