ତୃତୀୟ ମାନ୍ୟତାପ୍ରାପ୍ତ ଈଶାରାଣୀ ବରୁଆ ଚାଇନିଜ୍ ତାଇପେଇର ହୁଆଙ୍ଗ ଚିଙ୍ଗ ପିଙ୍ଗ୍ଙ୍କୁ ସିଧାସଳଖ ୨୧-୧୫, ୨୧-୧୮ ସେଟ୍ରେ ପରାସ୍ତ କରିଥିବା ବେଳେ ଷଷ୍ଠ ମାନ୍ୟତାପ୍ରାପ୍ତ ରକ୍ଷିତା ଶ୍ରୀ ୨୧-୧୨, ୨୧-୧୦ରେ ଅନ୍ୟତମ ଭାରତୀୟ ଖେଳାଳି ମାନସୀ ସିଂହଙ୍କୁ ମାତ୍ ଦେଇଛନ୍ତି।
ଚାଲିଥିବା ଭିଏତ୍ନାମ ଓପନ୍ ସୁପର ୧୦୦ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ମହିଳା ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତର ତିନି ଜଣ ମହିଳା ସିଙ୍ଗଲ୍ସ ଖେଳାଳି ତନ୍ବୀ ଶର୍ମା, ଈଶାରାଣୀ ବରୁଆ ଏବଂ ରକ୍ଷିତା ଶ୍ରୀ ସନ୍ତୋଷ ରାମରାଜ ନିଜ ନିଜ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଜିତି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି।
ଏକ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲ୍ ମୁକାବିଲାରେ ତନ୍ବୀ ଶର୍ମା ବିଶ୍ୱର ୨୭ ନମ୍ବର ତଥା ଶୀର୍ଷ ମାନ୍ୟତାପ୍ରାପ୍ତ ନିଜ ଦେଶର ମାଳବିକା ବଂଶୁଦଙ୍କୁ ୨୧-୧୮, ୧୫-୨୧, ୨୧-୧୪ ସେଟ୍ରେ ପରାସ୍ତ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ସେମିଫାଇନାଲ୍ରେ ତନ୍ବୀ ଥାଇଲାଣ୍ଡର ସରୁନରାକ୍ ଭିତିଦ୍ସର୍ନଙ୍କ ସହିତ ମୁହାଁମୁହିଁ ହେବେ।
ଅନ୍ୟପକ୍ଷରେ, ତୃତୀୟ ମାନ୍ୟତାପ୍ରାପ୍ତ ଈଶାରାଣୀ ବରୁଆ ଚାଇନିଜ୍ ତାଇପେଇର ହୁଆଙ୍ଗ ଚିଙ୍ଗ ପିଙ୍ଗ୍ଙ୍କୁ ସିଧାସଳଖ ୨୧-୧୫, ୨୧-୧୮ ସେଟ୍ରେ ପରାସ୍ତ କରିଥିବା ବେଳେ ଷଷ୍ଠ ମାନ୍ୟତାପ୍ରାପ୍ତ ରକ୍ଷିତା ଶ୍ରୀ ୨୧-୧୨, ୨୧-୧୦ରେ ଅନ୍ୟତମ ଭାରତୀୟ ଖେଳାଳି ମାନସୀ ସିଂହଙ୍କୁ ମାତ୍ ଦେଇଛନ୍ତି। ଏବେ ସେମିଫାଇନାଲ୍ରେ ଈଶାରାଣୀ ଓ ରକ୍ଷିତା ପରସ୍ପରକୁ ଭେଟିବାକୁ ଥିବାରୁ ଫାଇନାଲ୍ରେ ଜଣେ ଭାରତୀୟଙ୍କ ସ୍ଥାନ ନିଶ୍ଚିତ ହୋଇଛି।
ତେବେ ମିଶ୍ରିତ ଯୁଗଳରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ଭାରତୀୟ ଯୋଡ଼ି ବିମଳରାଜ ଆନ୍ନାଦୁରାଇ ଓ ଶ୍ରେୟା ବାଲାଜୀ ୧୨-୨୧, ୧୧-୨୧ ସେଟ୍ରେ ଇଣ୍ଡୋନେସିଆ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।

