ଆସନ୍ତା ୧୯ ଅକ୍ଟୋବର ୨୦୨୬ରୁ ଏହି ତିନୋଟି ଯୋଜନା ଉପଲବ୍ଧ ହେବାକୁ ଯୋଜନା ରହିଛି। ଏନେଇ ଅକ୍ଟୋବର ୧୨ ତାରିଖରେ ଏଲଆଇସି ପକ୍ଷରୁ ଦାଖଲ କରାଯାଇଥିବା ଫାଇଲିଂରେ ସୂଚନା ଦିଆଯାଇଛି।
ଏଲଆଇସି ଗ୍ରାହକଙ୍କ ପାଇଁ ବଡ଼ ଖବର। ଅବସର ପରେ ନିୟମିତ ଆୟ, ହସ୍ପିଟାଲରେ ଚିକିତ୍ସା ସମୟରେ ଆର୍ଥିକ ସହାୟତା ଏବଂ କ୍ୟାନ୍ସର ଭଳି ଗୁରୁତର ରୋଗର ଚିକିତ୍ସା ଖର୍ଚ୍ଚକୁ ନଜରରେ ରଖି ତିନୋଟି ନୂଆ ବୀମା ଯୋଜନା ଆଣିବାକୁ ଯାଉଛି ଭାରତୀୟ ଜୀବନ ବୀମା ନିଗମ (LIC)। ଆସନ୍ତା ୧୯ ଅକ୍ଟୋବର ୨୦୨୬ରୁ ଏହି ତିନୋଟି ଯୋଜନା ଉପଲବ୍ଧ ହେବାକୁ ଯୋଜନା ରହିଛି। ଏନେଇ ଅକ୍ଟୋବର ୧୨ ତାରିଖରେ ଏଲଆଇସି ପକ୍ଷରୁ ଦାଖଲ କରାଯାଇଥିବା ଫାଇଲିଂରେ ସୂଚନା ଦିଆଯାଇଛି।
ଏହି ନୂଆ ଯୋଜନାଗୁଡ଼ିକ ହେଉଛି ନ୍ୟୁ ଜୀବନ ଧାରା-II (ପ୍ଲାନ୍ ୮୯୨), ହେଲ୍ଥ ସିଲ୍ଡ (ପ୍ଲାନ୍ ୯୦୭) ଏବଂ ନ୍ୟୁ କ୍ୟାନ୍ସର କଭର (ପ୍ଲାନ୍ ୯୦୮)। ତିନୋଟି ଯୋଜନା ଭିନ୍ନ ଭିନ୍ନ ଆବଶ୍ୟକତା ପୂରଣ କରିବା ଉପରେ ଗୁରୁତ୍ୱ ଦେବ।
ଜୀବନସାରା ପେନ୍ସନ୍ ଦେବ ନ୍ୟୁ ଜୀବନ ଧାରା-II
ଅବସର ପରେ ନିୟମିତ ଆୟ ଚାହୁଁଥିବା ଲୋକଙ୍କ ପାଇଁ ଏହି ଯୋଜନା ଉପଯୋଗୀ ହୋଇପାରେ। ଏହା ଏକ ଡିଫର୍ଡ ଆନୁଇଟି ପ୍ଲାନ୍। ଅର୍ଥାତ୍, ନିର୍ଦ୍ଧାରିତ ସମୟ ପରେ ପେନ୍ସନ୍ ପାଇବାର ସୁଯୋଗ ମିଳିବ। ପଲିସି କିଣିବା ସମୟରେ ପେନ୍ସନ୍ ଦର ସ୍ଥିର ହେବ। ଗ୍ରାହକ ଏକକ ପ୍ରିମିୟମ୍ କିମ୍ବା ନିୟମିତ ପ୍ରିମିୟମ୍ ଦେବାର ବିକଳ୍ପ ବାଛିପାରିବେ। ଏଥିରେ ସିଙ୍ଗଲ୍ ଲାଇଫ୍ ଓ ଜଏଣ୍ଟ ଲାଇଫ୍ ଆନୁଇଟି ସୁବିଧା ମଧ୍ୟ ରହିଛି। ଏହି ଯୋଜନାକୁ ୧୮ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ବ୍ୟକ୍ତି କିଣିପାରିବେ।
ହସ୍ପିଟାଲରେ ଭର୍ତ୍ତି ହେଲେ ମିଳିବ ଆର୍ଥିକ ସହାୟତା
ହେଲ୍ଥ ସିଲ୍ଡ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା। ଏହା ଅଧୀନରେ ଯୋଗ୍ୟ ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରତିଦିନ ନିର୍ଦ୍ଧାରିତ ରାଶି ମିଳିବ। ଏହା ସହ କିଛି ବଡ଼ ଅସ୍ତ୍ରୋପଚାର ଓ ଗୁରୁତର ରୋଗ ପାଇଁ ମଧ୍ୟ ଅର୍ଥ ପ୍ରଦାନର ବ୍ୟବସ୍ଥା ରହିଛି। ଏହି ପ୍ଲାନ୍ର ଅବଧି ଓ ପ୍ରିମିୟମ୍ ପ୍ରଦାନ ସମୟ ୧୫ ବର୍ଷ ରହିଛି। ୧୮ରୁ ୬୫ ବର୍ଷ ବୟସର ବ୍ୟକ୍ତି ଏହାକୁ କିଣିପାରିବେ। ୯୦ ଦିନରୁ ୨୦ ବର୍ଷ ବୟସର ପିଲାଙ୍କୁ ମଧ୍ୟ ଅତିରିକ୍ତ ବୀମାଭୁକ୍ତ ସଦସ୍ୟ ଭାବେ ସାମିଲ କରାଯାଇପାରିବ।
କ୍ୟାନ୍ସର ଚିକିତ୍ସା ପାଇଁ ନ୍ୟୁ କ୍ୟାନ୍ସର କଭର
ଏହି ଯୋଜନାରେ ପ୍ରାରମ୍ଭିକ ପର୍ଯ୍ୟାୟର କ୍ୟାନ୍ସର ଚିହ୍ନଟ ହେଲେ ବୀମା ରାଶିର ୨୫ ପ୍ରତିଶତ ଏବଂ ନିର୍ଦ୍ଧାରିତ ଗୁରୁତର ପର୍ଯ୍ୟାୟରେ ୧୦୦ ପ୍ରତିଶତ ରାଶି ପ୍ରଦାନର ବ୍ୟବସ୍ଥା ରହିଛି। ଗୁରୁତର ଅବସ୍ଥାରେ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ବୀମା ରାଶିର ୧ ପ୍ରତିଶତ ମଧ୍ୟ ମିଳିବ। ଏହା ସହ ଭବିଷ୍ୟତର ପ୍ରିମିୟମ୍ ଛାଡ଼ ସୁବିଧା ରହିଛି। ୧୮ରୁ ୬୫ ବର୍ଷ ବୟସର ବ୍ୟକ୍ତି ଏହି ପଲିସି କିଣିପାରିବେ। ବୟସ ଅନୁସାରେ ସର୍ବନିମ୍ନ ବୀମା ରାଶି ୧୫ ଲକ୍ଷରୁ ୩୫ ଲକ୍ଷ ଟଙ୍କା ରହିଥିବାବେଳେ ସର୍ବାଧିକ ସୀମା ୫୦ ଲକ୍ଷ ଟଙ୍କା।
ତେବେ ଏହି ଯୋଜନାଗୁଡ଼ିକ କିଣିବା ପୂର୍ବରୁ ପ୍ରିମିୟମ୍, ସର୍ତ୍ତାବଳୀ, ଅପବାଦ ଏବଂ ଦାବି ପ୍ରଦାନର ନିୟମ ଭଲଭାବେ ଯାଞ୍ଚ କରିବା ଜରୁରୀ।

