IPL ୨୦୨୭କୁ ନେଇ ଏବେଠାରୁ ଚର୍ଚ୍ଚା ଜୋରଦାର । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପୁଣିଥରେ ଗୁଜରାଟ ଟାଇଟନ୍ସକୁ ଫେରିବାକୁ ଚାହୁଁଥିଲେ ।
IPL ୨୦୨୭କୁ ନେଇ ଏବେଠାରୁ ଚର୍ଚ୍ଚା ଜୋରଦାର । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପୁଣିଥରେ ଗୁଜରାଟ ଟାଇଟନ୍ସକୁ ଫେରିବାକୁ ଚାହୁଁଥିଲେ । ଗୁଜରାଟ ମଧ୍ୟ ତାଙ୍କୁ ଦଳକୁ ଫେରାଇବା ପାଇଁ ଆଗ୍ରହୀ ଥିଲା, କିନ୍ତୁ କ୍ୟାପ୍ଟେନ୍ସିକୁ ନେଇ ଦୁଇ ପକ୍ଷ ମଧ୍ୟରେ ସହମତି ହୋଇପାରିନଥିଲା । ହାର୍ଦ୍ଦିକଙ୍କ ଇଚ୍ଛା ଥିଲା, ସେ ଯଦି ଗୁଜରାଟକୁ ଫେରନ୍ତି, ତେବେ ତାଙ୍କୁ ପୁଣି ଦଳର ଅଧିନାୟକ କରାଯାଉ । କିନ୍ତୁ ଗୁଜରାଟ ଟାଇଟନ୍ସ ଏହି ଶର୍ତ୍ତ ମାନିବାକୁ ରାଜି ହୋଇନଥିଲା। ‘ଇଣ୍ଡିଆନ୍ ଏକ୍ସପ୍ରେସ୍’ର ରିପୋର୍ଟ ଆଧାରରେ ଆଜତକ୍ କହିଛି, ଏହି କାରଣରୁ ହିଁ ସମ୍ଭାବ୍ୟ ଟ୍ରେଡ୍ କିମ୍ବା ଟ୍ରାନ୍ସଫର୍ର ଆଲୋଚନା ଆଗକୁ ବଢ଼ିପାରିନଥିଲା । ଏହି ମାମଲାର ଆଉ ଏକ ରୋଚକ ଦିଗ ହେଉଛି—ଗୁଜରାଟର ବର୍ତ୍ତମାନର ଅଧିନାୟକ ଶୁଭମନ୍ ଗିଲଙ୍କ ସହ ମଧ୍ୟ ଏନେଇ କଥା ହୋଇଥିବା ରିପୋର୍ଟରେ ଦାବି କରାଯାଇଛି । ହାର୍ଦ୍ଦିକ ଗୁଜରାଟକୁ ଫେରିଲେ ଗିଲ ଏଥିରେ ରାଜି ଥିଲେ ବୋଲି ଖବର ରହିଛି ।
କିନ୍ତୁ ଯେତେବେଳେ ହାର୍ଦ୍ଦିକଙ୍କ କ୍ୟାପ୍ଟେନ୍ସିର ଶର୍ତ୍ତ ସାମ୍ନାକୁ ଆସିଲା, ସେଠିରେ ଡିଲ୍ ଅଟକିଗଲା । ତେବେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଏହି ମାମଲାରେ କୌଣସି ଅଧିକୃତ ମତ ଦିଆଯାଇନାହିଁ । ଅନ୍ୟପଟେ ହାର୍ଦ୍ଦିକଙ୍କ ପ୍ରବକ୍ତା କହିଛନ୍ତି, ହାର୍ଦ୍ଦିକ ନିଜେ ସିଧାସଳଖ କୌଣସି ଫ୍ରାଞ୍ଚାଇଜି ସହ ଟ୍ରେଡ୍ କିମ୍ବା ଟ୍ରାନ୍ସଫର୍ ନେଇ ଆଲୋଚନା କରିନାହାନ୍ତି । ଯଦି କୌଣସି ଯୋଗାଯୋଗ ହୋଇଥାଏ, ତାହା ମୁମ୍ବାଇ ଇଣ୍ଡିଆନ୍ସ ମାଧ୍ୟମରେ ହୋଇଥିବ ବୋଲି ସେ କହିଛନ୍ତି । ଏପଟେ ୨୦୨୬ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ନିରାଶାଜନକ ଥିଲା । ଦଳ ୧୪ଟି ମ୍ୟାଚ୍ ମଧ୍ୟରୁ ୧୦ଟିରେ ହାରି ନବମ ସ୍ଥାନରେ ସିଜନ୍ ଶେଷ କରିଥିଲା । ଏହି ଖରାପ ପ୍ରଦର୍ଶନ ପରେ ହାର୍ଦ୍ଦିକଙ୍କ କ୍ୟାପ୍ଟେନ୍ସି ଏବଂ ଦଳରେ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା ।
ହାର୍ଦ୍ଦିକ ଏବଂ ଗୁଜରାଟ ଟାଇଟନ୍ସର ସମ୍ପର୍କ ମଧ୍ୟ ବେଶ୍ ରୋଚକ। ୨୦୨୨ରେ ମୁମ୍ବାଇରୁ ରିଲିଜ୍ ହେବା ପରେ ହାର୍ଦ୍ଦିକ ଗୁଜରାଟକୁ ଯାଇଥିଲେ ଏବଂ ପ୍ରଥମ ସିଜନ୍ରେ ହିଁ ଦଳକୁ ଚାମ୍ପିଅନ୍ କରାଇଥିଲେ । ପରେ ୨୦୨୪ରେ ସେ ପୁଣି ମୁମ୍ବାଇକୁ ଫେରିଥିଲେ ଏବଂ ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ହୋଇଥିଲେ । ଏବେ ପୁଣି ଗୁଜରାଟ ଟାଇଟନ୍ସକୁ ଫେରିବା ଚର୍ଚ୍ଚା ମଧ୍ୟରେ କ୍ୟାପ୍ଟେନ୍ସି ହିଁ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି । ଗୁଜରାଟ ସ୍ପଷ୍ଟ ଭାବେ ହାର୍ଦ୍ଦିକଙ୍କୁ କ୍ୟାପ୍ଟେନ୍ସି ଦେବାକୁ ରାଜି ନୁହେଁ, ଏପଟେ ହାର୍ଦ୍ଦିକଙ୍କ ଶର୍ତ୍ତ ଥିବା ନେଇ ଖବର । ତେଣୁ ଏବେ ଚର୍ଚ୍ଚା—ହାର୍ଦ୍ଦିକ ମୁମ୍ବାଇରେ ରହିବେ ନା ଅନ୍ୟ କୌଣସି ଦଳରେ ନୂଆ ଅଧ୍ୟାୟ ଆରମ୍ଭ କରିବେ? IPL ୨୦୨୭ ପୂର୍ବରୁ ଖେଳାଳି ଟ୍ରେଡ୍ ଓ ଫ୍ରାଞ୍ଚାଇଜି ପ୍ଲାନିଂ ଆହୁରି ରୋଚକ ହେବାକୁ ଥିବା ବେଳେ, ହାର୍ଦ୍ଦିକଙ୍କ ପରବର୍ତ୍ତୀ ଠିକଣା ଉପରେ ଏବେ ନଜର ରହିଛି ।

