ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଜାରି ରଖିଥିବା ସମାଜସେବୀ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଅବନତି ହେବା ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଜାରି ରଖିଥିବା ସମାଜସେବୀ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଅବନତି ହେବା ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହେବାର କିଛି ସମୟ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ହସ୍ପିଟାଲରେ ପହଞ୍ଚି ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ସରକାର ପକ୍ଷରୁ ତାଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଉଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ୱାଙ୍ଗଚୁକ ଜୁନ୍ ୨୮ରୁ ଅନଶନରେ ବସିଛନ୍ତି । ଅସୁସ୍ଥତା ସତ୍ତ୍ୱେ ସେ ନିଜର ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ତାଙ୍କ ସ୍ତ୍ରୀଙ୍କ ଆବେଦନ ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ପସନ୍ଦର ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଥିଲେ ।
ଏହି ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏବେ ସମସ୍ତଙ୍କ ନଜର ରହିଛି ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ କି ନାହିଁ ଏବଂ ଆନ୍ଦୋଳନକୁ ନେଇ ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କୌଣସି ସକାରାତ୍ମକ ଆଲୋଚନାର ବାଟ ଫିଟିବ କି ନାହିଁ ।

