ସାଂସଦ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ଏବଂ ଅଧସ୍ତନ ଅଦାଲତଗୁଡ଼ିକରେ ୧ ବର୍ଷରୁ ଆରମ୍ଭ କରି ୩୦ ବର୍ଷରୁ ଅଧିକ ସମୟ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ବିବରଣୀ ମାଗିଥିଲେ ।
ଦେଶର ବିଭିନ୍ନ ଅଦାଲତରେ ବୃଦ୍ଧି ପାଉଥିବା ବିଚାରାଧୀନ ମାମଲାକୁ ନେଇ ରାଜ୍ୟସଭା ସାଂସଦ ଦିଲୀପ କୁମାର ରାୟ ଉଠାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସରକାର । ସାଂସଦ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ଏବଂ ଅଧସ୍ତନ ଅଦାଲତଗୁଡ଼ିକରେ ୧ ବର୍ଷରୁ ଆରମ୍ଭ କରି ୩୦ ବର୍ଷରୁ ଅଧିକ ସମୟ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ବିବରଣୀ ମାଗିଥିଲେ । ଏହାର ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ୧୬ ଜୁଲାଇ ୨୦୨୬ ସୁଦ୍ଧା ସମଗ୍ର ଦେଶରେ ମୋଟ ୫.୬୪ କୋଟିରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏହି ବିଶାଳ ସଂଖ୍ୟା ମଧ୍ୟରୁ କେବଳ ସୁପ୍ରିମକୋର୍ଟରେ ୯୬,୦୨୪ଟି ମାମଲା ଥିବାବେଳେ ବିଭିନ୍ନ ହାଇକୋର୍ଟରେ ୬୪.୭୨ ଲକ୍ଷ ଏବଂ ଜିଲ୍ଲା ତଥା ଅଧସ୍ତନ ଅଦାଲତଗୁଡ଼ିକରେ ସର୍ବାଧିକ ୪.୯୮ କୋଟି ମାମଲା ବିଚାର ଅପେକ୍ଷାରେ ରହିଛି ।
ଓଡ଼ିଶା ସମ୍ପର୍କିତ ତଥ୍ୟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୧,୬୯,୩୨୦ଟି ମାମଲା ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଅଧସ୍ତନ ଅଦାଲତଗୁଡ଼ିକରେ ୧୮,୬୮,୩୨୩ଟି ମାମଲା ବିଚାରାଧୀନ ରହିଛି।ମାମଲାଗୁଡ଼ିକର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ନ୍ୟାୟପାଳିକାଙ୍କ ଅଧୀନରେ ଥିଲେ ହେଁ, ସରକାର ଏହି ବିଚାରାଧୀନ ମାମଲାର ବୋଝ କମାଇବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଥିବା ଉତ୍ତରରେ କୁହାଯାଇଛି। ଏଥିରେ ଇ-କୋର୍ଟ ଫେଜ-୩ ପ୍ରକଳ୍ପର କାର୍ଯ୍ୟକାରିତା, ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ସ୍ଥାପନ, ଏରିୟର୍ସ କମିଟି ଗଠନ ଏବଂ ଲୋକ ଅଦାଲତ ସମେତ ବିକଳ୍ପ ବିବାଦ ସମାଧାନ (ADR) ବ୍ୟବସ୍ଥାକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି ।
ଏହି ପ୍ରସଙ୍ଗରେ ନିଜର ମତ ରଖି ସାଂସଦ ଦିଲୀପ କୁମାର ରାୟ କହିଛନ୍ତି ଯେ, ନ୍ୟାୟ ବ୍ୟବସ୍ଥା ଉପରେ ସାଧାରଣ ଜନତାଙ୍କ ବିଶ୍ୱାସ ବଜାୟ ରଖିବାକୁ ହେଲେ ଶୀଘ୍ର ନ୍ୟାୟ ପ୍ରଦାନ ଅତ୍ୟନ୍ତ ଜରୁରୀ। ସମୟୋପଯୋଗୀ ନ୍ୟାୟ ପ୍ରଦାନ ଦ୍ୱାରା ହିଁ ସାଧାରଣ ଲୋକେ ଉପକୃତ ହୋଇପାରିବେ। ସେ ଆଶା ପ୍ରକାଶ କରିଛନ୍ତି ଯେ ସରକାର ଓ ନ୍ୟାୟପାଳିକାଙ୍କ ମିଳିତ ପ୍ରୟାସ ଏବଂ ନିଆଯାଉଥିବା ପଦକ୍ଷେପ ଫଳରେ ଆଗାମୀ ଦିନରେ ବିଚାରାଧୀନ ମାମଲାର ଭାର ହ୍ରାସ ପାଇବ ଏବଂ ଲୋକମାନେ ନ୍ୟାୟ ପାଇବାରେ ସହଜ ହେବ ।

