ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ ଚାଲିଥିବାରୁ ବ୍ରାଜିଲ୍ର ସର୍ବୋଚ୍ଚ ଅଦାଲତ ତାଙ୍କ ଦେଶ ଛାଡ଼ିବା ଉପରେ ରୋକ୍ ଲଗାଇଥିଲେ। ଏଥିସହ ୨୪ ଘଣ୍ଟା ମଧ୍ୟରେ ପାସପୋର୍ଟ ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।
ବ୍ରାଜିଲ୍ ରାଜନୀତିରେ ପୁଣି ହଟଚମଟ। ସୁପ୍ରିମକୋର୍ଟଙ୍କ କଟକଣାକୁ ଅମାନ୍ୟ କରି ଦକ୍ଷିଣପନ୍ଥୀ ନେତା ଫ୍ଲାଭିଓ ବୋଲସୋନାରୋ ଆମେରିକା ପଳାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ ଚାଲିଥିବାରୁ ବ୍ରାଜିଲ୍ର ସର୍ବୋଚ୍ଚ ଅଦାଲତ ତାଙ୍କ ଦେଶ ଛାଡ଼ିବା ଉପରେ ରୋକ୍ ଲଗାଇଥିଲେ। ଏଥିସହ ୨୪ ଘଣ୍ଟା ମଧ୍ୟରେ ପାସପୋର୍ଟ ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହି ନିର୍ଦ୍ଦେଶକୁ ନମାନି ସେ ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିବା ନେଇ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି।
ଏହି ଘଟଣାକୁ ନେଇ ବ୍ରାଜିଲ୍ରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ଅନ୍ୟପଟେ, ଆମେରିକା ବୈଦେଶିକ ବିଭାଗ ଫ୍ଲାଭିଓ ବୋଲସୋନାରୋ, ତାଙ୍କ ପତ୍ନୀ ଏବଂ ଦୁଇ ଝିଅଙ୍କୁ ପ୍ରବେଶ ଭିସା ମିଳିବା ନେଇ ସୂଚନା ଦେଇଥିବା କୁହାଯାଉଛି। ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସହ ବୋଲସୋନାରୋ ପରିବାରର ଘନିଷ୍ଠ ସମ୍ପର୍କ ଥିବାରୁ ଏହି ଘଟଣାକୁ ନେଇ କୂଟନୈତିକ ମହଲରେ ମଧ୍ୟ ଚର୍ଚ୍ଚା ବଢ଼ିଛି।
ଫ୍ଲାଭିଓଙ୍କ ଏହି ପଦକ୍ଷେପକୁ ନେଇ ବ୍ରାଜିଲ୍ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭା କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ନିଜର ୮୧ତମ ଜନ୍ମଦିନ ଅବସରରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ବୋଲସୋନାରୋ ପରିବାରର ଚରିତ୍ର ଏଭଳି। ବ୍ରାଜିଲ୍ ସେମାନଙ୍କର ଦ୍ୱିତୀୟ ମାତୃଭୂମି ହୋଇଥିବାବେଳେ ଆମେରିକା ହେଉଛି ପ୍ରଥମ ମାତୃଭୂମି। ଲୁଲା ଆହୁରି କହିଛନ୍ତି, ଯାହାର କୌଣସି ଦୋଷ ନାହିଁ, ସେ କାହାକୁ ଭୟ କରେ ନାହିଁ। ନିର୍ବାଚନରେ ପରାଜିତ ହେବା ପରେ ଚୋରଙ୍କ ଭଳି ଦେଶ ଛାଡ଼ି ପଳାଇବା ଅତ୍ୟନ୍ତ ଲଜ୍ଜାଜନକ।
ସୂଚନାଯୋଗ୍ୟ, ଫ୍ଲାଭିଓ ବୋଲସୋନାରୋ ହେଉଛନ୍ତି ବ୍ରାଜିଲ୍ର ପୂର୍ବତନ ରାଷ୍ଟ୍ରପତି ଜେୟାର୍ ବୋଲସୋନାରୋଙ୍କ ପୁଅ। ତାଙ୍କ ବୟସ ୪୫ ବର୍ଷ। ନିର୍ବାଚନରେ ସେ ଲୁଲାଙ୍କଠାରୁ ପରାଜିତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ପୂର୍ବରୁ ୨୦୨୨ରେ ଜେୟାର୍ ବୋଲସୋନାରୋ ମଧ୍ୟ ଲୁଲାଙ୍କଠାରୁ ନିର୍ବାଚନ ହାରିବା ପରେ ଆମେରିକା ଯାଇଥିଲେ। ପରେ ବ୍ରାଜିଲ୍ ଫେରିବା ପରେ ସେ ନଜରବନ୍ଦୀରେ ରହିଛନ୍ତି ବୋଲି ଖବର ରହିଛି। ଏବେ ଫ୍ଲାଭିଓଙ୍କ ଆମେରିକା ଯିବା ଘଟଣା ବ୍ରାଜିଲ୍ର ଆଭ୍ୟନ୍ତରୀଣ ରାଜନୀତି ସହ ଦୁଇ ଦେଶର କୂଟନୈତିକ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିପାରେ। ତେବେ ଏହି ଘଟଣାର ପ୍ରକୃତ ସ୍ଥିତି ଏବଂ ଆଇନଗତ ପରିଣାମ ଉପରେ ସମସ୍ତଙ୍କ ନଜର ରହିଛି।

