ଦିନେ ଯେଉଁ ମୁହାଣ ଥିଲା ହଜାର ହଜାର ମତ୍ସ୍ୟଜୀବୀଙ୍କ ପେଟପାଟଣାର ମୁଖ୍ୟ ଭରସା, ଏବେ ସେହି ମୁହାଣ ହିଁ ପାଲଟିଛି ସମସ୍ୟାର କାରଣ । ପୁରୀ ଜିଲ୍ଲା ଅସ୍ତରଙ୍ଗର ଦେବୀ ନଦୀ ମୁହାଣ ଦିନକୁ ଦିନ ସଙ୍କୁଚିତ ହେଉଥିବାରୁ ସମୁଦ୍ରକୁ ଟ୍ରଲର୍ ଓ ଡଙ୍ଗା ଯାତାୟାତରେ ସୃଷ୍ଟି ହେଉଛି ସମସ୍ୟା ।
ଦିନେ ଯେଉଁ ମୁହାଣ ଥିଲା ହଜାର ହଜାର ମତ୍ସ୍ୟଜୀବୀଙ୍କ ପେଟପାଟଣାର ମୁଖ୍ୟ ଭରସା, ଏବେ ସେହି ମୁହାଣ ହିଁ ପାଲଟିଛି ସମସ୍ୟାର କାରଣ । ପୁରୀ ଜିଲ୍ଲା ଅସ୍ତରଙ୍ଗର ଦେବୀ ନଦୀ ମୁହାଣ ଦିନକୁ ଦିନ ସଙ୍କୁଚିତ ହେଉଥିବାରୁ ସମୁଦ୍ରକୁ ଟ୍ରଲର୍ ଓ ଡଙ୍ଗା ଯାତାୟାତରେ ସୃଷ୍ଟି ହେଉଛି ସମସ୍ୟା । ମୁହାଣ ଦେଇ ଯିବାବେଳେ ବାରମ୍ବାର ଟ୍ରଲର୍ ଦୁର୍ଘଟଣାଗ୍ରସ୍ତ ହେଉଥିବାରୁ ଧନଜୀବନ ହାନି ଘଟୁଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ଉପରେ ।
ଦିନେ ଦେବୀ ନଦୀ ମୁହାଣ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ପାଇଁ ପେଟପାଟଣାର ବଡ଼ ମାଧ୍ୟମ ଥିଲା । ଡଙ୍ଗା ଓ ଟ୍ରଲର୍ ନେଇ ସମୁଦ୍ରକୁ ଯାଇ ମାଛ ଧରୁଥିଲେ ମତ୍ସ୍ୟଜୀବୀ। ମାଛ ବିକ୍ରି କରି ଭଲ ଦୁଇପଇସା ରୋଜଗାର କରୁଥିଲେ। ହେଲେ ସମୟ ବଦଳିବା ସହ ଏବେ ବଦଳିଯାଇଛି ଦେବୀ ମୁହାଣର ଚିତ୍ର । ଦେବୀ ନଦୀ ମୁହାଣ ସଙ୍କୁଚିତ ହେବାରୁ ସମୁଦ୍ରରୁ ନଦୀ ଭିତରକୁ ଟ୍ରଲର୍ ଓ ଡଙ୍ଗା ଆସିବା ଏବେ ବିପଦପୂର୍ଣ୍ଣ ହୋଇପଡ଼ିଛି । ସଂକୀର୍ଣ୍ଣ ମୁହାଣ ଦେଇ ଯାତାୟାତ ସମୟରେ ବାରମ୍ବାର ଟ୍ରଲର୍ ଦୁର୍ଘଟଣାର ଶିକାର ହେଉଛି । ଏଥିରେ ଟ୍ରଲର୍ ନଷ୍ଟ ହେବା ସହ ଧନଜୀବନ ହାନି ମଧ୍ୟ ଘଟୁଛି ।
କେବଳ ଯାତାୟାତ ସମସ୍ୟା ନୁହେଁ, ମୁହାଣ ସଙ୍କୁଚିତ ହେବାର ପ୍ରଭାବ ମାଛ ଉପରେ ମଧ୍ୟ ପଡ଼ିଛି । ନଦୀ ଭିତରକୁ ମାଛର ପ୍ରବେଶ କମିଯାଇଥିବାରୁ ମତ୍ସ୍ୟଜୀବୀଙ୍କ ରୋଜଗାର ମଧ୍ୟ ପ୍ରଭାବିତ ହୋଇଛି। ଫଳରେ ହଜାର ହଜାର ପାରମ୍ପରିକ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଦେବୀ ମୁହାଣ କେବଳ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ପାଇଁ ନୁହେଁ, ଅସ୍ତରଙ୍ଗ ସହ ପାରାଦ୍ୱୀପ, ବାଲେଶ୍ୱର ଓ ଦିଘା ଭଳି ବିଭିନ୍ନ ଅଞ୍ଚଳରୁ ଆସୁଥିବା ଟ୍ରଲର୍ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମାଛ ଧରିବା ପରେ ଅସ୍ତରଙ୍ଗ ମାଛଧରା ବନ୍ଦରରେ ମାଛ ବିକ୍ରି କରିଥାନ୍ତି ମତ୍ସ୍ୟଜୀବୀ ।
ପରିବେଶବିତ୍ଙ୍କ ମତରେ, ପ୍ରାକୃତିକ କାରଣରୁ ଦେବୀ ନଦୀର ମୁହାଣ ଧୀରେ ଧୀରେ ପୋତି ହୋଇ ସଙ୍କୁଚିତ ହେଉଛି । ମୁହାଣ ନିକଟରେ ନୂଆ ମୁହାଣ ସୃଷ୍ଟି ହେଉଥିଲେ ମଧ୍ୟ ତାହା ମତ୍ସ୍ୟଜୀବୀଙ୍କ ଯାତାୟାତ ପାଇଁ ଉପଯୋଗୀ ହେଉନାହିଁ । ଅନ୍ୟପଟେ ମହାନଦୀରେ ବନ୍ୟା ଆସିଲେ ଏହାର ଜଳ ଦେବୀ ମୁହାଣ ଦେଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ । ତେଣୁ ମୁହାଣ ଏଭଳି ସଙ୍କୁଚିତ ହୋଇ ରହିଲେ ଆଗାମୀ ଦିନରେ ବନ୍ୟାଜଳ ନିଷ୍କାସନରେ ବଡ଼ଧରଣର ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦେବୀ ମୁହାଣର ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ମୁହାଣ ଖନନ କରିବାକୁ ଦାବି ହୋଇଛି । ମୁହାଣର ଗଭୀରତା ବଢ଼ାଇ ଟ୍ରଲର୍ ଓ ଡଙ୍ଗା ଯାତାୟାତକୁ ସୁଗମ କରାଗଲେ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ପୁଣି ଟ୍ରାକ୍କୁ ଫେରିବ ବୋଲି ଆଶା ରହିଛି ।

