ବିଶ୍ୱ ବଜାରରେ ବ୍ରହ୍ମୋସ୍‌ର ଚାହିଦା ବଢ଼ିଲା, ପାକିସ୍ତାନରେ ପରାକ୍ରମ ଦେଖାଇବା ପରେ ବଢ଼ିଲା ଆଗ୍ରହ

ଭାରତୀୟ ସେନାର ଏହି ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ଏବେ ଅନ୍ତର୍ଜାତୀୟ ଅସ୍ତ୍ର ବଜାରରେ କ୍ରେତାଙ୍କ ପ୍ରଥମ ପସନ୍ଦ ପାଲଟିଛି । ପାକିସ୍ତାନ ବିରୋଧରେ ଅପରେସନ୍ ସିନ୍ଦୂର ସମୟରେ ଏହାର ପ୍ରଦର୍ଶନ ଅନ୍ତର୍ଜାତୀୟ ବଜାରରେ ଏହାର ଗୁରୁତ୍ୱକୁ ଆହୁରି ବଢ଼ାଇଛି ବୋଲି ବ୍ରହ୍ମୋସ୍ ଏରୋସ୍ପେସ୍‌ର ସିଇଓ ଜୟତୀର୍ଥ ଯୋଶୀ କହିଛନ୍ତି ।

ବିଶ୍ୱ ବଜାରରେ ବଢ଼ୁଛି ଭାରତର ଶକ୍ତିଶାଳୀ ବ୍ରହ୍ମୋସ୍ ମିସାଇଲ୍‌ର ଚାହିଦା । ଭାରତୀୟ ସେନାର ଏହି ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ଏବେ ଅନ୍ତର୍ଜାତୀୟ ଅସ୍ତ୍ର ବଜାରରେ କ୍ରେତାଙ୍କ ପ୍ରଥମ ପସନ୍ଦ ପାଲଟିଛି । ପାକିସ୍ତାନ ବିରୋଧରେ ଅପରେସନ୍ ସିନ୍ଦୂର ସମୟରେ ଏହାର ପ୍ରଦର୍ଶନ ଅନ୍ତର୍ଜାତୀୟ ବଜାରରେ ଏହାର ଗୁରୁତ୍ୱକୁ ଆହୁରି ବଢ଼ାଇଛି ବୋଲି ବ୍ରହ୍ମୋସ୍ ଏରୋସ୍ପେସ୍‌ର ସିଇଓ ଜୟତୀର୍ଥ ଯୋଶୀ କହିଛନ୍ତି । ଚାହିଦା ବଢ଼ୁଥିବାରୁ କମ୍ପାନି ଉତ୍ପାଦନ କ୍ଷମତା ବଢ଼ାଇବା ସହ ଏହାର ପରବର୍ତ୍ତୀ ପିଢ଼ିର ମିସାଇଲ୍ ବିକଶିତ କରିବା ଉପରେ ଗୁରୁତ୍ୱ ଦେଉଛି ।

ଅନ୍ତର୍ଜାତୀୟ ବଜାରରେ ବଢ଼ୁଛି ଚାହିଦା
ବ୍ରହ୍ମୋସ୍ ଏରୋସ୍ପେସ୍‌କୁ ୨୦୨୨ ମସିହାରେ ଫିଲିପାଇନ୍ସଠାରୁ ପ୍ରଥମ ରପ୍ତାନି ଅର୍ଡର ମିଳିଥିଲା। ଏହାପରେ ଏହି ମିସାଇଲ୍ ପାଇଁ ଅନ୍ତର୍ଜାତୀୟ ବଜାରରେ ଆଗ୍ରହ ବଢ଼ିଛି । କମ୍ପାନିର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଜୟତୀର୍ଥ ଯୋଶୀଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପୂର୍ବ ଏସିଆର ଆଉ ଦୁଇଟି ଦେଶ ସହ ଚୁକ୍ତି ହୋଇଛି ।

ଯୋଶୀଙ୍କ କହିବା ଅନୁଯାୟୀ, ୨୦୨୫ରେ ଯୁଦ୍ଧ କ୍ଷେତ୍ରରେ ଏହାର ପ୍ରଦର୍ଶନ ଚର୍ଚ୍ଚାକୁ ଆସିବା ପୂର୍ବରୁ ହିଁ ବ୍ରହ୍ମୋସ୍‌ର ରପ୍ତାନି ସଫଳତା ଆରମ୍ଭ ହୋଇସାରିଥିଲା । ଅପରେସନ୍ ସିନ୍ଦୂର ସମୟରେ ମିସାଇଲ୍‌ର ପ୍ରଦର୍ଶନ ଅନ୍ତର୍ଜାତୀୟ ବଜାରରେ ଏହାର ସ୍ଥିତିକୁ ଆହୁରି ମଜଭୁତ କରିଛି ।
ଭାରତର ପ୍ରତିରକ୍ଷା ରପ୍ତାନି ୩୮,୪୦୦ କୋଟି ଟଙ୍କାରେ ପହଞ୍ଚିଥିବା ରିପୋର୍ଟରେ କୁହାଯାଇଛି । ଏଥିରେ ବାର୍ଷିକ ୬୨.୭ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି । ଏହି ଚାହିଦାକୁ ପୂରଣ କରିବା ପାଇଁ ବ୍ରହ୍ମୋସ୍ ଏରୋସ୍ପେସ୍ ନିଜର ଯୋଗାଣ ବ୍ୟବସ୍ଥାକୁ ମଜଭୁତ କରୁଛି । ଭାରତୀୟ ସଶସ୍ତ୍ର ବାହିନୀର ଅର୍ଡର ସହ ବିଦେଶୀ ଦେଶଗୁଡ଼ିକର ସମ୍ଭାବ୍ୟ ଚାହିଦାକୁ ପୂରଣ କରିବା ଏହାର ଲକ୍ଷ୍ୟ। ହାଇଦ୍ରାବାଦ, ନାଗପୁର, ପିଲାନି ଓ ଲକ୍ଷ୍ନୌରେ ଥିବା ଉତ୍ପାଦନ ୟୁନିଟ୍‌ଗୁଡ଼ିକ ଅର୍ଡର ପୂରଣ ପାଇଁ କାମ କରୁଛନ୍ତି ।

ମିସାଇଲ୍ ନିର୍ମାଣ ପାଇଁ ଆବଶ୍ୟକ ଉପକରଣ ଓ ଅଂଶ ଯୋଗାଣ କରୁଥିବା ସଂସ୍ଥାଗୁଡ଼ିକର ନେଟୱର୍କକୁ କମ୍ପାନି ବିସ୍ତାର କରିବାକୁ ଯୋଜନା କରୁଛି । ସପ୍ଲାୟରଙ୍କ ସଂଖ୍ୟାକୁ ଗୋଟିଏ କିମ୍ବା ଦୁଇଟିରୁ ବଢ଼ାଇ ୪୫ରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ଯୋଗାଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ ଉତ୍ପାଦର ଗୁଣବତ୍ତା ଓ ମୂଲ୍ୟ କ୍ଷେତ୍ରରେ ପ୍ରତିଯୋଗିତା ବଢ଼ିବ । ଏଥିସହ ଆଗାମୀ ପିଢ଼ିର ବ୍ରହ୍ମୋସ୍ ମିସାଇଲ୍ ପାଇଁ ଆବଶ୍ୟକ ଉନ୍ନତ ପ୍ରଯୁକ୍ତି ବିକାଶ ଉପରେ ମଧ୍ୟ କମ୍ପାନି ଧ୍ୟାନ ଦେଉଛି ।

ବ୍ରହ୍ମୋସ୍‌ର ପରବର୍ତ୍ତୀ ପିଢ଼ିର ମିସାଇଲ୍ ବ୍ରହ୍ମୋସ୍-NGକୁ ନେଇ ମଧ୍ୟ ବଡ଼ ଯୋଜନା ରହିଛି । ୨୦୨୮ ସୁଦ୍ଧା ଏହାର ପ୍ରୋଟୋଟାଇପ୍ ପ୍ରସ୍ତୁତ ହେବାର ଆଶା ରହିଛି । ଏହି ନୂଆ ମିସାଇଲ୍‌କୁ ଆକାରରେ ଛୋଟ, ଓଜନରେ ହାଲୁକା ଏବଂ ରାଡାର୍‌ରେ ଚିହ୍ନଟ କରିବା କଷ୍ଟକର ହେଉଥିବା ଷ୍ଟେଲ୍‌ଥ ସୁପରସୋନିକ୍ କ୍ରୁଜ୍ ମିସାଇଲ୍ ଭାବେ ବିକଶିତ କରାଯାଉଛି । ବ୍ରହ୍ମୋସ୍-NG ଆସିବା ପରେ ଭାରତର ବାୟୁସେନାରୁ ଆକ୍ରମଣ କରିବାର କ୍ଷମତା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି । ଏହା ସହିତ ରପ୍ତାନି ବଜାରରେ ଭାରତର ପ୍ରତିରକ୍ଷା କ୍ଷେତ୍ରକୁ ନୂଆ ସୁଯୋଗ ମିଳିପାରେ । ବ୍ରହ୍ମୋସ୍‌ର ବଢ଼ୁଥିବା ଚାହିଦା, ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ ଏବଂ ନୂଆ ପିଢ଼ିର ମିସାଇଲ୍ ବିକାଶ ଭାରତର ପ୍ରତିରକ୍ଷା ଶିଳ୍ପକୁ ଆହୁରି ମଜଭୁତ କରିବାର ଆଶା ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *