ଅନଲାଇନ୍ରେ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର । ମହାରାଷ୍ଟ୍ରରେ Blinkit, Zepto ଓ Instamart ସମେତ ବିଭିନ୍ନ କ୍ୱିକ୍-କମର୍ସ ଷ୍ଟୋର ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବା FDA ।
ଅନଲାଇନ୍ରେ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର । ମହାରାଷ୍ଟ୍ରରେ Blinkit, Zepto ଓ Instamart ସମେତ ବିଭିନ୍ନ କ୍ୱିକ୍-କମର୍ସ ଷ୍ଟୋର ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବା FDA । ଅଗଷ୍ଟ ୧୩ରେ ରାଜ୍ୟବ୍ୟାପୀ ଯାଞ୍ଚ ସମୟରେ ଅନଲାଇନ୍ ଫୁଡ୍ ଡେଲିଭରୀ ସହ ଜଡ଼ିତ ୮୬ଟି ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିଲା । ଏଥିରୁ ୧୪ଟି ଫୁଡ୍ ବିଜନେସ୍ ଲାଇସେନ୍ସ ତୁରନ୍ତ ସସ୍ପେଣ୍ଡ କରାଯାଇଛି ।
ଏଥିରେ Blinkitର ୫ଟି, Zeptoର ୫ଟି ଏବଂ Instamartର ୨ଟି ୟୁନିଟ୍ ସାମିଲ ଅଛି । ଏହାଛଡ଼ା ଆଉ ଦୁଇଟି ପ୍ରତିଷ୍ଠାନ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି । ଯାଞ୍ଚ ବେଳେ କେତେକ ଷ୍ଟୋରରୁ ଏକ୍ସପାୟରୀ ଖାଦ୍ୟ, ଅସ୍ୱଚ୍ଛ ଷ୍ଟୋରେଜ୍, ପୋକ ଉପଦ୍ରବ, ତାପମାତ୍ରା ନିୟନ୍ତ୍ରଣରେ ତ୍ରୁଟି ଓ ଖରାପ ବର୍ଜ୍ୟବସ୍ତୁ ପରିଚାଳନା ଭଳି ସାଂଘାତିକ ଅବ୍ୟବସ୍ଥା ସାମ୍ନାକୁ ଆସିଛି ।
ପୁଣେର ଏକ Zepto ଷ୍ଟୋରରେ ‘Use By’ ତାରିଖ ପାର ହୋଇଥିବା ଖାଦ୍ୟ ମିଳିଥିଲା । ସେଠାରେ FIFO ଓ FEFO ନିୟମ ମଧ୍ୟ ପାଳନ କରାଯାଉନଥିଲା । ଆଉ ଏକ ପ୍ରତିଷ୍ଠାନରେ କାକର ଉପଦ୍ରବ ସହ ଫ୍ରୋଜେନ୍ ଖାଦ୍ୟର ତାପମାତ୍ରା ନିୟନ୍ତ୍ରଣରେ ଅବ୍ୟବସ୍ଥା ମିଳିଥିଲା ।
ମୁମ୍ବାଇର ମାଲାଡ୍ ୱେଷ୍ଟର ଏକ Blinkit ୟୁନିଟ୍ରେ ଚିଲର୍ ରୁମ୍ର ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ଥିଲା । ପ୍ରାୟ ୪୦ ଜଣ ଫୁଡ୍ ହ୍ୟାଣ୍ଡଲରଙ୍କ ମେଡିକାଲ୍ ରେକର୍ଡ ମଧ୍ୟ ମିଳିନଥିଲା। କେତେକ କର୍ମଚାରୀ ହେଡ୍ଗିୟର, ଆପ୍ରନ୍ ଓ ଗ୍ଲୋଭ୍ସ ବ୍ୟବହାର କରୁନଥିଲେ । Instamartର ଏକ ୟୁନିଟ୍ରେ ଖାଦ୍ୟ ପ୍ୟାକେଟ୍ଗୁଡ଼ିକୁ ସିଧାସଳଖ ଚଟାଣ ଉପରେ ରଖାଯାଇଥିବା ମଧ୍ୟ ମିଳିଥିଲା ।
କେବଳ ଷ୍ଟୋର ନୁହେଁ, ଡେଲିଭରୀ ରାଇଡରଙ୍କ ଉପରେ ମଧ୍ୟ ଯାଞ୍ଚ ହୋଇଛି । ସତାରାର ଏକ Blinkit ଷ୍ଟୋରରେ ୧୨୫ ଜଣ ଡେଲିଭରୀ ରାଇଡରଙ୍କୁ ଯାଞ୍ଚ କରାଯାଇଥିଲା। ଅନେକଙ୍କ ପାଖରେ ID କାର୍ଡ ଓ ମେଡିକାଲ୍ ଫିଟନେସ୍ ରେକର୍ଡ ନଥିବା ଜଣାପଡ଼ିଥିଲା ।
ଏହି ଅଭିଯାନରେ ୬୯୮ କେଜି କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟ ସହ ବିପୁଳ ପରିମାଣର ଖାଦ୍ୟ ସାମଗ୍ରୀ ଜବତ ହୋଇଛି । ଏହାସହ ହୋଟେଲ୍, ରେଷ୍ଟୁରାଣ୍ଟ ଓ ଢାବାରେ ମଧ୍ୟ ଯାଞ୍ଚ କରାଯାଇଛି । ମହାରାଷ୍ଟ୍ର FDA ସ୍ପଷ୍ଟ କରିଛି, ଅନଲାଇନ୍ରେ ଖାଦ୍ୟ ବିକ୍ରି ଓ ଡେଲିଭରୀ କରୁଥିବା ସମସ୍ତ ସଂସ୍ଥାକୁ ଖାଦ୍ୟ ସୁରକ୍ଷା, ସ୍ୱଚ୍ଛତା, ଷ୍ଟୋରେଜ୍ ଓ ହାଣ୍ଡଲିଂ ନିୟମ କଡ଼ାକଡ଼ିରେ ପାଳନ କରିବାକୁ ପଡ଼ିବ ।

