ଦିଲ୍ଲୀରେ ନକଲି ENO ଓ FeviKwik ତିଆରି କରିବା ସହ ପ୍ୟାକିଂ କରାଯାଉଥିବା ଏକ ବଡ଼ ରାକେଟ୍ର ପର୍ଦ୍ଦାଫାସ୍ କରିଛି ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି ।
ବଜାରରେ ଅସଲି ବ୍ରାଣ୍ଡ୍ର ନାଁରେ ବିକ୍ରି ହେଉଥିଲା ନକଲି ସାମଗ୍ରୀ । ଦିଲ୍ଲୀରେ ନକଲି ENO ଓ FeviKwik ତିଆରି କରିବା ସହ ପ୍ୟାକିଂ କରାଯାଉଥିବା ଏକ ବଡ଼ ରାକେଟ୍ର ପର୍ଦ୍ଦାଫାସ୍ କରିଛି ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ପ୍ରାୟ ୨ ଲକ୍ଷ ପ୍ୟାକେଟ୍ ନକଲି ENO ସହ ଲକ୍ଷାଧିକ ନକଲି FeviKwik ପାଉଚ୍ ଜବତ ହୋଇଛି । ଏହାସହ MDH ମସଲାର ପ୍ୟାକିଂ ସାମଗ୍ରୀ ମଧ୍ୟ ମିଳିଥିବା ପୋଲିସ ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ଅକ୍ଟୋବର ୧୭ ଓ ୧୮ ତାରିଖରେ ଦିଲ୍ଲୀର ଘୋଣ୍ଡା ଅଞ୍ଚଳରେ ଥିବା ଦୁଇଟି ଗୋଦାମ ଏବଂ ନାଙ୍ଗଲୋଇର ଅମନପୁରୀ ଅଞ୍ଚଳରେ ଥିବା ଏକ ଅବୈଧ ଉତ୍ପାଦନ ଓ ପ୍ୟାକିଂ ୟୁନିଟ୍ରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ନକଲି ସାମଗ୍ରୀ ତିଆରି ଓ ପ୍ୟାକିଂ କରାଯାଉଥିବା ଘଟଣା ସାମ୍ନାକୁ ଆସିଥିଲା ।
ପୋଲିସ ପ୍ରାୟ ୧ ଲକ୍ଷ ୯୭ ହଜାର ୮୫୬ ପ୍ୟାକେଟ୍ ନକଲି ENO ଜବତ କରିଛି । ଏହାବ୍ୟତୀତ ୩୧୦ କିଲୋଗ୍ରାମରୁ ଅଧିକ ଖୋଲା ପାଉଚ୍ ମିଳିଛି, ଯାହାର ସଂଖ୍ୟା ପ୍ରାୟ ୪ ଲକ୍ଷ ବୋଲି ଆକଳନ କରାଯାଇଛି । ସେହିପରି ୧ ଲକ୍ଷ ୧୨ ହଜାର ୫୬୦ଟି ନକଲି FeviKwik ପାଉଚ୍ ଏବଂ ବହୁ ସଂଖ୍ୟାରେ ପ୍ୟାକିଂ ସାମଗ୍ରୀ ଜବତ ହୋଇଛି । ନାଙ୍ଗଲୋଇରେ ଥିବା ୟୁନିଟ୍ରୁ ପ୍ୟାକିଂ ପାଇଁ ବ୍ୟବହୃତ FFS ମେସିନ୍ ଏବଂ ପ୍ରାୟ ୨୦୦ କିଲୋଗ୍ରାମ କଞ୍ଚାମାଲ ମଧ୍ୟ ମିଳିଛି ।
ଏହି ମାମଲାରେ ୫୧ ବର୍ଷୀୟ ନବୀନ ସିଙ୍ଗଲ ଓ ୪୫ ବର୍ଷୀୟ ବଲରାଜ ବଂଶଲଙ୍କୁ ଗିରଫ କରାଯାଇଛି। ଉଭୟେ ଆନ୍ତଃରାଜ୍ୟ ସ୍ତରରେ ନକଲି ସାମଗ୍ରୀ ତିଆରି କରୁଥିବା ରାକେଟ୍ରେ ସାମିଲ ଥିବା ଅଭିଯୋଗ ହୋଇଛି । ଏବେ ନକଲି ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ କଞ୍ଚାମାଲ କେଉଁଠୁ ଆସୁଥିଲା, ଏହା କେଉଁ କେଉଁ ସ୍ଥାନକୁ ଯୋଗାଣ ହେଉଥିଲା ଏବଂ ଏହି ରାକେଟ୍ରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

