କପୁର ପରିବାରରେ ବାଜିବ ଶାହାନାଇ । ପ୍ରଯୋଜକ ବୋନି କପୁରଙ୍କ ଝିଅ ଅଂଶୁଲା କପୁର ଆଜି ତାଙ୍କ ଦୀର୍ଘଦିନର ସାଥୀ ରୋହନ ଠାକ୍କରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ।
କପୁର ପରିବାରରେ ବାଜିବ ଶାହାନାଇ । ପ୍ରଯୋଜକ ବୋନି କପୁରଙ୍କ ଝିଅ ଅଂଶୁଲା କପୁର ଆଜି ତାଙ୍କ ଦୀର୍ଘଦିନର ସାଥୀ ରୋହନ ଠାକ୍କରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ଡେଟିଂ ଆପ୍ରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଏବେ ପହଞ୍ଚିଛି ସାତ ଜନ୍ମର ସମ୍ପର୍କ ପର୍ଯ୍ୟନ୍ତ । ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ହେବ ଏହି ବହୁଚର୍ଚ୍ଚିତ ବିବାହ । ଦେଖନ୍ତୁ ଏହି ରିପୋର୍ଟ..
ବଲିଉଡର ଚର୍ଚ୍ଚିତ କପୁର ପରିବାରରେ ଉତ୍ସବର ମାହୋଲ । ବୋନି କପୁରଙ୍କ ବଡ଼ ଝିଅ ଅଂଶୁଲା କପୁର ଆଜି ତାଙ୍କ ଲଙ୍ଗ୍-ଟାଇମ୍ ବୟଫ୍ରେଣ୍ଡ ରୋହନ ଠାକ୍କରଙ୍କ ସହ ବିବାହ କରୁଛନ୍ତି । ପରିବାର ପକ୍ଷରୁ ବିବାହକୁ ବ୍ୟକ୍ତିଗତ ରଖାଯାଇଥିଲେ ମଧ୍ୟ, ଏହାକୁ ନେଇ ଅନେକ ରୋଚକ ସୂଚନା ସାମ୍ନାକୁ ଆସିଛି । ମୁମ୍ବାଇର ତାଜ୍ ଲ୍ୟାଣ୍ଡସ୍ ଏଣ୍ଡ୍ ହୋଟେଲରେ ବିବାହ ଅନୁଷ୍ଠିତ ହେବ। ସମସ୍ତ ବିବାହ ରୀତିନୀତି ଗୋଟିଏ ଦିନରେ ଶେଷ ହେବା ପରେ ଅତିଥିମାନଙ୍କ ପାଇଁ ଏକ କକଟେଲ୍ ପାର୍ଟିର ଆୟୋଜନ ମଧ୍ୟ ରହିଛି । ବିବାହରେ କପୁର ପରିବାରର ସଦସ୍ୟଙ୍କ ସହ ବଲିଉଡର ଅନେକ ନାମୀ ତାରକା ଯୋଗଦେବେ ବୋଲି ଆଶା କରାଯାଉଛି । ଅର୍ଜୁନ କପୁର, ଜାହ୍ନବୀ କପୁର, ଖୁସି କପୁର, ସୋନମ କପୁର, ରିୟା କପୁର ଓ ପରିବାରର ଅନ୍ୟ ସଦସ୍ୟମାନେ ପୂର୍ବରୁ ବିବାହ ଉତ୍ସବରେ ସାମିଲ ହୋଇଛନ୍ତି । ମାତା କି ଚୌକି, ମେହେନ୍ଦି ଓ ଚୁଡ଼ା ଭଳି ରୀତିନୀତି ସମ୍ପନ୍ନ ହୋଇସାରିଛି । ସୋନମ କପୁର ମେହେନ୍ଦି ଉତ୍ସବର ଝଲକ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଅଂଶୁଲା ଓ ରୋହନଙ୍କ ପ୍ରେମ କାହାଣୀ କୌଣସି ସିନେମାଠାରୁ କମ୍ ନୁହେଁ । ୨୦୨୨ରେ ଏକ ଡେଟିଂ ଆପ୍ରେ ଦୁହିଁଙ୍କ ପ୍ରଥମ ପରିଚୟ ହୋଇଥିଲା । ଧୀରେ ଧୀରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ୨୦୨୫ରେ ନ୍ୟୁୟର୍କର ସେଣ୍ଟ୍ରାଲ ପାର୍କରେ ରୋହନ, ଅଂଶୁଲାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ । ରୋହନ ଠାକ୍କର ପେଶାରେ ଜଣେ ସ୍କ୍ରିନ୍ରାଇଟର ଏବଂ ଧର୍ମାଟିକ୍ ଏଣ୍ଟରଟେନମେଣ୍ଟ ସହ ଜଡ଼ିତ । ଅନ୍ୟପଟେ ଅଂଶୁଲା କପୁର ଜଣେ ଉଦ୍ୟୋଗୀ ଏବଂ ସମ୍ପ୍ରତି ଏକ ରିଆଲିଟି ଶୋ’ରେ ନଜର ଆସିବା ପରେ ତାଙ୍କ ଲୋକପ୍ରିୟତା ଆହୁରି ବଢ଼ିଛି । ଡେଟିଂ ଆପ୍ରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଆଜି ବିବାହର ପବିତ୍ର ବନ୍ଧନରେ ପରିଣତ ହେଉଛି । କପୁର ପରିବାରର ଏହି ଖୁସିର ମୁହୂର୍ତ୍ତକୁ ନେଇ ବଲିଉଡରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିବାବେଳେ, ଅଂଶୁଲା ଓ ରୋହନଙ୍କ ବିବାହର ପ୍ରଥମ ଝଲକକୁ ଅପେକ୍ଷା କରି ରହିଛନ୍ତି ପ୍ରଶଂସକ ।

