ମୟୂରଭଞ୍ଜରେ ବଢ଼ିବାରେ ଲାଗିଛି କର୍କଟ ରୋଗୀଙ୍କ ସଂଖ୍ୟା । ଏହାର ପ୍ରତିରୋଧ, ଚିହ୍ନଟ ଓ ନିରାକରଣ ଦିଗରେ ନିଆଯାଇଛି ଏକ ଐତିହାସିକ ପଦକ୍ଷେପ । ପ୍ରକାଶ ପାଇଛି ଜିଲ୍ଲାର ପ୍ରଥମ ଜନସଂଖ୍ୟା ଭିତ୍ତିକ କର୍କଟ ରୋଗୀ ପଞ୍ଜିକରଣ ବା ପିବିସିଆର ରିପୋର୍ଟ ।
ମୟୂରଭଞ୍ଜରେ ବଢ଼ିବାରେ ଲାଗିଛି କର୍କଟ ରୋଗୀଙ୍କ ସଂଖ୍ୟା । ଏହାର ପ୍ରତିରୋଧ, ଚିହ୍ନଟ ଓ ନିରାକରଣ ଦିଗରେ ନିଆଯାଇଛି ଏକ ଐତିହାସିକ ପଦକ୍ଷେପ । ପ୍ରକାଶ ପାଇଛି ଜିଲ୍ଲାର ପ୍ରଥମ ଜନସଂଖ୍ୟା ଭିତ୍ତିକ କର୍କଟ ରୋଗୀ ପଞ୍ଜିକରଣ ବା ପିବିସିଆର ରିପୋର୍ଟ । ସ୍ୱାସ୍ଥ୍ୟ ବିଭାଗ ଓ ଟାଟା ମେମୋରିଆଲ ସେଣ୍ଟରର ମିଳିତ ପ୍ରୟାସରେ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁଯାୟୀ, ମୟୂରଭଞ୍ଜରେ ବର୍ଷକ ମଧ୍ୟରେ ୧୧୭୦ ନୂଆ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି। ଚିନ୍ତାଜନକ ବିଷୟ ହେଉଛି, ପୁରୁଷଙ୍କ ମଧ୍ୟରେ ‘ମୁଖ କର୍କଟ’ ବା ଓରାଲ କ୍ୟାନସର ଏବଂ ମହିଳାମାନଙ୍କ ଠାରେ ‘ସ୍ତନ କର୍କଟ’ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ, ପ୍ରଖ୍ୟାତ ଟାଟା ମେମୋରିଆଲ୍ ସେଣ୍ଟର ପକ୍ଷରୁ ଅଗଷ୍ଟ ୨୦୨୩ରୁ ମେ ୨୦୨୫ ମଧ୍ୟରେ ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ସମୟରେ ୫ହଜାର ୭୬୮ ଜଣଙ୍କର ଯାଞ୍ଚ କରାଯାଇ ପ୍ରାରମ୍ଭିକ ପର୍ଯ୍ୟାୟରେ ୭୨ ଜଣଙ୍କ ଠାରେ କର୍କଟ ରୋଗ ଚିହ୍ନଟ କରାଯାଇଛି, ଯାହା ସେମାନଙ୍କ ଜୀବନ ରକ୍ଷାରେ ସହାୟକ ହେବ। ପିଆରଏମ୍ ମେଡିକାଲ କଲେଜରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ତଥା ସଚିବ ଡ଼ଃ ଅଜିତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ଟିଏମସି ମୁମ୍ବାଇର ଡାଇରେକ୍ଟର ଡାକ୍ଟର ସୁଦୀପ ଗୁପ୍ତା, ନାଇଜରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ର ନାଥ ଘୋଷଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

