ପ୍ରଥମ ଗେମ୍ରେ ୨-୨ ସ୍ଥିତିରୁ ସେ ୬-୨ରେ ଆଗୁଆ ହୋଇଥିଲେ। ପରେ ଲଗାତାର ୫ ପଏଣ୍ଟ୍ ହାସଲ କରି ୧୩-୬ରେ ପହଞ୍ଚିଥିଲେ। ଶେଷରେ ୨୧-୧୩ରେ ଗେମ୍ ଜିତି ଅଗ୍ରଣୀ ନେଇଥିଲେ।
ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ଅସ୍ମିତା ଚାଲିହା କୋରିଆ ମାଷ୍ଟର୍ସ ସୁପର୍ ୩୦୦ର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶନିବାରର ସେମିଫାଇନାଲ୍ରେ ସେ ନିଜ ଦେଶର ୧୯ ବର୍ଷୀୟା ଖେଳାଳି ରକ୍ଷିତା ଶ୍ରୀସନ୍ତୋଷ ରାମରାଜଙ୍କୁ ୨୧-୧୩, ୧୬-୨୧, ୨୧-୧୩ ଗେମ୍ରେ ପରାସ୍ତ କରିଛନ୍ତି। ଏଥିସହ ପ୍ରଥମଥର ପାଇଁ କୌଣସି ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ପ୍ରତିଯୋଗିତାର ଫାଇନାଲ୍ରେ ପହଞ୍ଚିବାର ଗୌରବ ହାସଲ କରିଛନ୍ତି। ୪୮ ମିନିଟ୍ ଧରି ଚାଲିଥିବା ଏହି ମ୍ୟାଚ୍ରେ ଅସ୍ମିତା ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲେ।
ପ୍ରଥମ ଗେମ୍ରେ ୨-୨ ସ୍ଥିତିରୁ ସେ ୬-୨ରେ ଆଗୁଆ ହୋଇଥିଲେ। ପରେ ଲଗାତାର ୫ ପଏଣ୍ଟ୍ ହାସଲ କରି ୧୩-୬ରେ ପହଞ୍ଚିଥିଲେ। ଶେଷରେ ୨୧-୧୩ରେ ଗେମ୍ ଜିତି ଅଗ୍ରଣୀ ନେଇଥିଲେ। ଦ୍ୱିତୀୟ ଗେମ୍ରେ ରକ୍ଷିତା ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ୪-୧ରେ ଆଗୁଆ ହେବା ପରେ ସେ ୧୨-୬ରେ ପହଞ୍ଚିଥିଲେ। କିନ୍ତୁ ଅସ୍ମିତା ଜୋରଦାର ଲଢ଼େଇ କରି ସ୍କୋର୍କୁ ୧୩-୧୨ କରିଥିଲେ ମଧ୍ୟ ରକ୍ଷିତା ଶେଷରେ ଏହାକୁ ୨୧-୧୬ରେ ଜିତି ମ୍ୟାଚ୍କୁ ତୃତୀୟ ଗେମ୍କୁ ନେଇଥିଲେ। ତେବେ ନିର୍ଣ୍ଣାୟକ ଗେମ୍ରେ ଅସ୍ମିତା ପୁଣି ନିଜ ଦବଦବା ଜାହିର କରିଥିଲେ। ଆରମ୍ଭରୁ ୮-୧ରେ ଆଗୁଆ ହୋଇ ରକ୍ଷିତାଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଏହି ଅଗ୍ରଣୀକୁ ଶେଷ ପର୍ଯ୍ୟନ୍ତ ବଜାୟ ରଖି ୨୧-୧୩ରେ ଗେମ୍ ଜିତିବା ସହ ମ୍ୟାଚ୍ ନିଜ ନାମରେ କରି ନେଇଥିଲେ।

