ବ୍ୟୁଟି ମହାନ୍ତି ମୃତ୍ୟୁ ମାମଲାରେ ନୂଆ ମୋଡ଼ , ପୁଲିସ ସ୍କାନରରେ ଜଣେ ପୁଲିସ କର୍ମଚାରୀ

ଚାଉଳିଆଗଞ୍ଜ ଥାନାର ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦିନକୁ ଦିନ ଅଧିକ ଜୋରଦାର ହେଉଛି । ଏହି ମାମଲାରେ ଜଣେ ପୁଲିସ କର୍ମଚାରୀ ଏବେ ତଦନ୍ତ ପରିସରକୁ ଆସିଥିବା ସୂଚନା ମିଳିଛି ।

ଚାଉଳିଆଗଞ୍ଜ ଥାନାର ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦିନକୁ ଦିନ ଅଧିକ ଜୋରଦାର ହେଉଛି । ଏହି ମାମଲାରେ ଜଣେ ପୁଲିସ କର୍ମଚାରୀ ଏବେ ତଦନ୍ତ ପରିସରକୁ ଆସିଥିବା ସୂଚନା ମିଳିଛି । ସଂପୃକ୍ତ କର୍ମଚାରୀଙ୍କ ବ୍ୟବହୃତ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ, ସିସିଟିଭି ଫୁଟେଜ୍ ଓ କଲ୍ ଡିଟେଲ୍ ରେକର୍ଡ ଯାଞ୍ଚ ମଧ୍ୟ ଚାଲିଛି । ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତରେ ଆସିଛି ନୂଆ ମୋଡ଼ । ପୁଲିସ ସୂତ୍ର ଅନୁଯାୟୀ, ଜଣେ ପୁଲିସ କର୍ମଚାରୀ ଏବେ ତଦନ୍ତକାରୀ ଟିମ୍‌ର ନଜରରେ ରହିଛନ୍ତି । ସେ ବ୍ୟବହାର କରୁଥିବା ଦୁଇଟି ମୋବାଇଲ ଫୋନକୁ ଜବତ କରାଯାଇ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ସଂପୃକ୍ତ ପୁଲିସ କର୍ମଚାରୀ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ପୂର୍ବ କାର୍ଯ୍ୟସ୍ଥଳ ପାହାଳ ଥାନା ସହ ସମ୍ପୃକ୍ତ ଥିଲେ । ତେବେ ତାଙ୍କ ଫୋନ କାହିଁକି ଜବତ କରାଗଲା ଏବଂ ସେଥିରୁ କେଉଁ ତଥ୍ୟ ମିଳିପାରେ, ତାହାକୁ ନେଇ ତଦନ୍ତ ଜାରି ରହିଛି । ଏହି ପର୍ଯ୍ୟାୟରେ ତାଙ୍କ ବିରୋଧରେ କୌଣସି ଅପରାଧ ପ୍ରମାଣିତ ହୋଇନାହିଁ ।

ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଚାଉଳିଆଗଞ୍ଜ ଓ ପାହାଳ ଥାନାର କିଛି ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ସେହିପରି ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ୍ ଖତିଆନ କରାଯାଉଥିବାବେଳେ ଘଟଣା ସହ ଜଡ଼ିତ ପ୍ରତ୍ୟେକ ଦିଗକୁ ତଦନ୍ତକାରୀ ଟିମ୍ ଯାଞ୍ଚ କରୁଛି । ଅନ୍ୟପକ୍ଷରେ, ମୃତ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୋବାଇଲ ଫୋନର କଲ୍ ଡିଟେଲ୍ ରେକର୍ଡ ବା CDR ଯାଞ୍ଚ ମଧ୍ୟ ଚାଲିଛି । ପୁଲିସ ସୂତ୍ର ଅନୁଯାୟୀ, କିଛି ନିର୍ଦ୍ଦିଷ୍ଟ ଫୋନ କଲକୁ ତଦନ୍ତ ପରିସରକୁ ଅଣାଯାଇଛି । ଏହି କଲ୍ ରେକର୍ଡ ଏବଂ ଡିଜିଟାଲ ପ୍ରମାଣ ମାମଲାର ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ସୁରାକ ଦେଇପାରେ । ଆଇଆଇସି ବ୍ୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ତଦନ୍ତ ଏବେ ଅଧିକ ତ୍ୱରାନ୍ୱିତ ହୋଇଛି । ଜବତ ମୋବାଇଲ, CDR, ସିସିଟିଭି ଫୁଟେଜ୍ ଓ ପଚରାଉଚରାରୁ ମିଳୁଥିବା ତଥ୍ୟ ଆଧାରରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି । ତଦନ୍ତର ଅନ୍ତିମ ରିପୋର୍ଟ ଆସିବା ପରେ ହିଁ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *