୧୦୫ ବର୍ଷରେ ଜେଲ୍‌ରୁ ମୁକ୍ତ! ହତ୍ୟା ଦୋଷୀଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ରିଲିଫ୍

୧୦୫ ବର୍ଷ ବୟସରେ ଜେଲରୁ ମୁକ୍ତ ହେଲେ ହତ୍ୟା ମାମଲାର ଦୋଷୀ । ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ପରେ ଏଣିକି ମୁକ୍ତ ଜୀବନ କାଟିବେ ରସିକ ଚନ୍ଦ୍ର ମଣ୍ଡଳ । ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ଅବଶିଷ୍ଟ ଆଜୀବନ ଦଣ୍ଡକୁ ସୁପ୍ରିମକୋର୍ଟ ଛାଡ଼ କରିଦେଇଛନ୍ତି ।

୧୦୫ ବର୍ଷ ବୟସରେ ଜେଲରୁ ମୁକ୍ତ ହେଲେ ହତ୍ୟା ମାମଲାର ଦୋଷୀ । ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ପରେ ଏଣିକି ମୁକ୍ତ ଜୀବନ କାଟିବେ ରସିକ ଚନ୍ଦ୍ର ମଣ୍ଡଳ । ବୟସ ଓ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କ ଅବଶିଷ୍ଟ ଆଜୀବନ ଦଣ୍ଡକୁ ସୁପ୍ରିମକୋର୍ଟ ଛାଡ଼ କରିଦେଇଛନ୍ତି । ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ୧୯୨୦ ମସିହାରେ ଜନ୍ମ ହୋଇଥିଲେ ରସିକ ଚନ୍ଦ୍ର ମଣ୍ଡଳ । ୧୯୮୮ ମସିହାରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ନିଜ ଭାଇ ସୁରେଶ ମଣ୍ଡଳଙ୍କୁ ହତ୍ୟା କରିଥିବା ଅଭିଯୋଗ ତାଙ୍କ ବିରୋଧରେ ହୋଇଥିଲା ।
ଏହି ମାମଲାରେ ୧୯୯୪ ମସିହାରେ ୭୪ ବର୍ଷ ବୟସରେ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଥିଲା ।

ଏହାପରେ ଦୀର୍ଘ ବର୍ଷ ଧରି ଜେଲରେ ରହିଥିଲେ ମଣ୍ଡଳ । କଲିକତା ହାଇକୋର୍ଟ ମଧ୍ୟ ୨୦୧୮ରେ ତାଙ୍କ ଦୋଷୀ ସାବ୍ୟସ୍ତ ରାୟ ବିରୋଧରେ ହୋଇଥିବା ଆବେଦନ ଖାରଜ କରିଥିଲେ । ତେବେ ୯୯ ବର୍ଷ ବୟସରେ, ୨୦୨୦ରେ ସେ ଅକାଳ ମୁକ୍ତି ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ବୟସାଧିକ ଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ସେ ଜେଲରୁ ମୁକ୍ତି ପାଇଁ ଆବେଦନ କରିଥିଲେ ।

ପରେ ୨୦୨୪ ନଭେମ୍ବର ୨୯ ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନରେ ଜେଲରୁ ବାହାରିବାକୁ ଅନୁମତି ଦେଇଥିଲେ । ଏବେ ଶୁକ୍ରବାର ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି. ମୋହନାଙ୍କ ଖଣ୍ଡପୀଠ ମାମଲାକୁ ବନ୍ଦ କରିବା ସହ ତାଙ୍କ ଅବଶିଷ୍ଟ ଦଣ୍ଡକୁ ଛାଡ଼ କରିଛନ୍ତି । କୋର୍ଟ କହିଛନ୍ତି, ଆଜୀବନ କାରାଦଣ୍ଡର କିଛି ଅଂଶ ବାକି ଥିଲେ ମଧ୍ୟ ଏବେ ତାଙ୍କୁ ପୁଣି ଜେଲକୁ ନିଆଯିବ ନାହିଁ । ୨୦୨୪ରେ ଦିଆଯାଇଥିବା ଅନ୍ତରୀଣ ଜାମିନକୁ ମଧ୍ୟ ସୁପ୍ରିମକୋର୍ଟ ସ୍ଥାୟୀ କରିଦେଇଛନ୍ତି ।
ଏହା ସହ ୧୦୫ ବର୍ଷ ବୟସରେ ମଧ୍ୟ ରସିକ ଚନ୍ଦ୍ର ମଣ୍ଡଳ ନିଜ ମାମଲାରେ ଆଇନଗତ ନିର୍ଦ୍ଦେଶ ଦେଇପାରୁଥିବାରୁ କୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଏବେ ଜୀବନର ଅବଶିଷ୍ଟ ସମୟ ସେ ଜଣେ ମୁକ୍ତ ନାଗରିକ ଭାବେ କାଟିପାରିବେ ।

Leave a Reply

Your email address will not be published. Required fields are marked *