ଜ୍ଞାନବାପି ,ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ସମ୍ଭଲ ମସଜିଦ ମାମଲା : ସୁପ୍ରିମକୋର୍ଟଙ୍କ ଆପୋଷ ବୁଝାମଣା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ବାରାଣସୀର ଜ୍ଞାନବାପି ମସଜିଦ ବିବାଦ, ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଈଦ୍‌ଗାହ ଜମି ବିବାଦ ଏବଂ ଉତ୍ତର ପ୍ରଦେଶର ସମ୍ଭଲ ଜାମା ମସଜିଦ ବିବାଦରେ, ଉଭୟ ହିନ୍ଦୁ ଏବଂ ମୁସଲିମ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରସ୍ତାବିତ ଆପୋଷ ବୁଝାମଣାରେ ବିବାଦ ସମାଧାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ମନା କରିଛନ୍ତି

ବାରାଣସୀର ଜ୍ଞାନବାପି ମସଜିଦ ବିବାଦ, ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ଈଦ୍‌ଗାହ ଜମି ବିବାଦ ଏବଂ ଉତ୍ତର ପ୍ରଦେଶର ସମ୍ଭଲ ଜାମା ମସଜିଦ ବିବାଦରେ, ଉଭୟ ହିନ୍ଦୁ ଏବଂ ମୁସଲିମ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରସ୍ତାବିତ ଆପୋଷ ବୁଝାମଣାରେ ବିବାଦ ସମାଧାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ମନା କରିଛନ୍ତି। ଉଭୟ ପକ୍ଷ କହିଛନ୍ତି ଯେ, ଏହି ମାମଲାଗୁଡ଼ିକୁ ଆଇନଗତ ଆଧାରରେ କୋର୍ଟରେ ସମାଧାନ କରାଯିବା ଉଚିତ୍। ସେମାନଙ୍କର ଯୁକ୍ତି ହେଉଛି, ଏହି ପ୍ରସଙ୍ଗଗୁଡ଼ିକ କେବଳ ଗୋଟିଏ ସ୍ଥାନରେ ସୀମିତ ନାହିଁ।

ଏହାର ପ୍ରଭାବ ସମଗ୍ର ସମ୍ପ୍ରଦାୟ ଉପରେ ଅନୁଭୂତ ହେବ।ସୁପ୍ରିମକୋର୍ଟ ପ୍ରଶାସନ ତିନୋଟି ମାମଲାର ସମସ୍ତ ପକ୍ଷଙ୍କୁ ଏକ ଚିଠି ପଠାଇଥିଲେ। ଯେଉଁଥିରେ ସୁପ୍ରିମ କୋର୍ଟ ଆକ୍ସନ ଫର ମେଡିଏଟେଡ୍ ଆଡଜୁଡିକେସନ୍ ଆଣ୍ଡ ଡିସ୍ପ୍ୟୁଟ୍ସ ହାର୍ମନାଇଜେସନ୍ ଆକ୍ରୋସ ନେସନ୍ସ (ସମାଧାନ ସମାରୋହ-୨୦୨୬) ଅନ୍ତର୍ଗତ ପାରସ୍ପରିକ ସହମତି ମାଧ୍ୟମରେ ସମାଧାନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପଦକ୍ଷେପ ଅଗଷ୍ଟ ୨୧ ରୁ ୨୩ ମଧ୍ୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଲୋକ ଅଦାଲତରେ ହେବାର ଥିଲା। ତେବେ ହିନ୍ଦୁ ଆବେଦନକାରୀ ଏବଂ ତିନୋଟି ମସଜିଦର ପରିଚାଳନା କମିଟି ସୁପ୍ରିମକୋର୍ଟ ଏବଂ ସମ୍ପୃକ୍ତ ରାଜ୍ୟ ତଥା ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି ଯେ, ସେମାନେ ମଧ୍ୟସ୍ଥତା ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ନୁହଁନ୍ତି।

ମାମଲାଗୁଡ଼ିକରେ ସାମିଲ ଥିବା ଆଇନଜୀବୀ ଏବଂ ପକ୍ଷମାନେ ଯୁକ୍ତି ଦେଇଛନ୍ତି ଯେ, ପୂଜାସ୍ଥଳର ମାଲିକାନା, ସାମ୍ବିଧାନିକ ଅଧିକାର ଏବଂ ବ୍ୟାପକ ଜନସ୍ୱାର୍ଥ ସହିତ ଜଡିତ ଏପରି ସମ୍ବେଦନଶୀଳ ମାମଲାଗୁଡ଼ିକ ଲୋକ ଅଦାଲତ କିମ୍ବା ମଧ୍ୟସ୍ଥତା ମାଧ୍ୟମରେ ନୁହେଁ, ବରଂ କୋର୍ଟ ଦ୍ୱାରା ନିଷ୍ପତ୍ତି ନିଆଯିବା ଉଚିତ୍। ମସଜିଦ ପରିଚାଳନା କମିଟିର ପ୍ରତିନିଧିମାନେ ମଧ୍ୟ କହିଛନ୍ତି ଯେ, ସେମାନେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରନ୍ତି କିନ୍ତୁ ଏହି ମାମଲାଗୁଡ଼ିକୁ ମଧ୍ୟସ୍ଥତାକୁ ପଠାଇବାକୁ ଅନିଚ୍ଛୁକ।

ଉଭୟ ପକ୍ଷଙ୍କ ଏହି ମତ ପରେ, ଅଗଷ୍ଟ ମାସରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଲୋକ ଅଦାଲତରେ ଏହି ହାଇ-ପ୍ରୋଫାଇଲ୍ ମାମଲାଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାର ସମ୍ଭାବନା ମଉଳି ଯାଇଛି। ଉଲ୍ଲେଖନୀୟ ଯେ, ସମାଧାନ ସମାରୋହ-୨୦୨୬ ଚଳିତ ବର୍ଷ ଏପ୍ରିଲରେ ଘୋଷଣା କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ବିଚାରାଧୀନ ମାମଲାଗୁଡ଼ିକର ସ୍ୱେଚ୍ଛାକୃତ ଏବଂ ସହମତିପୂର୍ଣ୍ଣ ସମାଧାନକୁ ସହଜ କରିବା।

Leave a Reply

Your email address will not be published. Required fields are marked *