୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଲା ଅତ୍ୟାଧୁନିକ ପାଠାଗାର । ଧୁମ୍ଧାମରେ ଉଦ୍ଘାଟନ ବି ହେଲା । ହେଲେ ଉଦ୍ଘାଟନର ତିନି ମାସରୁ ଅଧିକ ସମୟ ପରେ ବି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲୁନି ପାଠାଗାର ।
୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହେଲା ଅତ୍ୟାଧୁନିକ ପାଠାଗାର । ଧୁମ୍ଧାମରେ ଉଦ୍ଘାଟନ ବି ହେଲା । ହେଲେ ଉଦ୍ଘାଟନର ତିନି ମାସରୁ ଅଧିକ ସମୟ ପରେ ବି ଛାତ୍ରଛାତ୍ରୀଙ୍କ ପାଇଁ ଖୋଲୁନି ପାଠାଗାର । କେବେ ଖୋଲିବ, କେବେ ଏହାର ସୁବିଧା ପାଇବେ ବିଦ୍ୟାର୍ଥୀ? ଏହାର ଉତ୍ତର କାହା ପାଖରେ ନାହିଁ ।
କୋଟି କୋଟି ଟଙ୍କାରେ ତିଆରି ହେଲା ପାଠାଗାର । ଉଦ୍ଘାଟନ ବି ହେଲା, ହେଲେ ବିଦ୍ୟାର୍ଥୀଙ୍କ କାମରେ ଆସୁନି । କଟକ ବାଦାମବାଡ଼ି ଅନୁଗୁଳ-ପୁରୀ ବସ୍ଷ୍ଟାଣ୍ଡରେ ୪୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଓଡ଼ିଶାର ସର୍ବବୃହତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଓ ଗବେଷଣା କେନ୍ଦ୍ର । ଗତ ଜୁଲାଇ ୧୪ ତାରିଖରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହାର ଉଦ୍ଘାଟନ କରିଥିଲେ । ଇତିମଧ୍ୟରେ ତିନି ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ଏଯାଏଁ ପାଠାଗାର ଖୋଲିନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ଏହାର ସୁବିଧା ସାତ ସପନ ପାଲଟିଛି ।
ଏହି ପାଠାଗାରରେ ରହିଛି ଅତ୍ୟାଧୁନିକ ସୁବିଧା । ଏକକାଳୀନ ୧୭୦୦ରୁ ଅଧିକ ଛାତ୍ରଛାତ୍ରୀ ବସି ପାଠ ପଢ଼ିବାର ବ୍ୟବସ୍ଥା ରହିଛି । ପ୍ରଶାସନିକ ସେବାଠାରୁ ଆରମ୍ଭ କରି ବ୍ୟାଙ୍କିଂ, ରେଳବାଇ ଭଳି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଏଠାରେ ପ୍ରସ୍ତୁତି କରିପାରିଥାନ୍ତେ ଛାତ୍ରଛାତ୍ରୀ । କିନ୍ତୁ ପାଠାଗାର ଖୋଲୁନଥିବାରୁ ସେହି ସୁଯୋଗରୁ ବଞ୍ଚିତ ହେଉଛନ୍ତି ।
ନିର୍ମାଣ କାର୍ଯ୍ୟରେ ବିଳମ୍ବ ପରେ ଶେଷରେ ପାଠାଗାରର ଉଦ୍ଘାଟନ ହୋଇଥିଲା। ହେଲେ ଉଦ୍ଘାଟନ ପରେ ବି କାହିଁକି ଖୋଲୁନି ଏହି ପାଠାଗାର? କେଉଁଠି ରହିଛି ସମସ୍ୟା? କେବେଠାରୁ ଏହାର ସୁବିଧା ପାଇବେ ଛାତ୍ରଛାତ୍ରୀ? ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ।

