ଦୀପାବଳି ଓ କାଳୀପୂଜାକୁ ନେଇ କଟକ ପୁଲିସର ଜୋରଦାର ପ୍ରସ୍ତୁତି । ଶାନ୍ତିଶୃଙ୍ଖଳା ସହ ପର୍ବ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସମୟ ନିର୍ଦ୍ଧାରଣ ହୋଇଛି ।
ଦୀପାବଳି ଓ କାଳୀପୂଜାକୁ ନେଇ କଟକ ପୁଲିସର ଜୋରଦାର ପ୍ରସ୍ତୁତି । ଶାନ୍ତିଶୃଙ୍ଖଳା ସହ ପର୍ବ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସମୟ ନିର୍ଦ୍ଧାରଣ ହୋଇଛି । ରାତି ୯ଟା ପରେ ବାଣ ଫୁଟାଇବା ଉପରେ କଟକଣା ରହିଛି। ନିର୍ଦ୍ଧାରିତ ନିୟମ ଉଲ୍ଲଂଘନ ନକରିବାକୁ ଡିସିପି ପରାମର୍ଶ ଦେଇଛନ୍ତି ।
କଟକ ସହରର ଗଳିକନ୍ଦି ଓ ଘନ ଜନବସତିକୁ ଦୃଷ୍ଟିରେ ରଖି ଅଗ୍ନିକାଣ୍ଡ ଭଳି ଅଘଟଣ ଏଡ଼ାଇବାକୁ ରକେଟ୍ ବାଣ ବ୍ୟବହାର ନକରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସେହିପରି ସୁରକ୍ଷା ଦୃଷ୍ଟିରୁ କଟକ ସହରର ୭ଟି ସ୍ଥାନରେ ବାଣ ଦୋକାନ ପାଇଁ ଖୋଲା ସ୍ଥାନ ଚିହ୍ନଟ କରାଯାଇଛି ।
ଅନ୍ୟପଟେ ବେଆଇନ ବାଣ କାରବାର ଉପରେ କଟକ ପୁଲିସର କଡ଼ା ନଜର । ଚୋରା ବାଣ ବିକ୍ରି, ବେଆଇନ ଭାବେ ବାଣ ଗଚ୍ଛିତ ରଖିବା ଓ ପରିବହନ ଅଭିଯୋଗରେ ପୁଲିସ ୮ଟି ମାମଲା ରୁଜୁ କରିଛି । ଏଥିସହ ପ୍ରାୟ ୪୦ ଲକ୍ଷ ଟଙ୍କାର ବାଣ ଓ ଦୁଇଟି କାର୍ ଜବତ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି ।
ଆଜି କଟକ ବିଡ଼ାନାସୀରେ ଏକ ବେଆଇନ ବାଣ ଗୋଦାମ ଉପରେ ପୁଲିସ ଚଢ଼ାଉ ଜାରି ରଖିଛି। ଏହା ପୂର୍ବରୁ ବାରଙ୍ଗ ଓ ୪୨ ମୌଜା ଅଞ୍ଚଳରୁ ମଧ୍ୟ ବେଆଇନ ବାଣ ଜବତ କରାଯାଇଛି। ବେଆଇନ ବାଣ କାରବାର ବିରୋଧରେ ଆଗକୁ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଡିସିପି ସୂଚନା ଦେଇଛନ୍ତି।

