ଅଦିନିଆ ରଥଯାତ୍ରାକୁ ନେଇ ତେଜିଲା ବିବାଦ, ଇସ୍କନ୍‌ ବିରୋଧରେ ଗର୍ଜିଲେ ଜଗନ୍ନାଥପ୍ରେମୀ

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ପୁଣି ତେଜିଛି ବିବାଦ । ରଥଯାତ୍ରାର ପାରମ୍ପରିକ ତିଥି ଓ ଶାସ୍ତ୍ରୀୟ ପରମ୍ପରାକୁ ଅଣଦେଖା କରି ଇସ୍କନ୍‌ ପକ୍ଷରୁ ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଉଥିବା ନେଇ ଆପତ୍ତି ଉଠିଛି ।

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ପୁଣି ତେଜିଛି ବିବାଦ । ରଥଯାତ୍ରାର ପାରମ୍ପରିକ ତିଥି ଓ ଶାସ୍ତ୍ରୀୟ ପରମ୍ପରାକୁ ଅଣଦେଖା କରି ଇସ୍କନ୍‌ ପକ୍ଷରୁ ବିଦେଶରେ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଉଥିବା ନେଇ ଆପତ୍ତି ଉଠିଛି । ଏହାକୁ ନେଇ ଜଗନ୍ନାଥପ୍ରେମୀ ଓ ଓଡ଼ିଆ ସଂଗଠନଗୁଡ଼ିକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦାବି ଅନୁସାରେ, ଚଳିତ ଅଗଷ୍ଟ ୧୫ ଓ ୧୬ ତାରିଖରେ ଆମଷ୍ଟରଡାମ୍‌, ବାସେଲ୍‌, କ୍ରଲେ, କ୍ରଏଡନ୍‌, ଗ୍ଲାସଗୋ, ଫ୍ରେଡେରିକ୍ଟନ୍‌ ଓ ନ୍ୟୁୟର୍କ ସିଟି ସମେତ ୭ଟି ସ୍ଥାନରେ ରଥଯାତ୍ରା ଆୟୋଜନ କରାଯାଇଥିଲା । ଏହାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଅନେକ ଜଗନ୍ନାଥପ୍ରେମୀ ।

ସେମାନଙ୍କ ଅଭିଯୋଗ, ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଓ ନୀଳାଦ୍ରି ବିଜେ ନିର୍ଦ୍ଦିଷ୍ଟ ତିଥି ଓ ପରମ୍ପରା ଅନୁସାରେ ପାଳନ ହୁଏ । ତେଣୁ ଅନ୍ୟ ସମୟରେ ରଥଯାତ୍ରା ଆୟୋଜନ କରିବା ମହାପ୍ରଭୁଙ୍କ ପରମ୍ପରା ଓ ଶାସ୍ତ୍ର ପ୍ରତି ଅସମ୍ମାନ ବୋଲି ସେମାନେ ଦାବି କରିଛନ୍ତି । ଏହି ପ୍ରସଙ୍ଗରେ ଦିଲ୍ଲୀର ଏକ ଓଡ଼ିଆ ଫୋରମ୍‌ ପକ୍ଷରୁ ଏକ ହଜାରରୁ ଅଧିକ ଓଡ଼ିଆଙ୍କ ସ୍ୱାକ୍ଷର ସହ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯାଇଥିବା କୁହାଯାଇଛି । ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଉପରେ କେନ୍ଦ୍ର ସରକାର ହସ୍ତକ୍ଷେପ କରି ସ୍ଥାୟୀ ସମାଧାନ କରନ୍ତୁ ବୋଲି ଦାବି ହୋଇଛି ।

ଅନ୍ୟପକ୍ଷରେ, ଇସ୍କନ୍‌ର ବେଙ୍ଗାଲୁରୁ ଶାଖା ପୂର୍ବରୁ ଶାସ୍ତ୍ର ଅନୁସାରେ ରଥଯାତ୍ରା ପାଳନ କରୁଥିବା ନେଇ ମତ ରଖିଥିବା ଦାବି କରାଯାଇଛି । ତେବେ ମାୟାପୁର ସହ ଜଡ଼ିତ କିଛି ଶାଖାରେ ଏଭଳି ଅଦିନିଆ ଆୟୋଜନ ନେଇ ବିବାଦ ଜାରି ରହିଛି । ତେବେ ମହାପ୍ରଭୁଙ୍କ ରଥଯାତ୍ରାର ତିଥି, ପରମ୍ପରା ଓ ଧାର୍ମିକ ମର୍ଯ୍ୟାଦାକୁ ନେଇ ଉଠିଥିବା ଏହି ବିବାଦରେ ଆଗକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି, ତା’ ଉପରେ ଏବେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *