ବଣଭୋଜି ଓ ବୁଲାବୁଲି ହେଲା କାଳ । ସାଙ୍ଗମାନଙ୍କ ସହ କୁଠିଖୋଳ ଓ ଝାଞ୍ଜ ପାହାଡ଼ ବୁଲିବାକୁ ଯାଇ ରାସ୍ତା ଭୁଲି ନିଖୋଜ ହୋଇଥିଲେ ଦୁଇ ଯୁବକ । ପ୍ରାୟ ୨୦ ଘଣ୍ଟାର ଅପରେସନ ପରେ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମିଳିତ ପ୍ରୟାସରେ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।
ବଣଭୋଜି ଓ ବୁଲାବୁଲି ହେଲା କାଳ । ସାଙ୍ଗମାନଙ୍କ ସହ କୁଠିଖୋଳ ଓ ଝାଞ୍ଜ ପାହାଡ଼ ବୁଲିବାକୁ ଯାଇ ରାସ୍ତା ଭୁଲି ନିଖୋଜ ହୋଇଥିଲେ ଦୁଇ ଯୁବକ । ପ୍ରାୟ ୨୦ ଘଣ୍ଟାର ଅପରେସନ ପରେ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମିଳିତ ପ୍ରୟାସରେ ଉଭୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପଦ୍ମପୁର ଉପଖଣ୍ଡର ଝାଞ୍ଜ ପାହାଡ଼ରୁ ଆସିଛି ଏହି ଘଟଣା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବରିହାପାଲି ପଞ୍ଚାୟତର ଝାଞ୍ଜ ପାହାଡ଼ରେ ମଙ୍ଗଳବାର ଘଟିଥିଲା ଏକ ଚିନ୍ତାଜନକ ଘଟଣା । କନସିଂହା ଗ୍ରାମର ୯ ଜଣ ଯୁବକ କୁଠିଖୋଳ ଓ ଝାଞ୍ଜ ପାହାଡ଼ ବୁଲିବାକୁ ଯାଇଥିବାବେଳେ, ସେମାନଙ୍କ ମଧ୍ୟରୁ ରାଜ ମଲ୍ଲିକ ଓ ଗଣେଶ ଡୁଡୁକା ଦଳଠାରୁ ଅଲଗା ହୋଇ ନିଖୋଜ ହୋଇଯାଇଥିଲେ ।
ଦୀର୍ଘ ସମୟ ଧରି ଉଭୟଙ୍କର କୌଣସି ସନ୍ଧାନ ମିଳିନଥିବାରୁ ସାଙ୍ଗମାନେ ଓ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଏହାପରେ ବନ କର୍ମଚାରୀ, ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବୀଙ୍କ ସହଯୋଗରେ ରାତିସାରା ଚାଲିଥିଲା ବ୍ୟାପକ ଖୋଜାଖୋଜି । ପ୍ରାୟ ୨୦ ଘଣ୍ଟାର ଅପରେସନ ପରେ ଉଭୟ ଯୁବକଙ୍କୁ ପାହାଡ଼ିଆ ଅଞ୍ଚଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ପରିବାର ଲୋକେ ଓ ଗ୍ରାମବାସୀ ଆଶ୍ୱସ୍ତ ହୋଇଥିବା ବେଳେ, ବନ ବିଭାଗର ତତ୍ପରତାକୁ ପ୍ରଶଂସା କରିଛନ୍ତି । ପର୍ଯ୍ୟଟନ ସ୍ଥଳ କିମ୍ବା ଜଙ୍ଗଲିଆ ଅଞ୍ଚଳକୁ ବୁଲିବାକୁ ଯିବା ବେଳେ ସୁରକ୍ଷା ନିୟମ ପାଳନ କରିବା, ଦଳଠାରୁ ଅଲଗା ନହେବା ଏବଂ ବିପଦପୂର୍ଣ୍ଣ ସ୍ଥାନକୁ ଏକାକୀ ନଯିବା ପାଇଁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

