ଭାରତୀୟ ଅର୍ଥନୀତିକୁ ନେଇ ଆସିଛି ବଡ଼ ଆଶାର ଖବର । SBI ରିସର୍ଚ୍ଚର ଏକ ନୂଆ ରିପୋର୍ଟ ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ, ଅର୍ଥାତ୍ ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ଭାରତର ବାସ୍ତବ GDP ବୃଦ୍ଧି ପ୍ରାୟ ୮ ପ୍ରତିଶତ ରହିପାରେ ।
ଭାରତୀୟ ଅର୍ଥନୀତିକୁ ନେଇ ଆସିଛି ବଡ଼ ଆଶାର ଖବର । SBI ରିସର୍ଚ୍ଚର ଏକ ନୂଆ ରିପୋର୍ଟ ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ, ଅର୍ଥାତ୍ ଏପ୍ରିଲ୍ରୁ ଜୁନ୍ ମଧ୍ୟରେ ଭାରତର ବାସ୍ତବ GDP ବୃଦ୍ଧି ପ୍ରାୟ ୮ ପ୍ରତିଶତ ରହିପାରେ । ଏହି ଆକଳନ ଭାରତୀୟ ରିଜର୍ଭ ବ୍ୟାଙ୍କର ୭ ପ୍ରତିଶତ ଅନୁମାନଠାରୁ ଏକ ପ୍ରତିଶତ ଅଧିକ । SBI ରିସର୍ଚ୍ଚ କହିଛି, ଘରୋଇ ଚାହିଦା ଏବଂ ଉପଭୋକ୍ତାଙ୍କ ବିଶ୍ୱାସ ଅର୍ଥନୀତିର ଏହି ଗତିର ପ୍ରମୁଖ କାରଣ । ରିପୋର୍ଟ ଅନୁସାରେ, ଚଳିତ ପ୍ରଥମ ତ୍ରୈମାସିକରେ SBI ରିସର୍ଚ୍ଚ ନଜର ରଖୁଥିବା ୫୦ଟି ପ୍ରମୁଖ ଆର୍ଥିକ ସୂଚକରୁ ୮୬ ପ୍ରତିଶତରେ ମଜବୁତି କିମ୍ବା ସୁଧାର ଦେଖାଯାଇଛି । ପୂର୍ବବର୍ଷ ସମାନ ସମୟରେ ଏହି ହାର ପ୍ରାୟ ୬୯ ପ୍ରତିଶତ ଥିଲା । ଅର୍ଥନୀତିର ଗତିକୁ ବୁଝାଇବା ପାଇଁ ଅଟୋ ସେକ୍ଟରର ତଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଜୁନ୍ ୨୦୨୬ରେ କାର୍ ବିକ୍ରି ବର୍ଷକୁ ବର୍ଷ ୨୪.୧ ପ୍ରତିଶତ ବଢ଼ିଛି । ମେ’ ମାସରେ ଏହା ୨୭.୩ ପ୍ରତିଶତ ଥିଲା ।
ସେହିପରି ଦୁଇଚକିଆ ଯାନ ପଞ୍ଜୀକରଣ ୧୮.୭ ପ୍ରତିଶତ ଏବଂ ତିନିଚକିଆ ଯାନ ବିକ୍ରି ୨୬.୧ ପ୍ରତିଶତ ବଢ଼ିଛି । ଇଲେକ୍ଟ୍ରିକ୍ ଭେହିକଲ୍ ବା EV କ୍ଷେତ୍ରରେ ମଧ୍ୟ ଚାହିଦା ବଢ଼ିଛି। ଜୁନ୍ ମାସରେ EV ପଞ୍ଜୀକରଣ ୫୫.୩ ପ୍ରତିଶତ ବୃଦ୍ଧି ପାଇଛି, ଯାହା ମେ’ ମାସର ୩୮.୭ ପ୍ରତିଶତ ବୃଦ୍ଧିଠାରୁ ଅଧିକ । ଏହା ଦେଶର ଅଟୋ ସେକ୍ଟରରେ ଚାହିଦା ଓ ସବୁଜ ପରିବର୍ତ୍ତନ ଦୁହିଁକୁ ଦର୍ଶାଉଛି । ଅନ୍ୟପଟେ ବ୍ୟକ୍ତିଗତ ଓ ଉପଭୋକ୍ତା ଋଣର ଚାହିଦାରେ ମଧ୍ୟ ବୃଦ୍ଧି ହୋଇଛି। ରିପୋର୍ଟ ଅନୁସାରେ, ଏଭଳି ଋଣରେ ୧୫.୮ ପ୍ରତିଶତ ବୃଦ୍ଧି ଦେଖାଯାଇଛି । ଅର୍ଥାତ୍ ଲୋକେ ଉପଭୋଗ ଓ କ୍ରୟ ପାଇଁ ଋଣ ନେବାରେ ଅଧିକ ସହଜ ଅନୁଭବ କରୁଛନ୍ତି । କେବଳ ଉପଭୋକ୍ତା ଚାହିଦା ନୁହେଁ, ଶିଳ୍ପ ଓ ଅର୍ଥନୈତିକ କାର୍ଯ୍ୟକଳାପର ଅନ୍ୟ ସୂଚକଗୁଡ଼ିକ ମଧ୍ୟ ସକାରାତ୍ମକ ରହିଛି। ଜୁନ୍ରେ ବିଦ୍ୟୁତ୍ ଚାହିଦା ୧୧.୫ ପ୍ରତିଶତ ବଢ଼ିଥିବା ବେଳେ ଡିଜେଲ୍ ଖର୍ଚ୍ଚରେ ୬.୨ ପ୍ରତିଶତ ବୃଦ୍ଧି ହୋଇଛି ।
ଏହା ପରିବହନ, ମାଲବାହୀ ଗତିବିଧି ଓ ଶିଳ୍ପ କାର୍ଯ୍ୟକଳାପରେ ଗତିର ସଙ୍କେତ ଦେଉଛି । SBI ରିସର୍ଚ୍ଚର ଏହି ଆକଳନ ଆସିଛି ଏମିତି ଏକ ସମୟରେ, ଯେତେବେଳେ ବିଶ୍ୱ ଅର୍ଥନୀତି ଅନିଶ୍ଚିତତାର ସମ୍ମୁଖୀନ । ତଥାପି ଦେଶର ଘରୋଇ ଚାହିଦା, ଉପଭୋଗ, କ୍ରେଡିଟ୍ ଗ୍ରୋଥ୍ ଓ ଶିଳ୍ପ କାର୍ଯ୍ୟକଳାପ ଭାରତୀୟ ଅର୍ଥନୀତିର ଭିତି ମଜବୁତ ଥିବାର ସଙ୍କେତ ଦେଉଛି ।
ଯଦି ଏହି ଆକଳନ ବାସ୍ତବ ତଥ୍ୟରେ ପରିଣତ ହୁଏ, ତେବେ ୨୦୨୬-୨୭ର ପ୍ରଥମ ତ୍ରୈମାସିକର ୮ ପ୍ରତିଶତ GDP ବୃଦ୍ଧି ଭାରତୀୟ ଅର୍ଥନୀତି ପାଇଁ ଏକ ଶକ୍ତିଶାଳୀ ସଙ୍କେତ ହେବ । ଏବେ ନଜର ରହିଛି ସରକାରଙ୍କ ଆଧିକାରିକ GDP ତଥ୍ୟ ପ୍ରକାଶ ଉପରେ ।

