ଲଗାଣ ବର୍ଷା ରାଜଧାନୀର ଡ୍ରେନେଜ୍ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି । ଖୋଲା ଓ ମୁକୁଳା ଡ୍ରେନ ଏବେ ସହରବାସୀଙ୍କ ପାଇଁ ମୃତ୍ୟୁଫାଶ ପାଲଟିଛି । ଭୁବନେଶ୍ୱରରେ ଜଣେ ଯୁବକ ଡ୍ରେନରେ ଭାସି ନିଖୋଜ ହେବା ଘଟଣା ପରେ ସମଗ୍ର ରାଜ୍ୟରେ ମୁକୁଳା ଡ୍ରେନକୁ ନେଇ ପୁଣି ଥରେ ଉଠିଛି ସୁରକ୍ଷା ପ୍ରଶ୍ନ ।
ଲଗାଣ ବର୍ଷା ରାଜଧାନୀର ଡ୍ରେନେଜ୍ ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି । ଖୋଲା ଓ ମୁକୁଳା ଡ୍ରେନ ଏବେ ସହରବାସୀଙ୍କ ପାଇଁ ମୃତ୍ୟୁଫାଶ ପାଲଟିଛି । ଭୁବନେଶ୍ୱରରେ ଜଣେ ଯୁବକ ଡ୍ରେନରେ ଭାସି ନିଖୋଜ ହେବା ଘଟଣା ପରେ ସମଗ୍ର ରାଜ୍ୟରେ ମୁକୁଳା ଡ୍ରେନକୁ ନେଇ ପୁଣି ଥରେ ଉଠିଛି ସୁରକ୍ଷା ପ୍ରଶ୍ନ । ନିଖୋଜ ଯୁବକଙ୍କ ସନ୍ଧାନ ପାଇଁ ଦ୍ୱିତୀୟ ଦିନରେ ମଧ୍ୟ ଉଦ୍ଧାରକାରୀ ଦଳର ସର୍ଚ୍ଚ ଅପରେସନ ଜାରି ରହିଛି । ୨୧ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ ।
ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଅନ୍ୟ ଉଦ୍ଧାରକାରୀ ଟିମ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛନ୍ତି । କେବଳ ଭୁବନେଶ୍ୱର ନୁହେଁ, କଟକ, ବ୍ରହ୍ମପୁର ଓ ସମ୍ବଲପୁର ଭଳି ପ୍ରମୁଖ ସହରରେ ମଧ୍ୟ ଖୋଲା ଡ୍ରେନ ଓ ଜଳମଗ୍ନ ରାସ୍ତା ସାଧାରଣ ଲୋକଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି । ବର୍ଷା ହେଲେ ରାସ୍ତା ଓ ଡ୍ରେନ ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର ହୋଇପଡ଼ୁଛି । ଏପରି ପରିସ୍ଥିତିରେ ଯେକୌଣସି ମୁହୂର୍ତ୍ତରେ ବଡ଼ ଅଘଟଣ ଘଟିପାରେ ବୋଲି ଆଶଙ୍କା ବଢ଼ିଛି । ଏହି ଘଟଣା ପରେ ସହରାଞ୍ଚଳରେ ମୁକୁଳା ଡ୍ରେନ ଉପରେ ସୁରକ୍ଷା ବ୍ୟବସ୍ଥା, ଡ୍ରେନ ଢାଙ୍କିବା ଓ ବର୍ଷାକାଳୀନ ଜଳନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦାବି ଜୋର ଧରିଛି । ସ୍ଥାନୀୟ ଲୋକମାନେ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

