ମଦ ଭାଙ୍ଗିଥିଲା ସଂସାର, ଶିକ୍ଷା ବଦଳାଇଲା ଗାଁର ଭାଗ୍ୟ

ମଦ ଭାଙ୍ଗିଥିଲା ସଂସାର, ଶିକ୍ଷା ବଦଳାଇଲା ଗାଁର ଭାଗ୍ୟ । ୫୦ଟି ପରିବାର ଥିବା ଛୋଟ ଆଦିବାସୀ ଗାଁ ସାଜିଲା ପ୍ରେରଣାର ନୂଆ ଠିକଣା । ନିଶା ଯୋଗୁଁ ଅକାଳ ମୃତ୍ୟୁର ଯନ୍ତ୍ରଣାରୁ ଜନ୍ମ ନେଲା ସଙ୍କଳ୍ପ ।

କେବେ ଗାଁର ଚିହ୍ନ ଥିଲା ନିଶା। ମଦରେ ଉଜୁଡ଼ୁଥିଲା ପରିବାର। ଅକାଳରେ ଚାଲିଯାଉଥିଲା ଜୀବନ। ଆଉ ଆଜି ସେଇ ଗାଁ ସାଜିଛି ପ୍ରେରଣାର ଠିକଣା। ମାତ୍ର ୫୦ଟି ପରିବାର ଥିବା ଏହି ଛୋଟ ଆଦିବାସୀ ଗାଁରୁ ବାହାରିଛନ୍ତି ୩୫ରୁ ଅଧିକ ସରକାରୀ ଚାକିରିଆ। ଆମେ କହୁଛୁ କେନ୍ଦୁଝର ଜିଲ୍ଲାର ଖଜୁରୀପଦା ଗାଁର କଥା। କିଏ କେନ୍ଦ୍ର ସରକାର ଅଧୀନରେ କାମ କରୁଛନ୍ତି, ତ କିଏ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ। ନିଜ ସଫଳତାରେ କେବଳ ପରିବାର ନୁହେଁ, ସମଗ୍ର ଗାଁର ଭାଗ୍ୟ ବଦଳାଇଦେଇଛନ୍ତି କିଛି ଯୁବାବର୍ଗ।  

ଛୋଟ ଗାଁର ବଡ଼ ବାର୍ତ୍ତା
ନିଶା ନୁହେଁ ଜ୍ଞାନ ହିଁ ଅସଲ ପରିଚୟ
ପାଠରେ ଅଛି ଜୀବନର ପ୍ରକୃତ ସଂଜ୍ଞା 

କେନ୍ଦୁଝର ଜିଲ୍ଲାର ଛୋଟ ଆଦିବାସୀ ଗାଁ ଖଜୁରୀପଦା। ଚାରିପଟେ ପାହାଡ ଆଉ ମଝିରେ ରହିଛି ଏହି ଛୋଟ ଗାଁଟି। ଗାଁରେ ରହିଛି ପାଖାପାଖି ୫୦ଟି ଘର । କିନ୍ତୁ ଏହି ଛୋଟ ଗାଁ ଆଜି ତିଆରି କରିଛି ବଡ଼ ଉଦାହରଣ। ଏଠାରୁ ୩୫ରୁ ଅଧିକ ଯୁବକ ଯୁବତୀ ସରକାରୀ ଚାକିରିଆ। ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ହେଲେ ଏହି ସଫଳତା ପଛରେ ରହିଛି ଗଭୀର ଯନ୍ତ୍ରଣାର କାହାଣୀ। ଦିନ ଥିଲା, ଗାଁର ଅଧିକାଂଶ ଲୋକ ନିଶାରେ ବୁଡ଼ି ରହୁଥିଲେ। ମଦ କାହାର ବାପାଙ୍କୁ ଛଡେଇ ନେଇଛି ତ କାହାର ସ୍ୱାମୀଙ୍କୁ। ଅନେକ ପରିବାର ଦେଖିଛନ୍ତି ଅକାଳ ମୃତ୍ୟୁର ଯନ୍ତ୍ରଣା। ସେଇ ଯନ୍ତ୍ରଣାକୁ ହୃଦୟରେ ନେଇ ଆଜି ଗାଁର ଯୁବାବର୍ଗ ନେଇଛନ୍ତି ଏକ ସଙ୍କଳ୍ପ। ‘ନିଶା ନୁହେଁ, ଶିକ୍ଷା ହେଉ ଆମର ପରିଚୟ’ ଏଭଳି ବାର୍ତ୍ତା ଦେଉଛନ୍ତି ଏହି ଗାଁର ଯୁବକ। 
 

ରଜ ପର୍ବର ଖୁସି ଭିତରେ ଏଥର ଥିଲା ସଚେତନତାର ସ୍ୱର।ପାରମ୍ପରିକ ବାଜାର ତାଳେ ତାଳେ ଝୁମୁଥିଲେ ଯୁବାବର୍ଗ, ଆଉ ହାତରେ ଥିଲା ସଚେତନତାର ବାର୍ତ୍ତା। ଯେଉଁମାନେ ଆଜି ଦେଶର ବିଭିନ୍ନ ସ୍ଥାନରେ ଚାକିରି କରୁଛନ୍ତି, ସେମାନେ ଛୁଟିରେ ଗାଁକୁ ଆସି ଛୋଟ ପିଲାମାନଙ୍କୁ ପଢ଼ାଉଛନ୍ତି, ପ୍ରେରଣା ଦେଉଛନ୍ତି, ଆଗକୁ ବଢ଼ିବାର ସ୍ୱପ୍ନ ଦେଖାଉଛନ୍ତି।
ଆଜି ଖଜୁରୀପଦା କେବଳ ଏକ ଗାଁ ନୁହେଁ । ଏହା ହେଉଛି ସଂଘର୍ଷରୁ ସଫଳତାକୁ ଯିବାର ଜୀବନ୍ତ କାହାଣୀ।
 

ଯେଉଁ ଗାଁରେ କେବେ କେବଳ ନିଶାରେ ବୁଡ଼ିକି ଥିଲା। ପ୍ରତିଦିନ ନିନ୍ଦିତ ହେଉଥିଲା, ପ୍ରତି ପରିବାର ଦୁଃଖ ଦୁର୍ଦଶାରେ ବୁଡ଼ି ରହୁଥିଲା। ସେଇ ଗାଁରେ ଆଜି ପୁସ୍ତକ ହେଉଛି ନୂଆ ପରିଚୟ। ଏଠି କେହି କାହାକୁ ଉପଦେଶ ଦେଉନାହାନ୍ତି ବରଂ ନିଜ ଜୀବନର ସଂଘର୍ଷକୁ ଉଦାହରଣ କରି ଅନ୍ୟମାନଙ୍କୁ ପ୍ରେରଣା ଦିଅନ୍ତି, ପାଦ କାଢ଼ି ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରନ୍ତି। ଆଉ ଗାଁର ଯୁବାବର୍ଗ କୁହନ୍ତି- ‘ପରିସ୍ଥିତି ଯେତେ କଠିନ ହେଉ ପଛେ ସ୍ୱପ୍ନ ଦେଖିବା ଛାଡ଼ିବାନି’। 

Leave a Reply

Your email address will not be published. Required fields are marked *