ବାତ୍ୟା ପରେ ପାଣି ସଙ୍କଟ, ଗୋଳିଆ ପାଣିରେ ସଂକ୍ରମଣ ଭୟ!

ବାତ୍ୟା ଅର୍ଣ୍ଣବ ଦେଇଗଲା ଦୁଃଖ, ଏବେ ଘାରିଲା ପାନୀୟ ଜଳ ଚିନ୍ତା । ବନ୍ୟା ପାଣି ଘରେ ପଶିଲା, ଦୁଆରେ ଖେଳିଲେ ମାଛ। ପାଣି କମିଲା, ହେଲେ ଦୁର୍ଦ୍ଦଶା କମିଲାନି। ଏବେ ସହରବାସୀଙ୍କୁ ଘାରିଛି ପିଇବା ପାଣିର ସଙ୍କଟ ।

ବାତ୍ୟା ଅର୍ଣ୍ଣବ ଦେଇଗଲା ଦୁଃଖ, ଏବେ ଘାରିଲା ପାନୀୟ ଜଳ ଚିନ୍ତା । ବନ୍ୟା ପାଣି ଘରେ ପଶିଲା, ଦୁଆରେ ଖେଳିଲେ ମାଛ। ପାଣି କମିଲା, ହେଲେ ଦୁର୍ଦ୍ଦଶା କମିଲାନି । ଏବେ ସହରବାସୀଙ୍କୁ ଘାରିଛି ପିଇବା ପାଣିର ସଙ୍କଟ । କେଉଁଠି ଗୋଳିଆ ପାଣି ତ ଆଉ କେଉଁଠି ପାଣି ପାଇଁ ହାହାକାର। ଦୂଷିତ ପାଣିରୁ ସଂକ୍ରମଣ ଭୟ ବି ବଢ଼ିଛି। ବ୍ରହ୍ମପୁର ସହରରେ ବାତ୍ୟା ପରବର୍ତ୍ତୀ ସମସ୍ୟା ଏବେ ଚିନ୍ତା ବଢ଼ାଇଛି ।

ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁଥିଲା ବାତ୍ୟା ଅର୍ଣ୍ଣବ । ହେଲେ ଏହାର ପ୍ରଭାବରେ ଜଳବନ୍ଦୀ ହୋଇଥିଲା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହର। ଘରେ ପଶିଥିଲା ବନ୍ୟା ପାଣି । ରାସ୍ତାଘାଟରେ ଜମିଥିଲା ପାଣି । ଇତିମଧ୍ୟରେ ୬ ଦିନ ବିତିଗଲାଣି, ହେଲେ ସହରବାସୀଙ୍କ ଦୁର୍ଦ୍ଦଶା ପିଛା ଛାଡ଼ୁନି। ଏବେ ନୂଆ ସମସ୍ୟା ପିଇବା ପାଣି ।

ବିଶୁଦ୍ଧ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ଆବଶ୍ୟକତା ତୁଳନାରେ ଯଥେଷ୍ଟ କମ୍‌। ଅନ୍ୟପଟେ ଗୋଳିଆ ପାଣି ଯୋଗୁଁ ଦୂଷିତ ଜଳରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ଘାରିଛି । ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ସହରବାସୀ ।

ବ୍ରହ୍ମପୁରକୁ ପାନୀୟ ଜଳ ଯୋଗାଉଥିବା ଅନ୍ୟତମ ପ୍ରମୁଖ ଉତ୍ସ ଯାନିବିଲି ଜଳଭଣ୍ଡାର ବାତ୍ୟା ଅର୍ଣ୍ଣବ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ସହରରେ ପାଣି ଯୋଗାଣ ବାଧାପ୍ରାପ୍ତ ହୋଇଛି। ସ୍ଥିତି ମୁକାବିଲା ପାଇଁ ମହାନଗର ନିଗମ ପକ୍ଷରୁ ୫୨ଟି ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ସେପଟେ ଯାନିବିଲି ଜଳଭଣ୍ଡାରର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଖୁବ୍‌ଶୀଘ୍ର ପାନୀୟ ଜଳ ସଙ୍କଟ ଦୂର ହୋଇ ସ୍ଥିତି ସ୍ୱାଭାବିକ ହେବ ବୋଲି କହିଛନ୍ତି ମହାନଗର ନିଗମ କମିସନର ।
ବାତ୍ୟା ଯିବାର ୬ ଦିନ ପରେ ବି ବ୍ରହ୍ମପୁରବାସୀଙ୍କ ଦୁର୍ଦ୍ଦଶା ଦୂର ହୋଇନି । ଏବେ ପାଣି ସଙ୍କଟ ସହ ଦୂଷିତ ଜଳରୁ ସଂକ୍ରମଣ ଭୟ। ତେଣୁ କେବଳ ଟ୍ୟାଙ୍କର ନୁହେଁ, ସୁରକ୍ଷିତ ଓ ବିଶୁଦ୍ଧ ପାଣି ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *