କୋରିଆ ଉପଦ୍ୱୀପରେ ଚାଲିଥିବା କୂଟନୈତିକ ଅଚଳାବସ୍ଥା ମଧ୍ୟରେ, ଉତ୍ତର କୋରିଆ ପୁଣି ଥରେ ଏକ ବଡ଼ ସାମରିକ ଉତ୍ତେଜନା ସୃଷ୍ଟି କରିଛି। ସୋମବାର ଉତ୍ତର କୋରିଆ ଏହାର ପୂର୍ବ ସାଗର ଆଡ଼କୁ ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।
କୋରିଆ ଉପଦ୍ୱୀପରେ ଚାଲିଥିବା କୂଟନୈତିକ ଅଚଳାବସ୍ଥା ମଧ୍ୟରେ, ଉତ୍ତର କୋରିଆ ପୁଣି ଥରେ ଏକ ବଡ଼ ସାମରିକ ଉତ୍ତେଜନା ସୃଷ୍ଟି କରିଛି। ସୋମବାର ଉତ୍ତର କୋରିଆ ଏହାର ପୂର୍ବ ସାଗର ଆଡ଼କୁ ଅନେକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆ ସାମରିକ ବାହିନୀ ଏବଂ ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ନିଶ୍ଚିତ କରିଛନ୍ତି। କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଦକ୍ଷିଣ କୋରିଆ-ଜାପାନ ସଜାଗ ରହି ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ସ ଅଫ୍ ଷ୍ଟାଫ୍ ଦ୍ୱାରା ଜାରି ବିବୃତି ଅନୁଯାୟୀ, ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରୁ କ୍ଷେପଣାସ୍ତ୍ରଗୁଡ଼ିକ ନିକ୍ଷେପ କରାଯାଇଥିବା ଅନୁମାନ କରାଯାଉଛି।
ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ପରୀକ୍ଷଣ ପରେ ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର (ଇଇଜେଡ) ବାହାରେ ସମୁଦ୍ରରେ ପଡ଼ିଥିବା ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ଚିହ୍ନଟ କରାଯାଇଛି।ଶୁକ୍ରବାର ଦକ୍ଷିଣ କୋରିଆ ପ୍ରଥମ ସ୍ୱଦେଶୀ ହାଇପରସୋନିକ୍ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷଣ କରିବାର ତିନି ଦିନ ପରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନଙ୍କ ନିର୍ଦ୍ଦେଶରେ ଏହି ପରୀକ୍ଷଣ କରାଯାଇଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗ କହିଛନ୍ତି ଯେ ଶବ୍ଦର ଗତି ମାଚ୍ ୫ ପ୍ଲସ୍ ଠାରୁ ପାଞ୍ଚ ଗୁଣା ଅଧିକ ବେଗରେ ଉଡ଼ିପାରୁଥିବା ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ଦେଶର ପାରମ୍ପରିକ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ନିରନ୍ତର ଭାବରେ ତାଙ୍କର ପରମାଣୁ ଅସ୍ତ୍ର କାର୍ଯ୍ୟକ୍ରମ ଏବଂ ଉନ୍ନତ କ୍ଷେପଣାସ୍ତ୍ର ପ୍ରଣାଳୀ ପ୍ରଦର୍ଶନ କରିଆସୁଛନ୍ତି। ଏହା ପୂର୍ବରୁ ଅକ୍ଟୋବର ୩ ତାରିଖରେ ଉତ୍ତର କୋରିଆ ଏକ ହାଇପରସୋନିକ୍ ମଧ୍ୟମ-ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା।

