ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଛନ୍ତି ନା ବିପଦକୁ ନିମନ୍ତ୍ରଣ ଦେଉଛନ୍ତି, ରୋଷେଇ ଘରୁ ମିଳିଲା ଅସ୍ୱାସ୍ଥ୍ୟକର ଚିତ୍ର । କେଉଁଠି ମାଛି, ଅନ୍ୟ କେଉଁଠି ଅସରପା, ତ ଆଉ କେଉଁଠି ବାସି ଖାଦ୍ୟ ।
ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଉଛନ୍ତି ନା ବିପଦକୁ ନିମନ୍ତ୍ରଣ ଦେଉଛନ୍ତି, ରୋଷେଇ ଘରୁ ମିଳିଲା ଅସ୍ୱାସ୍ଥ୍ୟକର ଚିତ୍ର । କେଉଁଠି ମାଛି, ଅନ୍ୟ କେଉଁଠି ଅସରପା, ତ ଆଉ କେଉଁଠି ବାସି ଖାଦ୍ୟ । ଏଭଳି ସାଂଘାତିକ ଅବ୍ୟବସ୍ଥା ଧରାପଡ଼ିବା ପରେ ମହାରାଷ୍ଟ୍ରରେ ଏକାଧିକ ଖାଦ୍ୟ ପ୍ରତିଷ୍ଠାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ବା FDA । ସୂଚନା ଅନୁସାରେ, ମହାରାଷ୍ଟ୍ରରେ ୮୯ଟି ହୋଟେଲ୍, ରେଷ୍ଟୁରାଣ୍ଟ ଓ ଢାବାରେ ଯାଞ୍ଚ କରିଥିଲା FDA ।
ଏଥିରୁ ୭୧ଟି ପ୍ରତିଷ୍ଠାନକୁ ସୁଧାର ପାଇଁ ନୋଟିସ୍ ଦିଆଯାଇଥିବା ବେଳେ ୧୩ଟିର ଫୁଡ୍ ବିଜନେସ୍ ଲାଇସେନ୍ସ ବାତିଲ୍ କିମ୍ବା ସ୍ଥଗିତ କରାଯାଇଛି । ମୁମ୍ବାଇର ବମ୍ବେ ପ୍ରେସିଡେନ୍ସି ରେଡିଓ କ୍ଲବ୍ର ରୋଷେଇ ଘରେ ମିଳିଛି ମାଛି ଓ ମୃତ ଅସରପା । ଖାଦ୍ୟ ରଖିବା ଜାଗାରେ ଅପରିଷ୍କାର ପରିବେଶ, ଖାଦ୍ୟକୁ ଚଟାଣରେ ରଖିବା, ଖାଦ୍ୟ ନିକଟରେ କେମିକାଲ୍ ରଖିବା ଭଳି ଅନିୟମିତତା ମଧ୍ୟ ଧରାପଡ଼ିଛି । ଏହାପରେ ଯାଞ୍ଚ ସମୟରେ ଖାଦ୍ୟ କିଣିବା, ବିକ୍ରି କିମ୍ବା ବଣ୍ଟନ ଉପରେ ରୋକ୍ ଲଗାଯାଇଛି । ସେହିପରି ମୁମ୍ବାଇର ଏକ ମ୍ୟାକ୍ଡୋନାଲ୍ଡସ୍ ଆଉଟଲେଟ୍ ବିରୋଧରେ ମଧ୍ୟ କଡ଼ା ପଦକ୍ଷେପ ନିଆଯାଇଛି ।
ପୂର୍ବରୁ ଚିହ୍ନଟ ହୋଇଥିବା ୨୦ଟି ତ୍ରୁଟି ମଧ୍ୟରୁ ୧୮ଟି ସୁଧାର ହୋଇନଥିବା FDA କହିଛି । ଯାଞ୍ଚ ବେଳେ ଜୀବନ୍ତ ଅସରପା, ଖାଦ୍ୟ ଅବଶିଷ୍ଟ, ଅପରିଷ୍କାର କପଡ଼ା ଏବଂ ରେଫ୍ରିଜରେସନ୍ ସମ୍ପର୍କିତ ସମସ୍ୟା ମିଳିଥିବା ଅଭିଯୋଗ ହୋଇଛି କେବଳ ମୁମ୍ବାଇ ନୁହେଁ, ପୁଣେ ଡିଭିଜନରେ ମଧ୍ୟ ୫ଟି ପ୍ରତିଷ୍ଠାନର ଲାଇସେନ୍ସ ସ୍ଥଗିତ କରାଯାଇଛି । ଏକ KFC ଆଉଟଲେଟ୍ର ଷ୍ଟୋରେଜ୍ ବ୍ୟବସ୍ଥାରେ ତ୍ରୁଟି, ଥଣ୍ଡା ଘରୁ ପାଣି ଲିକ୍ ହେବା ଏବଂ ଖାଦ୍ୟକୁ ଚଟାଣରେ ରଖାଯାଇଥିବା ଭଳି ଅନିୟମିତତା ଧରାପଡ଼ିଛି । ଅନ୍ୟପଟେ କିଛି ସ୍ଥାନରେ ବାସି ଖାଦ୍ୟ, ଅନୁମତି ନଥିବା ଖାଦ୍ୟ ରଙ୍ଗ ଓ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ମିଳିଛି ।
ଛତ୍ରପତି ସମ୍ଭାଜିନଗରରେ ତ ମଇଦାରେ ପୋକ ଲାଗିଥିବା ମିଳିଛି । ଯାଞ୍ଚ ଅଧିକାରୀଙ୍କ ଅନୁସାରେ, ପୋକଗୁଡ଼ିକୁ ହାତରେ ବାହାର କରି ସେହି ମଇଦା ବ୍ୟବହାର କରିବାକୁ ଯୋଜନା ଥିଲା । ଖାଦ୍ୟ ସାମଗ୍ରୀର ସଠିକ୍ ସଂରକ୍ଷଣ ଓ ଲେବଲିଂ ନଥିବା ଭଳି ଅନିୟମିତତା ମଧ୍ୟ ଚିହ୍ନଟ ହୋଇଛି । ତେବେ ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥାକୁ ନେଇ ମହାରାଷ୍ଟ୍ର FDAର ଏହି ଚଢ଼ଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି । ଏବେ ପ୍ରଶ୍ନ ଗ୍ରାହକଙ୍କୁ ଖାଦ୍ୟ ପରଷୁଥିବା ପ୍ରତିଷ୍ଠାନଗୁଡ଼ିକ ଖାଦ୍ୟ ସୁରକ୍ଷା ନିୟମ କେତେ ମାନୁଛନ୍ତି?

