୯ ଦିନ ମଧ୍ୟରେ ବିଦ୍ୟାଳୟରୁ ୩ ଥର ଚୋରି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ତେରଗାଁ ପଞ୍ଚାୟତରେ ଚାଞ୍ଚଲ୍ୟ । ସାମନ୍ତସିଂହାରପୁର ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟରୁ ଗତ ୯ ଦିନ ମଧ୍ୟରେ ୩ ଥର ଚୋରି ହୋଇଥିବା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
୯ ଦିନ ମଧ୍ୟରେ ବିଦ୍ୟାଳୟରୁ ୩ ଥର ଚୋରି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ମାର୍ଶାଘାଇ ଥାନା ତେରଗାଁ ପଞ୍ଚାୟତରେ ଚାଞ୍ଚଲ୍ୟ । ସାମନ୍ତସିଂହାରପୁର ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟରୁ ଗତ ୯ ଦିନ ମଧ୍ୟରେ ୩ ଥର ଚୋରି ହୋଇଥିବା ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଗତ ଜୁନ ମାସ ୨୯ ତାରିଖ ରାତିରେ ବିଦ୍ୟାଳୟର ରୋଷେଇ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୩ଟି ଗ୍ୟାସ ସିଲିଣ୍ଡର ଚୋରି କରି ନେଇଥିଲେ । ସେହିପରି ତା’ପରଦିନ ଅର୍ଥାତ ୩୦ ତାରିଖରେ ବିଦ୍ୟାଳୟର ଷ୍ଟୋର ଘରୁ ଦେଢ଼ ବସ୍ତା ଚାଉଳ ମଧ୍ୟ ଚୋରି ହୋଇଥିଲା ।
ସେତେବେଳେ ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଥାନାରେ କୌଣସି ଅଭିଯୋଗ କରିନ ଥିଲେ । ତେବେ ଗତ ୩ ତାରିଖ ରାତିରେ ଅନୁରୂପ ଭାବେ ଦୁର୍ବୃତ୍ତମାନେ ଶ୍ରେଣୀ ଗୃହର ତାଲା ଭାଙ୍ଗି ଏକ ଡିଜିଟାଲ ସ୍ମାର୍ଟ ବୋର୍ଡ ଚୋରି କରିଥିଲେ । ଯାହାକୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ପୂର୍ବରୁ ବିଦ୍ୟାଳୟରୁ ଲଗାତାର ଦୁଇ ଦୁଇଥର ଗ୍ୟାସ ସିଲିଣ୍ଡର ଓ ଚାଉଳ ଚୋରି ହୋଇଥିଲେ ମଧ୍ୟ ସେତେବେଳେ ସମ୍ପୃକ୍ତ ପ୍ରଧାନଶିକ୍ଷୟିତ୍ରୀ କଣ ପାଇଁ ଏତଲା ଦେଇ ନ ଥିଲେ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି ।

