କ୍ରିକେଟ୍ ବ୍ୟାଟ୍ ଛାଡ଼ି ହାତରେ ଧରିଲେ ବେସ୍ବଲ୍ ବ୍ୟାଟ୍ । ସାମ୍ନାରେ ଥିଲେ ଦୁନିଆର ଲୋକପ୍ରିୟ ୟୁଟ୍ୟୁବର୍ ମିଷ୍ଟର ବିଷ୍ଟ୍ । ଚ୍ୟାଲେଞ୍ଜ ଜିତି ହାର୍ଦ୍ଦିକ ପାଣ୍ଡ୍ୟା ହାତେଇଲେ ପ୍ରାୟ ୯୫ ଲକ୍ଷ ଟଙ୍କା । କିନ୍ତୁ ଏହି ଟଙ୍କାକୁ ନିଜ ପାଖରେ ରଖିଲେନି ହାର୍ଦ୍ଦିକ । ପୁରା ଟଙ୍କା ଦାନ କରିଦେଲେ ।
କ୍ରିକେଟ୍ ପଡ଼ିଆରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟ୍ ଧରିଲେ ବୋଲରଙ୍କ ମନରେ ଛନକା ପଶିଯାଏ । କିନ୍ତୁ ଏଥର ସେ କ୍ରିକେଟ୍ ବ୍ୟାଟ୍ ଛାଡ଼ି ହାତରେ ଧରିଥିଲେ ବେସ୍ବଲ୍ ବ୍ୟାଟ୍ । ସାମ୍ନାରେ ଥିଲେ ଦୁନିଆର ସବୁଠୁ ଲୋକପ୍ରିୟ ୟୁଟ୍ୟୁବର୍ ‘ମିଷ୍ଟର ବିଷ୍ଟ’ (MrBeast) । ନିଜର ଦମଦାର ହିଟିଂରେ ମିଷ୍ଟର ବିଷ୍ଟଙ୍କୁ ହରାଇ ପ୍ରାୟ ୯୫ ଲକ୍ଷ ଟଙ୍କାର ପୁରସ୍କାର ଜିତି ନେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଏତେ ବଡ଼ ଅଙ୍କର ଟଙ୍କା ଜିତିବା ପରେ ହାର୍ଦ୍ଦିକ ଯାହା କଲେ, ତାହା ସମସ୍ତଙ୍କ ହୃଦୟ ଜିତି ନେଇଛି । ଜିତିଥିବା ସବୁତକ ଟଙ୍କା ସେ ଅସହାୟ ଶିଶୁ ଏବଂ ନିରାଶ୍ରୟ କୁକୁରଙ୍କ ସେବା ପାଇଁ ଦାନ କରିଦେଇଛନ୍ତି ।
ସାରା ବିଶ୍ୱରେ ବଡ଼ ବଡ଼ ଚ୍ୟାଲେଞ୍ଜ ଏବଂ ମୋଟା ଅଙ୍କର ନଗଦ ପୁରସ୍କାର ଦେବା ପାଇଁ ବେଶ୍ ପରିଚିତ ମିଷ୍ଟର ବିଷ୍ଟ ବା ଜିମି ଡୋନାଲ୍ଡସନ୍ । ନିକଟରେ ସେ ଦୁନିଆର ବଡ଼ ବଡ଼ କ୍ରୀଡ଼ାବିତ୍ଙ୍କୁ ନେଇ ଏକ ବେସ୍ବଲ୍ ଚ୍ୟାଲେଞ୍ଜ ଭିଡିଓ କରିଥିଲେ । ନିୟମ ଥିଲା ବଲ୍କୁ ଷ୍ଟାଡିୟମ୍ ବାହାରକୁ ମାରି ଅଧିକ ରନ୍ ସଂଗ୍ରହ କରିବାକୁ ପଡ଼ିବ । ଆଶ୍ଚର୍ଯ୍ୟର କଥା ହେଉଛି, ହାର୍ଦ୍ଦିକ ପୂର୍ବରୁ କେବେ ବେସ୍ବଲ୍ ଖେଳି ନଥିଲେ ମଧ୍ୟ ଚୌକା-ଛକା ବର୍ଷା କରିଥିଲେ । ସେ ମିଷ୍ଟର ବିଷ୍ଟଙ୍କୁ ପଛରେ ପକାଇ ୧ ଲକ୍ଷ ଆମେରିକୀୟ ଡଲାର, ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୯୪ ଲକ୍ଷ ୯୦ ହଜାର ଟଙ୍କା ଜିତି ନେଇଥିଲେ ।
ଅସଲ କଥା ଆରମ୍ଭ ହୋଇଥିଲା ମ୍ୟାଚ୍ ଜିତିବା ପରେ । ପାଖାପାଖି କୋଟିଏ ଟଙ୍କାର ଏହି ପୁରସ୍କାର ରାଶିରୁ ନିଜ ପାଇଁ ଟଙ୍କାଟିଏ ବି ରଖିନଥିଲେ ହାର୍ଦ୍ଦିକ । ସେ ସମସ୍ତ ୯୫ ଲକ୍ଷ ଟଙ୍କାକୁ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ରାସ୍ତାରେ ବୁଲୁଥିବା ଅସହାୟ, ରୋଗୀଣା କୁକୁରଙ୍କ ଚିକିତ୍ସା ଏବଂ ଗରିବ, ଅବହେଳିତ ପିଲାଙ୍କ ଥଇଥାନ ପାଇଁ କାମ କରୁଥିବା ଚାରିଟି ସଂସ୍ଥାକୁ ସେ ଏହି ଟଙ୍କା ହସ୍ତାନ୍ତର କରିଛନ୍ତି । ହାର୍ଦ୍ଦିକଙ୍କର ଏହି ନିଷ୍ପତ୍ତିକୁ ଦେଖି ଏବେ ସୋସିଆଲ୍ ମିଡିଆରେ ତାଙ୍କ ଉପରେ ପ୍ରଶଂସାର ବର୍ଷା ହେଉଛି ।
ଏହି ଭିଡିଓ ଭାଇରାଲ୍ ହେବା ସହିତ ହାର୍ଦ୍ଦିକଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପରଠାରୁ ସେ ଭାରତ ପାଇଁ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି । ଆଇପିଏଲ୍ ପରେ ଆଫଗାନିସ୍ତାନ, ଆୟର୍ଲାଣ୍ଡ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲାଣ୍ଡ ସିରିଜ୍ରୁ ମଧ୍ୟ ସେ ବାଦ୍ ପଡ଼ିଛନ୍ତି । ହେଲେ ପଡ଼ିଆରୁ ଦୂରେଇ ରହିଥିଲେ ମଧ୍ୟ ଏହି ମହାନ କାର୍ଯ୍ୟ କରି ହାର୍ଦ୍ଦିକ ପ୍ରମାଣ କରିଛନ୍ତି ଯେ, କେବଳ ଖେଳ ପିଚ୍ରେ ନୁହେଁ, ପଡ଼ିଆ ବାହାରେ ମଧ୍ୟ ଖେଳାଳିଙ୍କର ବଡ଼ ମନ ଥାଏ ।

