କେତନ ହତ୍ୟା ମାମଲା : ଅଭିଯୁକ୍ତ ଚେତନକୁ ନେଇ ହେଲା କ୍ରାଇମ୍ ସିନ୍ ରିକ୍ରିଏସନ୍

ପୁଣେର ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପୋଲିସ ତଦନ୍ତ ତୀବ୍ର କରିଛି।ସହ-ଅଭିଯୁକ୍ତ ଚେତନ ଚୌଧୁରୀକୁ ନେଇ ଲୋହଗଡ଼ ଦୁର୍ଗରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଛି

ପୁଣେର ପ୍ରତିଷ୍ଠିତ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ ପାଇଁ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି। ବୁଧବାର ମାମଲାର ସହ-ଅଭିଯୁକ୍ତ ୨୨ ବର୍ଷୀୟ ଚେତନ ଚୌଧୁରୀକୁ ପୋଲିସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଲୋହଗଡ଼ ଦୁର୍ଗକୁ ନେଇ ସେହି ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଛି। ଏହାପୂର୍ବରୁ ଜୁନ୍ ୨୮ ତାରିଖରେ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ (୨୦) କୁ ମଧ୍ୟ ସେଠାକୁ ନିଆଯାଇ ଏକ ପୁତଳା ସାହାଯ୍ୟରେ କେତନଙ୍କୁ ପାହାଡ଼ରୁ ତଳକୁ ଠେଲିବାର ଦୃଶ୍ୟର ପୁନରାବୃତ୍ତି କରାଯାଇଥିଲା। ବର୍ତ୍ତମାନ ପୁଣେ ପୋଲିସ ଚେତନର ଚାଲିବା ଶୈଳୀ ବା ”ଗେଟ୍ ଆନାଲିସିସ୍” କରୁଛି, ଯାହା ଦ୍ୱାରା ଦୁର୍ଗର ସିସିଟିଭି ଫୁଟେଜରେ ହୁଡି, ଚଷମା ଓ ମାସ୍କ ପିନ୍ଧି ନିଜ ପରିଚୟ ଲୁଚାଇବାକୁ ଚେଷ୍ଟା କରିଥିବା ଚେତନର ଚାଲିକୁ ମିଳାଇ ପ୍ରମାଣ ସଂଗ୍ରହ କରାଯାଇପାରିବ।

ତଦନ୍ତରୁ ଜଣାପଡ଼ିଛି ଯେ, ସିୟା ଓ ଚେତନ କେତନଙ୍କୁ ହତ୍ୟା କରିବା ପାଇଁ ସୂଚିନ୍ତିତ ଯୋଜନା ପ୍ରସ୍ତୁତ କରିଥିଲେ। ହତ୍ୟା ପୂର୍ବରୁ ସେମାନେ ଗୁଗୁଲ୍ ଓ ୟୁଟ୍ୟୁବ୍ ରେ କେତନଙ୍କୁ ଜୀବନରୁ ମାରିଦେବା ପାଇଁ ବିଭିନ୍ନ ଉପାୟ ସର୍ଚ୍ଚ କରିଥିଲେ ଏବଂ ଶେଷରେ ଦୁର୍ଗରୁ ତଳକୁ ଠେଲିଦେବା ସବୁଠାରୁ ସହଜ ବୋଲି ସ୍ଥିର କରିଥିଲେ। କେବଳ ସେତିକି ନୁହେଁ, ଜୁନ୍ ୧୪ ତାରିଖରେ ସେମାନେ ପ୍ରଥମେ କେତନଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ଏବଂ ଏଥିପାଇଁ ପୂର୍ବରୁ ଏକ ଡ୍ରେସ୍ ରିହର୍ସାଲ୍ ବା ଅଭ୍ୟାସ ମଧ୍ୟ କରିଥିଲେ। ପୋଲିସ ସିୟାଙ୍କ ବାପା ମା’ ଓ ଭାଇଙ୍କୁ ମଧ୍ୟ ପଚରାଉଚରା କରି ସେମାନଙ୍କ ବୟାନ ରେକର୍ଡ କରିଛି। ଅନ୍ୟପଟେ ପୋଲିସ ଆଗରେ ସିୟା ସ୍ୱୀକାର କରିଛି ଯେ, ସେ କେତନଙ୍କୁ ବିବାହ କରିବାକୁ ଚାହୁଁନଥିଲେ। କେତନଙ୍କ ମୃତ୍ୟୁ ହେଲେ ବିବାହ ପ୍ରସଙ୍ଗ ଅତିକମରେ ୩ ବର୍ଷ ପାଇଁ ଟଳିଯିବ ଏବଂ ଏହି ସମୟ ମଧ୍ୟରେ ଚେତନ ମଧ୍ୟ ନିଜ ଗୋଡ଼ରେ ଠିଆ ହୋଇ ସିୟାଙ୍କୁ ବିବାହ କରିବାକୁ ସମୟ ପାଇଯିବେ ବୋଲି ଉଭୟ ଭାବିଥିଲେ। ବର୍ତ୍ତମାନ ପୋଲିସ ମୋବାଇଲରୁ ଡିଲିଟ୍ ହୋଇଥିବା ଡିଜିଟାଲ୍ ତଥ୍ୟ ଉଦ୍ଧାର କରିବା ସହ କେତନଙ୍କ ନିଖୋଜ ପାସପୋର୍ଟ ଖୋଜିବାକୁ ଚେଷ୍ଟା ଚଳାଇଛି।

Leave a Reply

Your email address will not be published. Required fields are marked *