ଗର୍ଭାବସ୍ଥାରେ କିଡନୀକୁ ମା’ ଓ ଗର୍ଭସ୍ଥ ଶିଶୁ—ଉଭୟଙ୍କ ଶରୀର ପାଇଁ ଅଧିକ ପରିମାଣର ରକ୍ତକୁ ଫିଲ୍ଟର କରିବାକୁ ପଡ଼େ । ଏହି କାରଣରୁ କିଡନୀ ଉପରେ ଚାପ ବଢ଼ିଯାଏ ।
ଗର୍ଭାବସ୍ଥାରେ କିଡନୀକୁ ମା’ ଓ ଗର୍ଭସ୍ଥ ଶିଶୁ—ଉଭୟଙ୍କ ଶରୀର ପାଇଁ ଅଧିକ ପରିମାଣର ରକ୍ତକୁ ଫିଲ୍ଟର କରିବାକୁ ପଡ଼େ । ଏହି କାରଣରୁ କିଡନୀ ଉପରେ ଚାପ ବଢ଼ିଯାଏ । ଯଦି ପୂର୍ବରୁ ଉଚ୍ଚ ରକ୍ତଚାପ, ଡାଇବେଟିସ୍, କିଡନୀ ରୋଗ କିମ୍ବା ଅଧିକ ଓଜନ ଭଳି ସମସ୍ୟା ଥାଏ, ତେବେ ଗର୍ଭାବସ୍ଥାରେ କିଡନୀ ଜଟିଳତାର ଆଶଙ୍କା ଆହୁରି ବଢ଼ିଯାଏ । ବୟସ ଅଧିକ ହେବା ପରେ ଗର୍ଭଧାରଣ କରିଲେ ମଧ୍ୟ ଏହି ବିପଦ ବୃଦ୍ଧି ପାଇପାରେ । କିଡନୀ ସମସ୍ୟାର କିଛି ସାଧାରଣ ଲକ୍ଷଣ ହେଉଛି ଶରୀର, ହାତ କିମ୍ବା ପାଦରେ ଅସ୍ୱାଭାବିକ ଫୁଲା, ପରିସ୍ରାରେ ରକ୍ତ କିମ୍ବା ପ୍ରୋଟିନ୍, ବାରମ୍ବାର ଉଚ୍ଚ ରକ୍ତଚାପ, ପରିସ୍ରାରେ ସଂକ୍ରମଣ ଏବଂ କିଡନୀ ଷ୍ଟୋନ୍। ଏହି ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ତୁରନ୍ତ ନେଫ୍ରୋଲୋଜିଷ୍ଟ କିମ୍ବା ପ୍ରସୂତି ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।
ସମୟରେ ଚିହ୍ନଟ ଓ ଚିକିତ୍ସା ହେଲେ ଗୁରୁତର ପରିସ୍ଥିତିକୁ ଏଡ଼ାଇ ହେବ । ଡାକ୍ତରମାନଙ୍କ ପରାମର୍ଶ ଅନୁସାରେ ଗର୍ଭାବସ୍ଥାରେ ନିୟମିତ ଆଣ୍ଟିନେଟାଲ୍ ଚେକ୍-ଅପ୍ ସହ କିଡନୀ ଫଙ୍କସନ୍ ଟେଷ୍ଟ, ୟୁରିନ୍ ପରୀକ୍ଷା, ପ୍ରୋଟିନ୍-କ୍ରିଏଟିନିନ୍ ରେସିଓ ପରୀକ୍ଷା ଓ ଆବଶ୍ୟକ ହେଲେ ଅଲ୍ଟ୍ରାସାଉଣ୍ଡ କରାଇବା ଜରୁରୀ । ଡାକ୍ତରଙ୍କ ପରାମର୍ଶ ବିନା ପେନକିଲର୍ କିମ୍ବା ହର୍ବାଲ୍ ଔଷଧ ସେବନ କରିବା ଉଚିତ ନୁହେଁ। ଧୂମପାନ, ମଦ୍ୟପାନ ଓ ନିଶାଦ୍ରବ୍ୟଠାରୁ ଦୂରେ ରହିବା ସହ ସନ୍ତୁଳିତ ଖାଦ୍ୟ ଓ ସୁସ୍ଥ ଓଜନ ବଜାୟ ରଖିବା ମଧ୍ୟ ଅତ୍ୟନ୍ତ ଜରୁରୀ ।
ବିଶେଷଜ୍ଞମାନଙ୍କ ମତରେ, ସମସ୍ତ କିଡନୀ ରୋଗକୁ ରୋକିବା ସମ୍ଭବ ନ ହେଲେ ମଧ୍ୟ, ସଚେତନତା ଓ ନିୟମିତ ଚିକିତ୍ସା ଦ୍ୱାରା ବିପଦକୁ ବହୁ ପରିମାଣରେ କମାଯାଇପାରେ । ଯେଉଁ ମହିଳାଙ୍କର ପୂର୍ବରୁ କିଡନୀ ରୋଗ ରହିଛି କିମ୍ବା କିଡନୀ ପ୍ରତ୍ୟାରୋପଣ ହୋଇଛି, ସେମାନେ ଗର୍ଭଧାରଣ ପୂର୍ବରୁ ଓ ଗର୍ଭାବସ୍ଥାରେ ନିୟମିତ ବିଶେଷଜ୍ଞଙ୍କ ନିରୀକ୍ଷଣରେ ରହିବା ଉଚିତ। ଏହା ମା’ ଓ ଶିଶୁ ଉଭୟଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ଆବଶ୍ୟକ ।

