ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ନାଟୋ ଦେଶଗୁଡ଼ିକର ସୀମା ଭିତରକୁ ପଶି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଆମେରିକା ଗୁଇନ୍ଦା ସଂସ୍ଥା ଚେତାବନୀ ଦେଇଛି ।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ନାଟୋ ଦେଶଗୁଡ଼ିକର ସୀମା ଭିତରକୁ ପଶି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ନେଇ ଆମେରିକା ଗୁଇନ୍ଦା ସଂସ୍ଥା ଚେତାବନୀ ଦେଇଛି । ଆମେରିକୀୟ ଗୁପ୍ତଚର ଆକଳନ ଅନୁଯାୟୀ, ରୁଷିଆ ସିଧାସଳଖ ସାମରିକ ଆକ୍ରମଣ ନକରି ”ହାଇବ୍ରିଡ୍ ଅପରେସନ୍” ଅର୍ଥାତ୍ ସାଇବର ଆକ୍ରମଣ, ଗୁପ୍ତ ସାବୋଟାଜ୍ ଏବଂ ଗୁପ୍ତ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି କରିପାରେ। ବିଶେଷ କରି ଟ୍ରମ୍ପ ପ୍ରଶାସନ ଏବଂ ନାଟୋର ଏକତାକୁ ପରଖିବା ପାଇଁ ପୁଟିନ୍ ଏହିପରି ପଦକ୍ଷେପ ନେଉଥିବା କୁହାଯାଉଛି ।
ନିକଟରେ ଜର୍ମାନୀର ଲେପଜିଗ୍ ବିମାନବନ୍ଦରରୁ ବିସ୍ଫୋରକ ଭର୍ତ୍ତି ଏକ ରୁଷୀୟ ଡ୍ରୋନ୍ ଜବତ ହେବା ପରେ ଏହି ସନ୍ଦେହ ଆହୁରି ଦୃଢ଼ ହୋଇଛି। ଏହା ବ୍ୟତୀତ ରୋମାନିଆ ଏବଂ ପୋଲାଣ୍ଡ ଆକାଶମାର୍ଗରେ ରୁଷୀୟ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଅନୁପ୍ରବେଶ ଘଟଣା ନାଟୋ ଦେଶଗୁଡ଼ିକର ଚିନ୍ତା ବଢ଼ାଇଦେଇଛି। ନାଟୋ ମହାସଚିବ ମାର୍କ ରୁଟେ ଚେତାବନୀ ଦେଇଛନ୍ତି ଯେ, ରୁଷିଆ ନିଜର ଆକ୍ରାମକ ମନୋଭାବ ବୃଦ୍ଧି କରୁଛି ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ସାମରିକ ପଦକ୍ଷେପ ପାଇଁ ପ୍ରସ୍ତୁତ ହୋଇପାରେ।
ଅନ୍ୟପଟେ, ୟୁକ୍ରେନ୍ ଯୁଦ୍ଧରେ ରୁଷିଆ ବ୍ୟାପକ ସୈନ୍ୟ କ୍ଷତି ସହିବାରେ ଲାଗିଛି। ସିଆଇଏ ନିର୍ଦ୍ଦେଶକ ଜନ୍ ରୋଟକ୍ଲିଫଙ୍କ ଅନୁଯାୟୀ, ରୁଷିଆ ପ୍ରତିମାସରେ ପ୍ରାୟ ୩୦,୦୦୦ ସୈନ୍ୟ ହରାଉଛି, ଯାହା ସେମାନଙ୍କ ନୂତନ ସୈନ୍ୟ ନିଯୁକ୍ତି ହାରଠାରୁ ଯଥେଷ୍ଟ ଅଧିକ। ଯୁଦ୍ଧ କ୍ଷେତ୍ରରେ କୌଣସି ସ୍ପଷ୍ଟ ସଫଳତା ନମିଳିବା ଏବଂ କୂଟନୈତିକ ଆଲୋଚନା ସ୍ଥାଣୁ ହୋଇପଡ଼ିବା କାରଣରୁ ପୁଟିନ୍ ଅଧିକ ବିପଜ୍ଜନକ ଆସୁରୀୟ କାର୍ଯ୍ୟପନ୍ଥା ଆପଣାଇବାକୁ ପଛାଉନାହାନ୍ତି। ତେବେ ନାଟୋ ସାମରିକ ବାହିନୀ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଛି।

