ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଭକ୍ତଙ୍କ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ଆରଡ଼ିଧାମ । ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଶ୍ରାବଣୀ ଯାତ୍ରା ।
ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଭକ୍ତଙ୍କ ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି ଆରଡ଼ିଧାମ । ବାବା ଆଖଣ୍ଡଳମଣିଙ୍କ ପୀଠରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଶ୍ରାବଣୀ ଯାତ୍ରା । ପ୍ରଥମ ସୋମବାରରେ ବାବାଙ୍କୁ ଜଳାଭିଷେକ କରିବା ପାଇଁ ୧୫ ହଜାରରୁ ଅଧିକ କାଉଡ଼ିଆ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଆରଡ଼ିଧାମରେ ଆରମ୍ଭ ହୋଇଛି ଶ୍ରାବଣୀ ଯାତ୍ରା । ପବିତ୍ର ଶ୍ରାବଣର ପ୍ରଥମ ସୋମବାରରେ ବାବା ଆଖଣ୍ଡଳମଣିଙ୍କ ଜଳାଭିଷେକ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କାଉଡ଼ିଆ ଭକ୍ତ ପୀଠରେ ପହଞ୍ଚିଛନ୍ତି । ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ରବିବାର ମଧ୍ୟରାତ୍ରରୁ ଭକ୍ତମାନେ ଧାଡ଼ିରେ ଯାଇ ବାବାଙ୍କ ନିକଟରେ ପବିତ୍ର ଜଳ ଅର୍ପଣ କରୁଛନ୍ତି । ପ୍ରଥମ ସୋମବାରରେ ୧୫ ହଜାରରୁ ଅଧିକ କାଉଡ଼ିଆଙ୍କ ସମାଗମ ହୋଇଥିବାରୁ ପୀଠରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ଥଳପଥ ଓ ଜଳପଥକୁ ନେଇ ତ୍ରିସ୍ତରୀୟ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି ।
ବୈତରଣୀ ଓ ସାଳନ୍ଦୀ ନଦୀରେ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମୁତୟନ ରହି ନିରନ୍ତର ପାଟ୍ରୋଲିଂ କରୁଛନ୍ତି । ଧାନକଣିଆ, ତିନିଥର ଓ ମୁଆ ଘାଟ ସମେତ ପ୍ରମୁଖ ନଦୀଘାଟଗୁଡ଼ିକରେ ପୁଲିସ ମୁତୟନ ସହ ରାତ୍ରିରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ୭ଟା ପରେ ନଦୀପଥରେ ଯାତ୍ରୀ ପରିବହନ ଉପରେ କଟକଣା ଲାଗୁ କରାଯାଇଛି । ଏହାଛଡ଼ା ନଦୀରେ କୁମ୍ଭୀର ଚଳପ୍ରଚଳ ଥିବାରୁ ଗାଧୋଇବା ଓ ସିଧାସଳଖ ପାଣି ଉଠାଇବା ଉପରେ ମଧ୍ୟ ନିଷେଧାଦେଶ ଜାରି ହୋଇଛି । ମନ୍ଦିର ପରିସରରେ ଶୃଙ୍ଖଳିତ ଜଳଲାଗି ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ୍, ଆଲୋକ ବ୍ୟବସ୍ଥା ଓ ଭକ୍ତଙ୍କ ଚଳାଚଳ ପାଇଁ ସୁବ୍ୟବସ୍ଥିତ ରାସ୍ତା କରାଯାଇଛି । ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀମାନେ ପୀଠରେ ଉପସ୍ଥିତ ରହି ସୁରକ୍ଷା ଓ ଭିଡ଼ ପରିଚାଳନା ଉପରେ କଡ଼ା ନଜର ରଖିଛନ୍ତି । ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରଡ଼ିଧାମରେ ଚାଲିଛି ଶ୍ରାବଣୀ ଯାତ୍ରା । ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ଜଳାଭିଷେକ ପାଇଁ ଭକ୍ତଙ୍କ ଉତ୍ସାହ ଦିନସାରା ଜାରି ରହିଛି ।

