ଗୋଆ ରଣଜୀ ଦଳରୁ ବାଦ୍ ପଡ଼ିଲେ ଅର୍ଜୁନ ତେନ୍ଦୁଲକର, ସଚିନଙ୍କ ପୁଅଙ୍କୁ ମିଳିଲାନି ସୁଯୋଗ

୨୦୨୨ ମସିହାରେ ଗୋଆ ପକ୍ଷରୁ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ ଅର୍ଜୁନ। ପ୍ରଥମ ମ୍ୟାଚ୍‌ରେ ହିଁ ଶତକ ହାସଲ କରି ସମସ୍ତଙ୍କ ନଜରକୁ ଆସିଥିଲେ। ବାପା ସଚିନ ତେନ୍ଦୁଲକରଙ୍କ ଭଳି ରଣଜୀ ପଦାର୍ପଣରେ ଶତକ ହାସଲ କରି ସେ ନୂଆ ଆଶା ସୃଷ୍ଟି କରିଥିଲେ।

କ୍ରିକେଟ୍ ଜଗତରୁ ଆସିଛି ଏକ ବଡ଼ ଖବର। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ଲାଗିଛି ବଡ଼ ଝଟକା। ଆଗାମୀ ୨୦୨୬-୨୭ ରଣଜୀ ଟ୍ରଫି ଋତୁ ପାଇଁ ଘୋଷିତ ଗୋଆ କ୍ରିକେଟ୍ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ। ଗୋଆ କ୍ରିକେଟ୍ ଆସୋସିଏସନ୍ ୧୬ ଜଣିଆ ଦଳ ଘୋଷଣା କରିଥିବାବେଳେ ଅଭିନବ ତେଜରାଣାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ତେବେ ଏହି ଦଳରୁ ଅର୍ଜୁନଙ୍କୁ ବାଦ୍ ଦିଆଯିବା ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

୨୦୨୨ ମସିହାରେ ଗୋଆ ପକ୍ଷରୁ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ ଅର୍ଜୁନ। ପ୍ରଥମ ମ୍ୟାଚ୍‌ରେ ହିଁ ଶତକ ହାସଲ କରି ସମସ୍ତଙ୍କ ନଜରକୁ ଆସିଥିଲେ। ବାପା ସଚିନ ତେନ୍ଦୁଲକରଙ୍କ ଭଳି ରଣଜୀ ପଦାର୍ପଣରେ ଶତକ ହାସଲ କରି ସେ ନୂଆ ଆଶା ସୃଷ୍ଟି କରିଥିଲେ। ବ୍ୟାଟିଂ ସହ ବାମହାତୀ ପେସ୍ ବୋଲିଂରେ ମଧ୍ୟ ନିଜ ଦକ୍ଷତା ପ୍ରଦର୍ଶନ କରିଛନ୍ତି ଅର୍ଜୁନ। କିନ୍ତୁ ଏଥର ଚୟନକର୍ତ୍ତାମାନେ ତାଙ୍କ ଉପରେ ଭରସା ଦେଖାଇନାହାନ୍ତି।

ନିକଟରେ ଓମାନ ଗସ୍ତରେ ଯାଇଥିବା ଗୋଆ ଦଳରେ ମଧ୍ୟ ଅର୍ଜୁନଙ୍କୁ ସୁଯୋଗ ମିଳିନଥିଲା। ଏବେ ରଣଜୀ ଦଳରୁ ବାଦ୍ ପଡ଼ିବା ତାଙ୍କ କ୍ରିକେଟ୍ କ୍ୟାରିୟର୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ତେବେ ତାଙ୍କୁ କାହିଁକି ଦଳରେ ସ୍ଥାନ ଦିଆଯାଇନାହିଁ, ସେନେଇ ଚୟନକର୍ତ୍ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କାରଣ ଦିଆଯାଇନାହିଁ।

ଅନ୍ୟପଟେ ନୂଆ ଗୋଆ ଦଳରେ ଆଇପିଏଲ୍ ଖେଳାଳି ସୁୟଶ ପ୍ରଭୁଦେଶାଇ ଓ ପୂର୍ବରୁ ଦିଲ୍ଲୀ ପକ୍ଷରୁ ଖେଳିଥିବା ଅଲରାଉଣ୍ଡର ଲଳିତ ଯାଦବଙ୍କୁ ସାମିଲ କରାଯାଇଛି। ଦୀନେଶ ମୋଙ୍ଗିଆ ମୁଖ୍ୟ ପ୍ରଶିକ୍ଷକ ଏବଂ କ୍ରିଷ୍ଣା ରାଓ ବୋଲିଂ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇବେ। ଅକ୍ଟୋବର ୧୧ରେ ବରୋଦା ବିପକ୍ଷରେ ଗୋଆ ନିଜର ରଣଜୀ ଅଭିଯାନ ଆରମ୍ଭ କରିବ। ଏବେ ପ୍ରଶ୍ନ ଉଠୁଛି, ଘରୋଇ କ୍ରିକେଟ୍‌ରେ ଦମଦାର ପ୍ରତ୍ୟାବର୍ତ୍ତନ କରିପାରିବେ ତ ଅର୍ଜୁନ ତେନ୍ଦୁଲକର?

Leave a Reply

Your email address will not be published. Required fields are marked *