ବାଲିଯାତ୍ରା ପାଇଁ ବଢ଼ିଲା ପ୍ଲଟ୍ ପଞ୍ଜୀକରଣ ଅବଧି, ୩୧ ଯାଏଁ ମିଳିବ ସୁଯୋଗ

କଟକ ବାଲିଯାତ୍ରାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ। ଷ୍ଟଲ୍‌ ପକାଇବା ପାଇଁ ଏବେ ସୁଦ୍ଧା ପ୍ରାୟ ୧୦୦୦ ପ୍ଲଟ୍‌ର ପଞ୍ଜୀକରଣ ଶେଷ ହୋଇଛି । ଆଉ ଅଳ୍ପ କିଛି ପ୍ଲଟ୍ ଖାଲି ଥିବାରୁ ପଞ୍ଜୀକରଣ ଅବଧିକୁ ଆଉ ଗୋଟିଏ ଦିନ ବଢ଼ାଇଛି ପ୍ରଶାସନ ।

କଟକ ବାଲିଯାତ୍ରାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ। ଷ୍ଟଲ୍‌ ପକାଇବା ପାଇଁ ଏବେ ସୁଦ୍ଧା ପ୍ରାୟ ୧୦୦୦ ପ୍ଲଟ୍‌ର ପଞ୍ଜୀକରଣ ଶେଷ ହୋଇଛି । ଆଉ ଅଳ୍ପ କିଛି ପ୍ଲଟ୍ ଖାଲି ଥିବାରୁ ପଞ୍ଜୀକରଣ ଅବଧିକୁ ଆଉ ଗୋଟିଏ ଦିନ ବଢ଼ାଇଛି ପ୍ରଶାସନ । ଅକ୍ଟୋବର ୩୧ ଯାଏଁ ପଞ୍ଜୀକରଣ କରିପାରିବେ ଆଗ୍ରହୀ ବ୍ୟବସାୟୀ ଓ ବିଭିନ୍ନ ଅନୁଷ୍ଠାନ । ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ମହାନଦୀ ତଟରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା।

ଐତିହାସିକ ବାଲିଯାତ୍ରା କଟକ-୨୦୨୬କୁ ନେଇ ବ୍ୟବସାୟୀ, ଉଦ୍ୟୋଗୀ ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ବଢ଼ୁଛି ଉତ୍ସାହ। ଚଳିତ ବର୍ଷ ଷ୍ଟଲ୍ ସ୍ଥାପନ ପାଇଁ ପ୍ରାୟ ୧୦୦୦ ପ୍ଲଟ୍‌ର ପଞ୍ଜୀକରଣ ସରିଥିବା ବେଳେ ଆଉ ଅଳ୍ପ କିଛି ପ୍ଲଟ୍ ଖାଲି ରହିଛି । ତେବେ ବାତ୍ୟା ଅର୍ଣ୍ଣବ ଯୋଗୁଁ ଖରାପ ପାଗ ଲାଗି ଗତ ଦୁଇ ଦିନ ଧରି ପଞ୍ଜୀକରଣରେ ସାମାନ୍ୟ ହ୍ରାସ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପଞ୍ଜୀକରଣର ଶେଷ ତାରିଖକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ାଇଛି ପ୍ରଶାସନ ।

ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଜୀକରଣ ପ୍ରକ୍ରିୟାରେ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବାଣିଜ୍ୟିକ ସଂସ୍ଥା, ଉଦ୍ୟୋଗ ଓ ଅନୁଷ୍ଠାନ ସାମିଲ ହୋଇଛନ୍ତି । ପଞ୍ଜୀକରଣକୁ ସହଜ କରିବା ପାଇଁ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ବ୍ୟବସ୍ଥା କରାଯାଇଛି । ଆଗ୍ରହୀ ବ୍ୟବସାୟୀମାନେ katakabalijatra.net କିମ୍ବା kataka.odisha.gov.in ୱେବ୍‌ସାଇଟ୍‌ରେ ଅନଲାଇନ୍ ପଞ୍ଜୀକରଣ କରିପାରିବେ । ଏଥିସହ କଟକର ବାରବାଟୀ ପ୍ୟାଲେସ୍‌ରେ ଅଫ୍‌ଲାଇନ୍ ପଞ୍ଜୀକରଣର ସୁବିଧା ରହିଛି। ସକାଳ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଏହି ସୁବିଧା ଉପଲବ୍ଧ ।

ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ମହାନଦୀ ତଟରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା । ଓଡ଼ିଶାର ଗୌରବମୟ ସାମୁଦ୍ରିକ ବାଣିଜ୍ୟ ପରମ୍ପରାର ପ୍ରତୀକ ଏହି ମହୋତ୍ସବ ହଜାର ହଜାର କ୍ଷୁଦ୍ର ବ୍ୟବସାୟୀ, ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜୀବିକା ଓ ବ୍ୟବସାୟର ସୁଯୋଗ ଦେଇଥାଏ । ଚଳିତ ବର୍ଷ ମଧ୍ୟ ବ୍ୟାପକ ଜନସମାଗମ ସହ ବାଣିଜ୍ୟିକ କାରବାର ବଢ଼ିବା ନେଇ ଆଶା ରଖିଛି ପ୍ରଶାସନ । ତେଣୁ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିନଥିବା ବ୍ୟବସାୟୀ ଓ ଅନୁଷ୍ଠାନ ଅକ୍ଟୋବର ୩୧ ସୁଦ୍ଧା ଏହି ସୁଯୋଗ ନେଇପାରିବେ ।

Leave a Reply

Your email address will not be published. Required fields are marked *