ସ୍କଟଲାଣ୍ଡର ଗ୍ଲୋସଗୋରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଦ ହାଇଡ୍ରୋ ଇନ୍ଡୋର ଷ୍ଟାଡିୟମରେ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବ ଭାରତୀୟ ସମୟ ରାତି ୧୦ଟା ୩୦ ମିନିଟରୁ ଆରମ୍ଭ ହେବ ।
ସ୍କଟଲାଣ୍ଡର ଗ୍ଲୋସଗୋରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ୨୩ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା । ଦ ହାଇଡ୍ରୋ ଇନ୍ଡୋର ଷ୍ଟାଡିୟମରେ କ୍ରୀଡ଼ାର ଉଦ୍ଘାଟନୀ ଉତ୍ସବ ଭାରତୀୟ ସମୟ ରାତି ୧୦ଟା ୩୦ ମିନିଟରୁ ଆରମ୍ଭ ହେବ । ଦୀର୍ଘ ୯୬ ବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଇତିହାସରେ ପ୍ରଥମ ଥର ଉଦଘାଟନୀ ଓ ଉଦ୍ଯାପନୀ ଉତ୍ସବ ଇନ୍ଡୋରରେ ଆୟୋଜିତ ହେଉଛି । ଅଷ୍ଟ୍ରେଲିଆର ଭିକ୍ଟୋରିଆ ସହର ୨୦୨୬ ସଂସ୍କରଣର ଆୟୋଜକ ଥିଲା କିନ୍ତୁ ୨୦୨୩ରେ କ୍ରୀଡ଼ା ଆୟୋଜନରୁ ଓହରି ଯିବାରୁ ଶେଷ ମୁହୂର୍ତ୍ତରେ ସ୍କଟଲାଣ୍ଡ କ୍ରୀଡ଼ା ଆୟୋଜନ କରିବା ନେଇ ସହମତି ପ୍ରକାଶ କରିଥିଲା । ତେଣୁ କ୍ରୀଡ଼ାର ଆକାରକୁ ଏଥର ସୀମିତ କରାଯାଇଛି । ମାତ୍ର ୧୦ଟି କ୍ରୀଡ଼ାରେ ୨୧୫ଟି ଇଭେଣ୍ଟ ଆୟୋଜିତ ହେବ । ତେଣୁ ୭୪ଟି ରାଜ୍ୟଗୋଷ୍ଠୀ ଦେଶରୁ ୩୦୦୦ କ୍ରୀଡ଼ାବିତ ଅଂଶ ଗ୍ରହଣ କରିବେ ।
କ୍ରୀଡ଼ାବିତମାନଙ୍କ ରହିବା ପାଇଁ ଏଥର କ୍ରୀଡ଼ା ଗ୍ରାମ ନିର୍ମାଣ ହୋଇନି । ବିଭିନ୍ନ ସ୍ଥାନରେ କ୍ରୀଡ଼ାବିତଙ୍କ ରହିବାର ବ୍ୟବସ୍ଥା କରିଛନ୍ତି ଆୟୋଜକ । ଦ ହାଇଡ୍ରୋ ଏକ ବହୁମୁଖୀ ଇନ୍ଡୋର ଷ୍ଟାଡିୟମ । ସ୍କଟଲାଣ୍ଡ ଗାୟିକା କେଟି ଟୁନଷ୍ଟଲ ଉଦଘାଟନୀରେ ମୁଖ୍ୟ ଆକର୍ଷଣ ସାଜିବେ । ବ୍ରିଟିଶ ରାଜ ପରିବାର ସଦସ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ ଏହି ସଂସ୍କରଣ ହେଉଛି ପ୍ରଥମ କ୍ରୀଡ଼ା, ଯେଉଁଥିରେ ରାଜା ଚାର୍ଲ୍ସ ତୃତୀୟ ରାଜ୍ୟଗୋଷ୍ଠୀଙ୍କ ମୁଖିଆ ହେବେ । ଏହାକୁ ମିଶାଇ ଚତୁର୍ଥ ଥର ସ୍କଟଲାଣ୍ଡ କ୍ରୀଡ଼ା ଆୟୋଜନ କରୁଛି । ପୂର୍ବରୁ ୧୯୭୦, ୧୯୮୬ ଓ ୨୦୧୪ରେ ସଫଳତାର ସହ ଆୟୋଜନ କରିଥିଲା । ୧୨୫ ଜଣିଆ ଭାରତୀୟ ଦଳ ଏଥର କ୍ରୀଡ଼ାରେ ଭାଗ ନେଉଛି । ଉଦ୍ଘାଟନୀ ଉତ୍ସବରେ ମହିଳା ଭାରୋତ୍ତୋଳକ ମୀରାବାଈ ଚାନୁ ଓ ବକ୍ସର ଲଭ୍ଲିନା ବୋର୍ଗୋହେଁ ତ୍ରିରଙ୍ଗା ଧାରଣ କରି ଦଳର ନେତୃତ୍ୱ ନେବେ । ରୋହିତ ରାଜପଲ ଦଳର ଚିଫ୍ ଡି ମିଶନ ଏବଂ ରବି ବେଙ୍ଗାନୀ ଡେପୁଟି ଚିଫ୍ ଡି ମିଶନ ନିଯୁକ୍ତ ହୋଇଛନ୍ତି ।

