ପାୱାର ପ୍ଲାଣ୍ଟ ବନ୍ଦ ପଛରେ ଭାରତ? ବିଏନ୍‌ପି ନେତାଙ୍କ ଦାବିକୁ ନେଇ ଚର୍ଚ୍ଚା

ପାୱାର ପ୍ଲାଣ୍ଟର ଗୋଟିଏ ୟୁନିଟ୍‌ ବନ୍ଦ ହେବା ଘଟଣାକୁ ବାଂଲାଦେଶର ଶାସକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନ୍‌ପିର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ରୁହୁଲ କବିର ରିଜଭି ବ୍ରିକ୍ସ ସମ୍ମିଳନୀ ସହ ଯୋଡ଼ିଛନ୍ତି ।

ବାଂଲାଦେଶକୁ ବିଜୁଳି ଯୋଗାଉଥିବା ଝାଡ଼ଖଣ୍ଡର ଗୋଡ୍ଡାସ୍ଥିତ ଆଦାନୀ ପାୱାର ପ୍ଲାଣ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପାୱାର ପ୍ଲାଣ୍ଟର ଗୋଟିଏ ୟୁନିଟ୍‌ ବନ୍ଦ ହେବା ଘଟଣାକୁ ବାଂଲାଦେଶର ଶାସକ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବା ବିଏନ୍‌ପିର କାର୍ଯ୍ୟକାରୀ ସାଧାରଣ ସମ୍ପାଦକ ରୁହୁଲ କବିର ରିଜଭି ବ୍ରିକ୍ସ ସମ୍ମିଳନୀ ସହ ଯୋଡ଼ିଛନ୍ତି । ତାଙ୍କ ଦାବି, ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍‌ ରହମାନ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଯୋଗ ନଦେବା ନିଷ୍ପତ୍ତି ନେବା ପରେ ହିଁ ଗୋଡ୍ଡା ପାୱାର ପ୍ଲାଣ୍ଟରେ ସମସ୍ୟା ଦେଖାଦେଇଥିଲା ।

ସୂଚନା ଅନୁସାରେ, ଝାଡ଼ଖଣ୍ଡର ଗୋଡ୍ଡା ପାୱାର ପ୍ଲାଣ୍ଟର ଦୁଇଟି ୟୁନିଟ୍‌ରୁ ଗୋଟିଏ ୟୁନିଟ୍‌ ସେପ୍ଟେମ୍ବର ୧୦ ତାରିଖ ରାତିରେ ବଏଲରରେ ତ୍ରୁଟି ଯୋଗୁଁ ବନ୍ଦ ହୋଇଯାଇଥିଲା । ଏହା ଫଳରେ ବାଂଲାଦେଶକୁ ଯାଉଥିବା ବିଦ୍ୟୁତ୍‌ ଯୋଗାଣ ପ୍ରାୟ ଅଧାକୁ କମିଯାଇଥିଲା। ତେବେ ମରାମତି କାମ ପରେ ସେପ୍ଟେମ୍ବର ୧୩ରେ ୟୁନିଟ୍‌ଟି ପୁଣି ଗ୍ରିଡ୍‌ ସହ ଯୋଡ଼ି ହୋଇଥିଲା ।

ଏହି ଘଟଣାକୁ ନେଇ ରିଜଭି ଭାରତ ଉପରେ ଅଭିଯୋଗ ଆଣିଛନ୍ତି । ଢାକାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ତାରିକ୍‌ ରହମାନ ବ୍ରିକ୍ସ ସମ୍ମିଳନୀକୁ ଯିବେ ନାହିଁ ବୋଲି ନିଷ୍ପତ୍ତି ନେବା ପରଦିନ ହିଁ ପାୱାର ପ୍ଲାଣ୍ଟର ୟୁନିଟ୍‌ ବନ୍ଦ ହୋଇଥିଲା । ଏହା ପଛରେ କ’ଣ କାରଣ ରହିଛି, ତାହା ବୁଝିବା ପାଇଁ କୌଣସି ବିଶେଷ ଡିଗ୍ରୀ ଦରକାର ନାହିଁ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ଏପରିକି ପାୱାର ପ୍ଲାଣ୍ଟର ସ୍ୱିଚ୍‌ ଭାରତରେ ଥିବାରୁ ଏହାକୁ ଇଚ୍ଛା ଅନୁସାରେ ବନ୍ଦ କିମ୍ବା ଚାଲୁ କରାଯାଇପାରେ ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ହେଲେ ରିଜଭିଙ୍କ ଏହି ଅଭିଯୋଗକୁ ସମର୍ଥନ କରିବା ପାଇଁ କୌଣସି ପ୍ରମାଣ ସାମ୍ନାକୁ ଆସିନାହିଁ । ଅନ୍ୟପକ୍ଷରେ, ପାୱାର ପ୍ଲାଣ୍ଟର ୟୁନିଟ୍‌ ବନ୍ଦ ହେବାର କାରଣ ଭାବେ ବଏଲର ସମସ୍ୟାକୁ ଦର୍ଶାଯାଇଛି । ମରାମତି ପରେ ଏହା ପୁଣି ଚାଲୁ ହୋଇଥିବାରୁ ଘଟଣାଟିକୁ ଏକ ପ୍ରାଯୁକ୍ତିକ ତ୍ରୁଟି ଭାବେ ଦର୍ଶାଯାଇଛି । ଏହା ପୂର୍ବରୁ ମଧ୍ୟ ବାଂଲାଦେଶର ଶକ୍ତି ଭିତ୍ତିଭୂମିକୁ ନେଇ ରିଜଭି ପ୍ରଶ୍ନ ଉଠାଇଥିଲେ। ମହେଶଖାଲିର LNG ଟର୍ମିନାଲରେ ଅଗ୍ନିକାଣ୍ଡ ପରେ ଗ୍ୟାସ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା । ପରେ ପୁଣି ଏକ ପ୍ରାଯୁକ୍ତିକ ସମସ୍ୟା ଯୋଗୁଁ ଟର୍ମିନାଲ୍‌ ବନ୍ଦ ହୋଇଥିଲା । ଏହି ଘଟଣାଗୁଡ଼ିକୁ ନେଇ ରିଜଭି ସାବୋଟାଜ୍‌ ବା ଷଡ଼ଯନ୍ତ୍ରର ଆଶଙ୍କା ପ୍ରକାଶ କରିଥିଲେ ।

ସେପଟେ ବ୍ରିକ୍ସ ସମ୍ମିଳନୀକୁ ତାରିକ୍‌ ରହମାନଙ୍କୁ ନିମନ୍ତ୍ରଣ ପ୍ରସଙ୍ଗରେ ଭାରତ ନିଜର ସ୍ଥିତି ସ୍ପଷ୍ଟ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ରହମାନଙ୍କୁ ଦୁଇଟି ଅଲଗା ନିମନ୍ତ୍ରଣ ଦିଆଯାଇଥିଲା । ଗୋଟିଏ ଦ୍ୱିପାକ୍ଷିକ ସ୍ତରରେ ଏବଂ ଅନ୍ୟଟି ବ୍ରିକ୍ସ ଆଉଟ୍‌ରିଚ୍‌ ସେସନ୍‌ ପାଇଁ । ଏହି ଆମନ୍ତ୍ରଣ ବିମ୍‌ଷ୍ଟେକ୍‌ର ବର୍ତ୍ତମାନର ଅଧ୍ୟକ୍ଷ ଭାବେ ବାଂଲାଦେଶର ଭୂମିକାକୁ ଧ୍ୟାନରେ ରଖି ଦିଆଯାଇଥିବା ଭାରତ କହିଛି । ତେଣୁ ଗୋଡ୍ଡା ପାୱାର ପ୍ଲାଣ୍ଟର ତ୍ରୁଟି ଓ ବ୍ରିକ୍ସ ସମ୍ମିଳନୀ ପ୍ରସଙ୍ଗକୁ ନେଇ ବାଂଲାଦେଶରେ ରାଜନୈତିକ ତର୍କ ଜାରି ରହିଛି । ତେବେ ପାୱାର ପ୍ଲାଣ୍ଟ ବନ୍ଦ ହେବା ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ସେଥିରେ ବଏଲରର ପ୍ରାଯୁକ୍ତିକ ତ୍ରୁଟିକୁ କାରଣ ବୋଲି ଦର୍ଶାଯାଇଛି ।

Leave a Reply

Your email address will not be published. Required fields are marked *