ଯେଉଁ ସାଇବର ସେଲ୍‌ ସହ ବିବାଦ , ସେହି ସାଇବର ସେଲ୍‌ରୁ ସମୟ ରୈନାଙ୍କୁ ସମ୍ମାନ

ଯେଉଁ ସାଇବର ସେଲ୍‌ ସହ ଥିଲା ବିବାଦ, ଏବେ ସେହି ସାଇବର ସେଲ୍‌ ପକ୍ଷରୁ ସମ୍ମାନିତ ହେଲେ କମେଡିଆନ୍ ସମୟ ରୈନା । ମୁମ୍ବାଇରେ ମହାରାଷ୍ଟ୍ର ସାଇବର ପକ୍ଷରୁ ଆୟୋଜିତ ଏକ ସାଇବର ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଉପସ୍ଥିତିରେ ସମୟ ରୈନାଙ୍କୁ ସମ୍ମାନିତ କରାଯାଇଛି ।

ଯେଉଁ ସାଇବର ସେଲ୍‌ ସହ ଥିଲା ବିବାଦ, ଏବେ ସେହି ସାଇବର ସେଲ୍‌ ପକ୍ଷରୁ ସମ୍ମାନିତ ହେଲେ କମେଡିଆନ୍ ସମୟ ରୈନା । ମୁମ୍ବାଇରେ ମହାରାଷ୍ଟ୍ର ସାଇବର ପକ୍ଷରୁ ଆୟୋଜିତ ଏକ ସାଇବର ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ଙ୍କ ଉପସ୍ଥିତିରେ ସମୟ ରୈନାଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ‘ଡିଜିଟାଲ ଆରେଷ୍ଟ’ ନାମକ ସାଇବର ସଚେତନତା ସର୍ଟ ଫିଲ୍ମ ଏବଂ ‘୧୯୩୦ ମହାରାଷ୍ଟ୍ର ସାଇବର ଆନ୍ଥେମ୍’ ଲଞ୍ଚ କରାଯାଇଥିଲା । ଅନଲାଇନ୍ ଠକେଇ ଓ ଡିଜିଟାଲ ଆରେଷ୍ଟ ଭଳି ସାଇବର ଅପରାଧ ବିରୋଧରେ ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ସମ୍ମାନ ଗ୍ରହଣ କରିବା ପରେ ସମୟ ରୈନା ନିଜର ପୁରୁଣା ବିବାଦକୁ ନେଇ ମଜାଳିଆ ଅନ୍ଦାଜରେ କଥା କହିଥିଲେ। ସେ କହିଥିଲେ, ମହାରାଷ୍ଟ୍ର ସାଇବର ସହ ତାଙ୍କ ସମ୍ପର୍କ ବହୁତ ପୁରୁଣା ।

ଏପରିକି ସାଇବର ହେଲ୍ପଲାଇନ୍ ନମ୍ବର ୧୯୩୦କୁ ନେଇ ମଧ୍ୟ ସେ ମଜା କରିଥିଲେ । ସମୟ କହିଥିଲେ, ୧୯୩୦ ଏକ ଭଲ ନମ୍ବର ଏବଂ ସେ ଏହାକୁ ନିଜ ଫୋନରେ ସେଭ୍ କରି ରଖିଛନ୍ତି, କାରଣ ସାଇବର ସେଲ୍‌ ପକ୍ଷରୁ ତାଙ୍କୁ ପୂର୍ବରୁ ଫୋନ୍ ଆସିଛି । ନିଜର ପୂର୍ବ ଅନୁଭୂତିକୁ ନେଇ ସେ ମଜାଳିଆ ଢଙ୍ଗରେ ସାଇବର ସେଲ୍‌ର କାର୍ଯ୍ୟଦକ୍ଷତାକୁ ମଧ୍ୟ ପ୍ରଶଂସା କରିଥିଲେ । ଏହି ଘଟଣାକୁ ଅନେକେ ‘ଫୁଲ୍ ସର୍କଲ୍ ମୋମେଣ୍ଟ’ ବୋଲି କହୁଛନ୍ତି । କାରଣ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ବିବାଦ ପରେ ସମୟ ରୈନାଙ୍କ ବିରୋଧରେ ମହାରାଷ୍ଟ୍ର ସାଇବର ପକ୍ଷରୁ ତଦନ୍ତ ହୋଇଥିଲା । ଏବେ ସେହି ସାଇବର ସେଲ୍‌ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି । ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବରରେ ଯୋଗାଯୋଗ କରିବାକୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଛି ।

Leave a Reply

Your email address will not be published. Required fields are marked *