୨୦୨୬ ମୌସୁମୀ ଆରମ୍ଭ ଚିନ୍ତାଜନକ ରହିଛି କାରଣ ଦେଶରେ ସାଧାରଣ ତୁଳନାରେ ବହୁତ କମ୍ ବର୍ଷା ହୋଇଛି; ଜୁନ୍ ୨୧ ସୁଦ୍ଧା ମାତ୍ର ୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସାଧାରଣତଃ ୮୪.୪ ମିଲିମିଟର ଥାଏ, ଯାହା ଜଳସଂକଟ ଏବଂ କୃଷି ପ୍ରଭାବ ନେଇ ଚିନ୍ତା ବଢ଼ାଇଛି।
ଭାରତରେ ୨୦୨୬ ମୌସୁମୀ ବର୍ଷା ଋତୁର ଆରମ୍ଭ ଚିନ୍ତାଜନକ ରହିଛି। ଜୁନ୍ ମାସ ଶେଷ ହେବାକୁ ଥିବା ବେଳେ ଦେଶର ଅନେକ ଅଞ୍ଚଳରେ ସାଧାରଣ ତୁଳନାରେ ବହୁତ କମ୍ ବର୍ଷା ରେକର୍ଡ କରାଯାଇଛି । ଜୁନ୍ ୨୧ ସୁଦ୍ଧା ଦେଶରେ ମାତ୍ର ୪୬ ମିଲିମିଟର ବର୍ଷା ହୋଇଥିବା ବେଳେ, ସାଧାରଣତଃ ଏହି ସମୟ ସୁଦ୍ଧା ୮୪.୪ ମିଲିମିଟର ବର୍ଷା ହେବା କଥା। ପାଣିପାଗ ବିଶେଷଜ୍ଞଙ୍କ ମତରେ, ପ୍ରଶାନ୍ତ ମହାସାଗରରେ ସକ୍ରିୟ ଥିବା ଏଲ୍-ନିନୋ ଏହି ସ୍ଥିତି ପାଇଁ ପ୍ରମୁଖ କାରଣ। ଏଲ୍-ନିନୋ ପ୍ରଭାବରେ ବାୟୁମଣ୍ଡଳୀୟ ପରିସ୍ଥିତିରେ ପରିବର୍ତ୍ତନ ଆସିଥିବାରୁ ଭାରତକୁ ଆସୁଥିବା ଆର୍ଦ୍ରତାଭରା ପବନ ଦୁର୍ବଳ ପଡ଼ିଛି। ବିଶେଷ କରି ମଧ୍ୟ ଭାରତରେ କ୍ରସ୍-ଇକ୍ୱେଟୋରିଆଲ୍ ପବନ ଦୁର୍ବଳ ହେବା ଫଳରେ ବର୍ଷାର ପରିମାଣ ହ୍ରାସ ପାଇଛି।
ବର୍ଷାର ଅଭାବ ଯୋଗୁଁ କୃଷି କ୍ଷେତ୍ରରେ ଚିନ୍ତା ବଢ଼ିଛି। ଚାଷ କାର୍ଯ୍ୟ ପ୍ରଭାବିତ ହେବା ସହ ଜଳ ସଙ୍କଟ ଆଶଙ୍କା ମଧ୍ୟ ଦେଖାଦେଇଛି। ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁସାରେ ଜୁନ୍ ଶେଷ ସପ୍ତାହରେ ମୌସୁମୀ ବର୍ଷାର ସ୍ଥିତିରେ କିଛିଟା ସୁଧାର ଆସିପାରେ।ବିଶେଷଜ୍ଞମାନେ କହିଛନ୍ତି ଯେ, ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବା ସହ ମୌସୁମୀ ବର୍ଷାର ଧାରାରେ ପରିବର୍ତ୍ତନ ଦେଖାଦେଉଛି। ଏହା ଫଳରେ କେତେକ ସ୍ଥାନରେ ଅତିବର୍ଷା ହେଉଥିବା ବେଳେ ଅନ୍ୟ ସ୍ଥାନରେ ମରୁଡ଼ି ସ୍ଥିତି ସୃଷ୍ଟି ହେଉଛି। ଏଭଳି ପରିସ୍ଥିତି ଆଗାମୀ ଦିନରେ ପାଣିପାଗ ପରିଚାଳନା ଓ କୃଷି କ୍ଷେତ୍ର ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

