ଶିଳ୍ପ ସଂସ୍ଥାମାନଙ୍କ ସହ ଉଚ୍ଚସ୍ତରୀୟ ହିତାଧିକାରୀ ବୈଠକ: ଶିଳ୍ପ ଭିତ୍ତିଭୂମି, ସେବା ଓ ପ୍ରଶାସନିକ ସଂସ୍କାର ଉପରେ ଗୁରୁତ୍ୱ

ଇଡିକୋ ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଶିଳ୍ପ ହିତାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶାରେ ଶିଳ୍ପାୟନକୁ ଅଧିକ ଗତିଶୀଳ କରିବା ଏବଂ ବ୍ୟବସାୟ କରିବାର ସୁଗମତା ବା ‘ଇଜ୍ ଅଫ୍ ଡୁଇଙ୍ଗ ବିଜନେସ’କୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡିକୋ) ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ଇଡିକୋ ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଶିଳ୍ପ ହିତାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତକାଲି ଇଡ୍କୋ ପରିସରରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ବିଭିନ୍ନ ପ୍ରମୁଖ ଶିଳ୍ପ ସଂଗଠନ, ବାଣିଜ୍ୟ ମଣ୍ଡଳ, ଏମ୍‌ଏସ୍‌ଏମ୍‌ଇ ସଂଗଠନ ଏବଂ ଆଞ୍ଚଳିକ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇ ଶିଳ୍ପ ଭିତ୍ତିଭୂମି, ଜମି ଆବଣ୍ଟନ, ବିଦ୍ୟୁତ, ଜଳଯୋଗାଣ ଓ ଲଜିଷ୍ଟିକ୍ସ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିଥିଲେ। ଶିଳ୍ପ ସଂସ୍ଥାମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଓ ପ୍ରସ୍ତାବ ଉପସ୍ଥାପନ କରିବା ସହ ନିୟାମକ ପ୍ରକ୍ରିୟାର ସରଳୀକରଣ ଉପରେ ଗୁରୁତ୍ୱ ଦେଇଥିଲେ ।

ଏହି ଅବସରରେ ଶ୍ରୀମତୀ ପାଢ଼ୀ କହିଥିଲେ ଯେ ଶିଳ୍ପ ସଂସ୍ଥାମାନଙ୍କ ସହ ନିୟମିତ ଆଲୋଚନା, ସ୍ୱଚ୍ଛ ପ୍ରଶାସନ ଏବଂ ଦ୍ରୁତ ସମସ୍ୟା ସମାଧାନ ହିଁ ଇଡିକୋର ପ୍ରମୁଖ ପ୍ରାଥମିକତା। ଏହା ମାଧ୍ୟମରେ ରାଜ୍ୟରେ ଅଧିକ ନିବେଶ ଆକର୍ଷଣ ସହ ଏକ ପ୍ରତିଯୋଗିତାମୂଳକ ଶିଳ୍ପ ପରିବେଶ ସୃଷ୍ଟି ହେବ। ଗତ ଦୁଇ ବର୍ଷ ମଧ୍ୟରେ ଇଡିକୋ ପ୍ରାୟ ୬ ହଜାର ଏକର ଜମିକୁ ଶିଳ୍ପ ଭୂମି ବ୍ୟାଙ୍କରେ ସାମିଲ କରିଥିବା ବେଳେ ୬,୦୨୭ ଏକର ଜମି ବୃହତ୍ ଓ ମଧ୍ୟମ ଶିଳ୍ପ ପାଇଁ ହସ୍ତାନ୍ତର କରିସାରିଛି। ଏହାସହ ୯୩ଟି ବୃହତ୍ ଶିଳ୍ପ ପ୍ରକଳ୍ପକୁ ଜମି ଆବଣ୍ଟନ କରାଯାଇଛି। ରାଜ୍ୟରେ ୩୦ଟି ମଲ୍ଟି-ପ୍ରଡକ୍ଟ ଏମ୍‌ଏସ୍‌ଏମ୍‌ଇ ପାର୍କ ସହ ଇଲେକ୍ଟ୍ରୋନିକ୍ସ, ବୟନ, ପ୍ଲାଷ୍ଟିକ୍, ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆଲୁମିନିୟମ୍ ଭିତ୍ତିକ ଶିଳ୍ପ ପାଇଁ ସ୍ୱତନ୍ତ୍ର ପାର୍କ ମଧ୍ୟ ଗଢ଼ି ଉଠିଛି ।

ବର୍ତ୍ତମାନ ପ୍ରାୟ ୩,୫୦୦ କୋଟିରୁ ଅଧିକ ଅର୍ଥ ବ୍ୟୟରେ ୧୪୭ଟି ଶିଳ୍ପ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ବେଳେ ଆଇଆଇଡିଏଫ୍ ଏବଂ ସାସ୍‌ସି ଯୋଜନାରେ ଆହୁରି ୧,୮୭୦ କୋଟି ଟଙ୍କାର ୧୧୭ଟି ନୂତନ ପ୍ରକଳ୍ପ ପ୍ରସ୍ତାବିତ ହୋଇଛି। ଇଡିକୋ ବର୍ତ୍ତମାନ ୧୫୦ଟି ଶିଳ୍ପାଞ୍ଚଳ ଓ ଏମ୍‌ଏସ୍‌ଏମ୍‌ଇ ପାର୍କ ପରିଚାଳନା କରୁଛି, ଯେଉଁଠାରେ ୬,୬୬୧ଟି ଶିଳ୍ପ ୟୁନିଟ୍ କାର୍ଯ୍ୟରତ ଅଛି। ଶିଳ୍ପ କ୍ଷେତ୍ରରେ ଅନୁମୋଦନ ପ୍ରକ୍ରିୟାକୁ ସହଜ ଓ ଶୀଘ୍ର କରିବା ପାଇଁ ଇଡିକୋ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ କରିଛି। ବିଶେଷ କରି ଶିଳ୍ପ ଭବନ, ଫ୍ଲାଟେଡ୍ ଫ୍ୟାକ୍ଟରୀ ଓ ଆଇଟି ପ୍ରତିଷ୍ଠାନ ପାଇଁ ଭୂମି ଆବରଣ ସୀମା ହଟାଯାଇଛି ଏବଂ ଟିଡିଆର୍ ପ୍ରମାଣପତ୍ର ବିନା ସମ୍ପୂର୍ଣ୍ଣ ଏଫ୍‌ଏଆର୍ ବ୍ୟବହାରକୁ ଅନୁମତି ଦିଆଯାଇଛି ।

ପ୍ରଶାସନିକ ସ୍ତରରେ ମଧ୍ୟ ବ୍ୟାପକ ପରିବର୍ତ୍ତନ କରାଯାଉଛି। ମର୍ଗେଜ୍ ଏନ୍‌ଓସି ପ୍ରକ୍ରିୟାକୁ ସ୍ୱୟଂଚାଳିତ କରାଯାଉଥିବା ବେଳେ ଶିଳ୍ପ ଭୂମି ବ୍ୟାଙ୍କର ସମସ୍ତ ତଥ୍ୟ ସହ ଏକ ସାର୍ବଜନିକ ଡିଜିଟାଲ୍ ପୋର୍ଟାଲ୍ ପ୍ରସ୍ତୁତ ହେଉଛି। ଜମି ଆବଣ୍ଟନ ଅନୁମୋଦନ ପରେ ମାତ୍ର ଏକ ମାସ ମଧ୍ୟରେ ଲିଜ୍ ଓ ଦଖଲ ପ୍ରଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଇଡିକୋ ଲକ୍ଷ୍ୟ ରଖିଛି। ବୈଠକରେ ଶିଳ୍ପାଞ୍ଚଳରେ ଜଳଯୋଗାଣ, ବିଦ୍ୟୁତ, ଡ୍ରେନେଜ୍ ଓ ସୁରକ୍ଷା ଭଳି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଜଳଯୋଗାଣ ସ୍ୱାଭାବିକ ହୋଇଥିବା ବେଳେ ଇନ୍‌ଫୋସିଟିରେ ବହୁସ୍ତରୀୟ ପାର୍କିଂ ପ୍ରକଳ୍ପ ଏବଂ ସାତଟି ପ୍ରମୁଖ ଶିଳ୍ପାଞ୍ଚଳରେ ୫୦୦ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲିଛି। ଏହି ବୈଠକରେ ୟୁସିସିଆଇ, ସିଆଇଆଇ, ଫିକି, ଆସୋଚାମ୍, ଆଇସିସି ଏବଂ ନାସକମ୍ ଭଳି ବିଭିନ୍ନ ସଂଗଠନର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶାକୁ ଦେଶର ଅଗ୍ରଣୀ ନିବେଶ ଗନ୍ତବ୍ୟରେ ପରିଣତ କରିବାକୁ ସଂକଳ୍ପ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *