ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ଲାଠୋର ଅଞ୍ଚଳରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଅବିରତ ବର୍ଷା ପରେ ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାବେଳେ ଅନେକ ରାସ୍ତା ଜଳମଗ୍ନ ହୋଇପଡ଼ିଛି । ଫଳରେ ଯାତାୟାତରେ ଗୁରୁତର ବାଧା ସୃଷ୍ଟି ହୋଇଛି ।
ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ଲାଠୋର ଅଞ୍ଚଳରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଅବିରତ ବର୍ଷା ପରେ ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଥିବାବେଳେ ଅନେକ ରାସ୍ତା ଜଳମଗ୍ନ ହୋଇପଡ଼ିଛି । ଫଳରେ ଯାତାୟାତରେ ଗୁରୁତର ବାଧା ସୃଷ୍ଟି ହୋଇଛି । ଲାଠୋରର ରାଧାକୃଷ୍ଣ ମନ୍ଦିର ନିକଟସ୍ଥ ପୋଲ ଉପରେ ପ୍ରାୟ ଦୁଇ ଫୁଟ୍ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଛି । ପୋଲ ଉପରେ ପାଣି ଚାଲୁଥିବାରୁ ଲାଠୋର–ପାଟଣାଗଡ଼ ମୁଖ୍ୟ ସଡ଼କରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଦୁଇ ପାର୍ଶ୍ୱରେ ଗାଡ଼ି ଅଟକି ରହିଥିବା ବେଳେ ଲୋକମାନେ ଗନ୍ତବ୍ୟସ୍ଥଳକୁ ଯିବାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସେହିପରି ଉଦ୍ୟାବନ୍ଦ ରାସ୍ତାରେ ଥିବା ଭୂତଳ ରାସ୍ତା ମଧ୍ୟ ପାଣିରେ ବୁଡ଼ି ଯାଇଛି ।
ରାସ୍ତା ଉପରେ ପ୍ରବଳ ସ୍ରୋତରେ ପାଣି ବହୁଥିବାରୁ ଛୋଟ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସ୍ଥାନୀୟ ଲୋକେ ବିପଦକୁ ଖାତିର ନକରି ପାଣି ଭିତରେ ଯାତାୟାତ କରୁଥିବାରୁ ଦୁର୍ଘଟଣା ଆଶଙ୍କା ମଧ୍ୟ ବଢ଼ିଛି । ଲଗାଣ ବର୍ଷା ଜାରି ରହିଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହେବାର ସମ୍ଭାବନା ରହିଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଜଳମଗ୍ନ ରାସ୍ତା ଅତିକ୍ରମ ନ କରିବାକୁ ପରାମର୍ଶ ଦିଆଯାଇଥିବାବେଳେ ସମ୍ଭାବ୍ୟ ପରିସ୍ଥିତି ଉପରେ ନଜର ରଖାଯାଉଛି । ଜଳସ୍ତର କମିବା ପରେ ଯାତାୟାତ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି ।

