ନିଟ୍ ପେପର ଲିକ୍କୁ ନେଇ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଙ୍କ ପ୍ରତିବାଦ ଜାରି ରହିଥିବା ବେଳେ, ଆରଏସଏସ ପ୍ରମୁଖ ମୋହନ ଭାଗବତ ଯୁବପିଢ଼ିଙ୍କୁ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ।
ନିଟ୍ ପେପର ଲିକ୍କୁ ନେଇ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଙ୍କ ପ୍ରତିବାଦ ଜାରି ରହିଥିବା ବେଳେ, ଆରଏସଏସ ପ୍ରମୁଖ ମୋହନ ଭାଗବତ ଯୁବପିଢ଼ିଙ୍କୁ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି, ଆଜିର ଯୁବପିଢ଼ିଙ୍କୁ ଆଦେଶ ନୁହେଁ, ବରଂ ଆଲୋଚନା ଓ ବୁଝାଇବାର ଆବଶ୍ୟକତା ରହିଛି । ‘ବିଶ୍ୱ ମଙ୍ଗଲ୍ୟ ସଭା’ କାର୍ଯ୍ୟକ୍ରମରେ ଯୋଗଦେଇ ଆରଏସଏସ ପ୍ରମୁଖ ମୋହନ ଭାଗବତ କହିଛନ୍ତି, ଆଜିର ଯୁବପିଢ଼ି ପୂର୍ବ ପିଢ଼ି ଭଳି କେବଳ ଆଦେଶ ମାନୁନାହାନ୍ତି । ସେମାନେ ପ୍ରଶ୍ନ କରୁଛନ୍ତି ଏବଂ ପ୍ରତ୍ୟେକ କଥାର କାରଣ ଜାଣିବାକୁ ଚାହୁଁଛନ୍ତି ।
ମୋହନ ଭାଗବତ କହିଛନ୍ତି, ଯୁବପିଢ଼ିଙ୍କ ସହ ସମୟ ବିତାଇବା, ସ୍ନେହ ଦେବା ଏବଂ ସେମାନଙ୍କ ସହ ଖୋଲାଖୋଲି କଥା ହେବା ଦରକାର । ସେ କହିଛନ୍ତି, “ଆଦେଶ ନୁହେଁ, ଆଲୋଚନା ଦରକାର । ନିର୍ଦ୍ଦେଶ ନୁହେଁ, ସହମତି ଗଢ଼ିବା ଦରକାର।” ଯଦିଓ ସେ ଜନ୍ତର ମନ୍ତରରେ ଚାଲିଥିବା ଛାତ୍ର ପ୍ରତିବାଦର ସିଧାସଳଖ ଉଲ୍ଲେଖ କରିନଥିଲେ, ତାଙ୍କ ମନ୍ତବ୍ୟକୁ ବର୍ତ୍ତମାନ ପରିସ୍ଥିତି ସହ ଯୋଡ଼ି ଦେଖାଯାଉଛି ।
ଅନ୍ୟପଟେ, ନିଟ୍-ୟୁଜି ପେପର ଲିକ୍ ଘଟଣାକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ରଙ୍କ ପ୍ରତିବାଦ ଜାରି ରହିଛି । ସରକାର ଏହି ଦାବିକୁ ଖାରଜ କରିଥିଲେ ମଧ୍ୟ ଭବିଷ୍ୟତରେ ପେପର ଲିକ୍ ରୋକିବା ପାଇଁ କଠୋର ଆଇନ ଆଣିବା କଥା କହିଛନ୍ତି । ଏହାରି ମଧ୍ୟରେ ବରିଷ୍ଠ ଆରଏସଏସ ନେତା ଇନ୍ଦ୍ରେଶ କୁମାର ଅଭିଯୋଗ କରିଛନ୍ତି ଯେ, ଏହି ପ୍ରତିବାଦ ପଛରେ ଦେଶ ଓ ବିଦେଶର କିଛି ଶକ୍ତି କାମ କରୁଛନ୍ତି ।

